କରୋନା କାଳରେ ରକ୍ତ ପାଇଁ କଲବଲ ରୋଗୀ, ବିଏମ୍‌ସି ରକ୍ତଭଣ୍ଡାରର ୩ ଫ୍ରିଜର ଅଚଳ

Advertisment

୧୦ରୁ ଅଧିକ ରକ୍ତଦାନ ଶିବିର ଆୟୋଜନ ପାଇଁ ମନା କରୁଛନ୍ତି, ସଂଗୃହୀତ ହୋଇପାରୁନି ଶହଶହ ୟୁନିଟ୍‌ ରକ୍ତ

୧୦ରୁ ଅଧିକ ରକ୍ତଦାନ ଶିବିର ଆୟୋଜନ ପାଇଁ ମନା କରୁଛନ୍ତି, ସଂଗୃହୀତ ହୋଇପାରୁନି ଶହଶହ ୟୁନିଟ୍‌ ରକ୍ତ

କରୋନା କାଳରେ ରକ୍ତ ପାଇଁ କଲବଲ ରୋଗୀ, ବିଏମ୍‌ସି ରକ୍ତଭଣ୍ଡାରର ୩ ଫ୍ରିଜର ଅଚଳ

Sensire

ଭୁବନେଶ୍ବର: କୋଭିଡ୍‌ ଯୋଗୁଁ ରକ୍ତ ସଂଗ୍ରହ ପାଇଁ ନାକେଦମ୍‌ ହେଉଛନ୍ତି ରକ୍ତଦାନ ସଂସ୍ଥା। ରୋଗୀ ମଧ୍ୟ ରକ୍ତ ପାଇଁ କଲବଲ ହେଉଛନ୍ତି। ଏଣେ ଫ୍ରିଜର ଅଚଳ ଯୋଗୁଁ ୧୦ରୁ ୧୫ଟି ରକ୍ତଦାନ ଶିବିର ଆୟୋଜନ ପାଇଁ ମନା କଲାଣି ବିଏମ୍‌ସି ରକ୍ତଭଣ୍ଡାର। ସଂଗୃହୀତ ହୋଇ ପାରୁନି ପ୍ରାୟ ଶହଶହ ୟୁନିଟ ରକ୍ତ। ଗତ କିଛି ମାସ ମଧ୍ୟରେ ୪ଟି ଫ୍ରିଜର ମଧ୍ୟରୁ ୩ଟି ଅଚଳ ହେବା ଯୋଗୁଁ ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି।

୨୦୨୦ ଆଜିର ସମୟରେ ଫାଙ୍କା ପଡ଼ିଥିଲା ରାଜଧାନୀର ରକ୍ତଭଣ୍ଡାର। ଚଳିତ ବର୍ଷ କରୋନା ଆହୁରି ଜଟିଳ ରୂପ ଧାରଣ କଲାଣି। ଏହା ସତ୍ତ୍ବେ ଗତବର୍ଷ ଭଳି ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ଉଦ୍ୟମ କରୁଛନ୍ତି ବିଭିନ୍ନ ରକ୍ତଦାନ ସଂସ୍ଥା। ଲୋକଙ୍କୁ ସଚେତନ କରାଯାଉଛି, ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ରକ୍ତଦାନ ଶିବିର ଆୟୋଜନକୁ ଗୁରୁତ୍ବ ଦିଆଯାଉଛି। ମାତ୍ର ବିଏମ୍‌ସି ରକ୍ତଭଣ୍ଡାର କର୍ତ୍ତୃପକ୍ଷ ସେମାନଙ୍କୁ ସହଯୋଗ ପାଇଁ ଆଗେଇ ଆସିବା ବଦଳରେ ସେମାନଙ୍କଠାରୁ ମୁହଁ ଫେରାଇବା ନେଇ ବିସ୍ମୟ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ରାଜଧାନୀରେ ମାସିକ ୩ ହଜାର ୟୁନିଟ୍‌ ରକ୍ତ କ୍ୟାପିଟାଲ ହସ୍ପିଟାଲ ଓ ବିଏମ୍‌ସି ହସ୍ପିଟାଲରେ ଥିବା ରକ୍ତଭଣ୍ଡାରରେ ଗଚ୍ଛିତ ହୁଏ। ଏଥିରୁ ବିଏମ୍‌ସି ହସ୍ପିଟାଲ ରକ୍ତଭଣ୍ଡାରରୁ ୩୦ରୁ ୪୦ ୟୁନିଟ ଏବଂ କ୍ୟାପିଟାଲ ହସ୍ପିଟାଲର ୭୦ରୁ ୮୦ ୟୁନିଟ ରକ୍ତ ପ୍ରତିଦିନ ଲୋକଙ୍କ ଜୀବନ ରକ୍ଷା କରେ। ଏମାନଙ୍କ ମଧ୍ୟରେ ସିକିଲ୍‌ ସେଲ, ଥାଲାସିମିୟା ରୋଗୀ ସର୍ବାଧିକ ରକ୍ତ ନେଇ ଥାଆନ୍ତି। ଗତବର୍ଷ କରୋନା ଯୋଗୁଁ ରକ୍ତଦାନ ଶିବିର ଆୟୋଜନ ବାଧାପ୍ରାପ୍ତ ହେବାରୁ ଏହି ରୋଗୀଙ୍କ ଦୁର୍ଦ୍ଦଶା ବଢ଼ି ଯାଇଥିଲା। ଦୁର୍ଘଟଣାର ଶିକାର ଅନେକ ବ୍ୟକ୍ତି ରକ୍ତ ଅଭାବରୁ ହଇରାଣ ହୋଇଥିଲେ। ଏହା ସତ୍ତ୍ବେ ରାଜଧାନୀରେ ରକ୍ତଭଣ୍ତାର ପରିଚାଳନା କରୁଥିବା କର୍ତ୍ତୃପକ୍ଷ ଶିଖିପାରିଲେ ନାହିଁ। ବିଏମ୍‌ସି ହସ୍ପିଟାଲ ରକ୍ତଭଣ୍ଡାରରେ ମାସକୁ ସର୍ବାଧିକ ୭୦୦ରୁ ୮୦୦ ୟୁନିଟ ରକ୍ତ ସଂରକ୍ଷିତ କରି ରଖିବା ପାଇଁ କ୍ଷମତା ରହିଛି।

