DNA India
ଧଉଳି: ଜମି ଦେବା ନାଁରେ ୩ ଲକ୍ଷ ଟଙ୍କା ଠକେଇ ମାମଲାରେ ଆଜି ଧଉଳି ଥାନା ପୁଲିସ ଜଣେ ଜମି ଦଲାଲକୁ କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲେ ପ୍ରଦୀପ୍ତ ଦାସ(୫୦)। ପ୍ରଦୀପ୍ତଙ୍କ ବିରୋଧରେ ବ୍ରହ୍ମେଶ୍ବରପାଟଣା ଅଞ୍ଚଳର ଆକାଶ ମହାନ୍ତି ନାମକ ଜଣେ ଗ୍ରାହକ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଠକେଇ ମାମଲା ରୁଜୁ ହୋଇଥିଲା। ହେଲେ ପ୍ରଦୀପ୍ତଙ୍କୁ କୋର୍ଟ ଆଜି ସର୍ତ୍ତମୂଳକ ଜାମିନ ଦେଇଥିବା ଏଏସଆଇ ଟୁକୁନା ଦାସ କହିଛନ୍ତି।
ଅଭିଯୋଗ ଅନୁସାରେ ପ୍ରଦୀପ୍ତ ୨୦୨୦ ମସିହାରେ ସ୍ଥାନୀୟ ଧଉଳି ଥାନା ଅଞ୍ଚଳରେ ଜମି ଦେବାକୁ କହି ଆକାଶଙ୍କଠାରୁ ୩ ଲକ୍ଷ ଟଙ୍କା ନେଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ସୁଦ୍ଧା ଜମି ଦେଇନଥିଲେ କି ଟଙ୍କା ଫେରସ୍ତ କରିନଥିଲେ। ଟଙ୍କା ମାଗିବାରୁ ଓଲଟି ଆକାଶଙ୍କୁ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି। ଶେଷରେ ଆକାଶ ନିରାଶ ହୋଇ ଧଉଳି ଥାନାର ଦ୍ବାରସ୍ଥ ହୋଇଥିଲେ। ଗତ ଏପ୍ରିଲ ମାସରେ ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ହେଲେ ପୁଲିସ ପ୍ରଦୀପ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇନଥିଲା। ମାମଲାର ୫ ମାସ ପରେ ପୁଲିସ ଆଜି ପ୍ରଦୀପ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Follow Us