ବାଲିଅନ୍ତା: ମନ୍ଦିରମାଳିନୀ ଭୁବନେଶ୍ବରରେ ଯେତିକି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ରହିଛି, ଏହାର ଉପକଣ୍ଠରେ ବି ସେମିତି ସୁଦୃଶ ମନ୍ଦିର ସଂଖ୍ୟା କିଛି କମ୍‌ ନୁହେଁ। ଜୟଦେବ ନିର୍ବାଚନମଣ୍ଡଳୀର ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍‌ ଅଞ୍ଚଳରେ ଏମିତି ବହୁ ମନ୍ଦିର ଅଛନ୍ତି, ଯେଉଁଠି ପ୍ରାଚୀନ ଉତ୍କଳର ଉତ୍କୃଷ୍ଟ କଳା ଆଜି ବି ଜୀବନ୍ତ ରହିଛି। ତନ୍ମଧ୍ୟରୁ ବହୁ ମନ୍ଦିରରେ ମହାଦେବ ଶିବଙ୍କ ପୂଜାର୍ଚ୍ଚନା କରାଯାଏ। ସେହିଭଳି କିଛି ବିଷ୍ଣୁ ମନ୍ଦିର ଓ କିଛି ଶକ୍ତୀପୀଠ ବି ରହିଛି। କିନ୍ତୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଯେ ଶହଶହ ବର୍ଷ ପୂର୍ବେ ବି ମହାବୀର ହନୁମାନଙ୍କ ପୂଜା ପାଇଁ ସୁନ୍ଦର ମନ୍ଦିର ନିର୍ମାଣ କରାଯାଇଥିଲା। ବାଲିଅନ୍ତା ବ୍ଲକ୍ ସରକଣାସ୍ଥିତ ମହାବୀର ମନ୍ଦିର ହେଉଛି ସେଥିରୁ ଅନ୍ୟତମ। ଏହି ମନ୍ଦିର ପ୍ରାୟ ୩୦୦ ବର୍ଷ ତଳର ବୋଲି ଦାବି କରାଯାଏ। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଓ ଦେବୋତ୍ତର ବିଭାଗ ଅଧୀନରେ ରହିଛି ଏହି ମନ୍ଦିର। ମାତ୍ର ଉପଯୁକ୍ତ ଯତ୍ନ ଅଭାବରୁ ଆଜି ଏହି ପ୍ରାଚୀନ ମନ୍ଦିରର ବିକାଶ ଆଶାନୁରୂପ ହୋଇପାରୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଛନ୍ତି। 

Advertisment

Geosynthetics: ଭୂସ୍ଖଳନ ରୋକିବ ଜିଓସିନ୍ଥେଟିକ୍ସ: ପାହାଡ଼ିଆ ଅଞ୍ଚଳ ରାସ୍ତା ତିଆରିରେ ଲାଗିବ

ସରକଣା ମହାବୀର ସ୍ଥାନୀୟ ଅଞ୍ଚଳର ପ୍ରତ୍ୟକ୍ଷ ଦେବତା ବୋଲି ବିଶ୍ବାସ ରହିଛି। କେହି କୌଣସି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କଲେ, ପ୍ରଥମେ ମହାବୀରଙ୍କ ନିକଟରେ ପୂଜା କରିଥାଆନ୍ତି। ବହୁ ଶ୍ରଦ୍ଧାଳୁ ମହାବୀରଙ୍କ ନିକଟରେ ମାନସିକ କରି ପୂଜାର୍ଚ୍ଚନା କରନ୍ତି। ମହାବୀର ଜୟନ୍ତୀ ବା ପଣା ସଂକ୍ରାନ୍ତି ବାଦ୍‌ ଏଠାରେ ବିଭିନ୍ନ ପର୍ବପର୍ବାଣୀରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଜମିଥାଏ। ଏହି ମନ୍ଦିରକୁ ଲାଗିରହିଛି ଶ୍ରୀଗୋପାଳ ଜୀଉଙ୍କ ମନ୍ଦିର। ବୁଦ୍ଧିପଡ଼ା-ଅରିଙ୍ଗୋଳ ରାସ୍ତା କଡ଼ରେ ଥିବା ଏହି ପୀଠରେ ବର୍ଷସାରା ଉତ୍ସବ ଲାଗିରହିଥାଏ। ତେବେ ପଣା ସଂକ୍ରାନ୍ତି ଉତ୍ସବ ବଡ଼ ପର୍ବ ଭାବେ ଗଣାଯାଏ। ପ୍ରସିଦ୍ଧ ଫୋଡ଼ା ପାଟୁଆ ଯାତ୍ରା ପାଇଁ ସରକଣା ମହାବୀର ପୀଠର ନାଁ ରହିଛି। ସପ୍ତାହକ ପୂର୍ବରୁ ନିଆଁ ଝୁଣା ଖାଇ ବ୍ରତଧାରଣ କରିଥିବା ପାଟୁଆମାନେ ପିଠିରେ ୬ଇଞ୍ଚ ଲମ୍ବର ଲୁହାକଣ୍ଟା ଫୋଡ଼ିଥା’ନ୍ତି ଏବଂ ଚକ୍ରିରେ ଘୂରିଥାଆନ୍ତି। ବଡ଼ ବିସ୍ମୟ ଓ ଭୀତି ସଂଚାର କଲା ଭଳି ଦୃଶ୍ୟ। ମାତ୍ର ମହାବୀରଙ୍କ କୃପାରୁ ବ୍ରତଧାରୀ ପାଟୁଆମାନେ ଏଭଳି କଷ୍ଟକର ଅଘୋରତପ ସାଧନ କରିପାରନ୍ତି ବୋଲି ଦୃଢ଼ତାର ସହ କହିଆସୁଛନ୍ତି। ସେହିଭଳି ଚୈତ୍ରମାସ ପୂର୍ଣ୍ଣିମାରେ ଏଠାରେ ଅଷ୍ଟପ୍ରହର ନାମଯଜ୍ଞ, ହନୁମାନ ଚାଳିଶା, ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। 