ଏଠାରେ ଥିବା ୪ଟି ଫ୍ରିଜର ଏହି ଆବଶ୍ୟକତା ପୂରଣ କରନ୍ତି। ମାତ୍ର ଗୋଟିଏ ପରେ ଗୋଟିଏ ୩ଟି ଫ୍ରିଜର ଅଚଳ ହେବା ଯୋଗୁଁ ଏବେ ରକ୍ତଦାନ ଶିବିର ଆୟୋଜନ ହୋଇ ପାରୁନାହିଁ। ଅନ୍ୟପକ୍ଷରେ ରକ୍ତ ସଂଗୃହୀତ ହେବା ପରେ ଟେଷ୍ଟିଂ ପାଇଁ କେମିକାଲର ଆବଶ୍ୟକ ଥାଏ। ବିଭିନ୍ନ ସମୟରେ ରକ୍ତଭଣ୍ଡାରରେ ଆବଶ୍ୟକ କେମିକାଲ ଅଭାବ ଯୋଗୁଁ ଶିବିରରୁ ରକ୍ତ ସଂଗୃହୀତ ହେଲା ପରେ ଏହା ପରୀକ୍ଷଣ ହୋଇନପାରି ପଡ଼ି ରହିଥାଏ। ଆହୁରି ମଧ୍ୟ ରକ୍ତଭଣ୍ଡାର କର୍ମଚାରୀ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧା। ମାତ୍ର ସେମାନଙ୍କୁ ଆବଶ୍ୟକ ମାସ୍କ, ସାନିଟାଇଜର ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଆପାତକାଳୀନ ଆବଶ୍ୟକତା ପୂରଣ ପାଇଁ ପ୍ରତ୍ୟେକ ରକ୍ତଭଣ୍ଡାରର ନିଜସ୍ବ ସ୍ବତନ୍ତ୍ର ପାଣ୍ଠି ଥାଏ। ମାତ୍ର ବିଏମ୍‌ସି ରକ୍ତଭଣ୍ଡାର କାହିଁକି ଅଚଳ ଫ୍ରିଜରର ମରାମତି କରୁ ନାହିଁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨ ଦିନ ମଧ୍ୟରେ ସଚଳ ହେବ ଫ୍ରିଜର: ସିଏମ୍‌ଓ
ଏ ନେଇ ସିଏମଓ ଡ. ଜିତେନ୍ଦ୍ର କହିଛନ୍ତି, ୨ ଦିନ ମଧ୍ୟରେ ଫ୍ରିଜର ମରାମତି ହୋଇ କାର୍ଯ୍ୟକ୍ଷମ ହୋଇଯିବ। ଅଚଳ ଫ୍ରିଜର ନେଇ ତାଙ୍କୁ ୧ ତାରିଖରେ ସୂଚନା ଆସିଥିଲା। ଏହାପରେ ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ହୋଇଛି। କେମିକାଲ ସଙ୍କଟ ନାହିଁ। ରକ୍ତଭଣ୍ଡାର ପକ୍ଷରୁ ନିୟମିତ କେମିକାଲ କ୍ରୟ ହେଉଛି। ଏଥିପାଇଁ ଆବଶ୍ୟକ ଟଙ୍କା ମଧ୍ୟ ସେମାନଙ୍କୁ ଦିଆଯାଉଛି। ମାସ୍କ, ସାନିଟାଇଜର ପ୍ରଦାନରେ ବି ଅସୁବିଧା ନାହିଁ। ରକ୍ତଭଣ୍ଡାରର ସ୍ବତନ୍ତ୍ର ପାଣ୍ଠି ରହିଛି। ବିତ୍ତୀୟ ନୀତି-ନିୟମ ସମୂହ ଅନୁସାରେ ଏହାର ଉପଯୋଗ କରାଯାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe