The Financial Express
ଚନ୍ଦ୍ରଶେଖରପୁର: ସତର୍କତା ଅଭାବ ପାଇଁ ଓଏଲ୍ଏକ୍ସରୁ ପୁରୁଣା ବାଇକ୍, କାର୍ ଓ ଦାମୀ ମୋବାଇଲ୍ ଫୋନ୍ କିଣିବାକୁ ଯାଇ ବହୁ ଲୋକ ଠକାମିର ଶିକାର ହେଉଥିଲେ ହେଁ ଚେତା ପଶୁନାହିଁ। ଏବେ ସ୍ଥାନୀୟ ଅଞ୍ଚଳରେ ପୁଣି ୩ ଜଣ ଏଭଳି ଠକାମିର ଶିକାର ହୋଇଛନ୍ତି। ଏ ନେଇ ଠକାମିର ଶିକାର ବ୍ୟକ୍ତିମାନେ ନୂଆପଲ୍ଲୀ ଓ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଗ୍ରହଣ କରିଛି, ଅଥଚ ଅନ୍ଲାଇନ୍ ଠକଙ୍କୁ ଧରିବା ସମ୍ଭବ ହୋଇନାହିଁ।
ଗତ ରବିବାର ଦିନ ନୂଆପଲ୍ଲୀ ଥାନା ଜୟଦେବ ବିହାର ବାସିନ୍ଦା ରୁଦ୍ର ନାରାୟଣ ସାହୁ ଓଏଲ୍ଏକ୍ସ ବିଜ୍ଞାପନ ଦେଖି ଏକ ବାଇକ୍ କିଣିବା ପାଇଁ ସ୍ଥିର କରିଥିଲେ। ତେଣୁ ସେ ବୋରା ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ। ବୋରା ନିଜକୁ ଅବସରପ୍ରାପ୍ତ ସିପାହୀ ଓ ସେ ବର୍ତ୍ତମାନ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କାମ କରୁଛନ୍ତି ବୋଲି କହିଥିଲେ। ଯୋଗାଯୋଗରୁ ଭରସା ସୃଷ୍ଟି ହେବା ରୁଦ୍ର ପରେ ପ୍ରଥମେ ବାଇକ୍ ମାଲିକଙ୍କୁ ଅଗ୍ରିମ ବାବଦରେ ୧୫ହଜାର ଟଙ୍କା ଅନ୍ଲାଇନ୍ରେ ପଇଠ କରିଥିଲେ। ଏହାପରେ ବୋରା ଉଭାନ୍ ହୋଇଗଲେ। ତେଣୁ ରୁଦ୍ର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।
ସେହିଭଳି ମୈତ୍ରୀବିହାର ସାନ୍ତାଳ ବସ୍ତିରେ ରହୁଥିବା ହରିପାଲ୍ ସିଂ ନାମକ ଜଣେ ବ୍ୟକ୍ତି ଏକ କାର୍ କିଣିବା ପାଇଁ ଓଏଲ୍ଏକ୍ସ ବିଜ୍ଞାପନରୁ ଜାଣିବାକୁ ପାଇଥିଲେ। ପରେ ଯୋଗାଯୋଗ ହୋଇଥିଲା ଓ ଟେଷ୍ଟ୍ ଡ୍ରାଇଭ୍ ପର୍ଯ୍ୟନ୍ତ କଥା ଯାଇଥିଲା। ଏହା ପରେ ହରିପାଲ୍ ଅଗ୍ରୀମ ବାବଦରେ ୧୦ହଜାର ଗଣି ଦେଇଥିଲେ। ତେବେ ଧୂର୍ତ୍ତଜଣକ ୧୦ ହଜାର ଟଙ୍କା ପାଇଯିବା ପରେ ଗାଏବ୍ ହୋଇଯାଇଥିଲା। ହରିପାଲ୍ ତାଙ୍କୁ ଆଉ ପାଇ ନଥିଲେ। ସେହିଭଳି ବିଡିଏ କଲୋନିର ଅନୁରାଗ ମହାନ୍ତି ନାମକ ଜଣେ ଇଂଜିନିୟରିଂ ଛାତ୍ର ଏକ ଦାମୀ ମୋବାଇଲ୍ ଫୋନ୍ କିଣିବା ପାଇଁ ଅନ୍ଲାଇନ୍ରେ ୧୦ ହଜାର ଟଙ୍କା ପଠାଇଥିଲେ। କିନ୍ତୁ ଧୂର୍ତ୍ତଜଣକ ପାର୍ସଲରେ ଏକ ନକଲି ମୋବାଇଲ୍ ଫୋନ୍ ସେଟ୍ ଭର୍ତି କରି ଅନୁରାଗଙ୍କ ଠିକଣାରେ ପଠାଇଥିଲେ। ଠକାମିର ଶିକାର ହୋଇଥିବା ହରିପାଲ୍ ଓ ଅନୁରାଗ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।
Follow Us