India Shuts Down Visa Application Centre: ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶରେ ୨ଟି ଭିସା ଆବେଦନ କେନ୍ଦ୍ର ବନ୍ଦ କଲା ଭାରତ

ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସୂଚନାନୁସାରେ ଏକଦା ଏହି ମନ୍ଦିରର ଦଧିନଉତିରେ ଫାଟ ସୃଷ୍ଟି ହୋଇଥିଲା। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଫାଟ ମରାମତି କରାଯାଇଥିଲା। ସେତେ‌ବେଳେ ଦଧିନଉତି ରତ୍ନମୁଦ ଭିତରୁ ଏକ ତାମ୍ରଫଳକ ମିଳିଥିଲା। ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ସେହି ତାମ୍ରଫଳକ ପାଠ କରାଯାଇଥିଲା ଏବଂ ମନ୍ଦିରଟି ୩୦୦ ବର୍ଷ ତଳର ବୋଲି ଜଣାପଡ଼ିଥିଲା। ତେବେ ମନ୍ଦିର ନିର୍ମାଣ ପଛରେ କାହାର ଉଦ୍ୟମ ରହିଛି, ସେନେଇ କିଛି ସ୍ପଷ୍ଟ ତଥ୍ୟ ନାହିଁ। ପରିତାପର କଥା, ଏହି ଐତିହ୍ୟସଂପନ୍ନ ପୀଠର ‌ଉନ୍ନତୀକରଣ ତଥା ସୌନ୍ଦର୍ଯ୍ୟୀକରଣ କରାଯାଉନାହିଁ। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଓ ଦେବୋତ୍ତର ବିଭାଗ କେହି ବି ମନ୍ଦିରର ବିକାଶ ଦିଗରେ ଯତ୍ନବାନ ହେଉନାହାନ୍ତି। ମନ୍ଦିର ପଛପଟ ବଣ ଜଙ୍ଗଲଠାରୁ କିଛି କମ୍ ନୁହେଁ। ମନ୍ଦିରର ଦୁଇପାର୍ଶ୍ବରେ ପ୍ରାଚୀର ଅଛି। ମାତ୍ର ପୂର୍ବ ପାର୍ଶ୍ବ ମେଲା ରହିଥିବାରୁ ମନ୍ଦିର ପରିସରକୁ ବୁଲା ଗୋରୁଗାଈ ଅବାଧରେ ପଶି ପାରୁଛନ୍ତି। ସେହିଭଳି ନିଛାଟିଆ ବେଳ ଦେଖି ଏଠାରେ ନିଶାଡ଼ିଙ୍କ ଡେରା ପଡ଼ୁଛି। ପୁଣି ମନ୍ଦିର ପଛପଟେ ବଡ଼ବଡ଼ ଖାଲଖମା ଥିବାରୁ  ବର୍ଷାପାଣି ପଥର ଫାଙ୍କରେ ଝରାଇ ଝରାଇ ମନ୍ଦିର ଭିତରେ ଜମୁଛି। ତେଣୁ ପଣ୍ଡା ସେବାୟତମାନେ ପୂଜା କଲାବେଳେ ଅସୁବିଧା ଭୋଗନ୍ତି। ସ୍ଥାନୀୟ ବାସିନ୍ଦା ସଦାଶିବ ପ୍ରଧାନଙ୍କ କହିବାନୁସାରେ ରାସ୍ତାକୁ ଲାଗି ରହିଥିବା ମନ୍ଦିର ସମ୍ମୁଖରେ ଜାଗା ନଥିବାରୁ  ଅଷ୍ଟପ୍ରହର ଓ ଅନ୍ୟାନ୍ୟ ପର୍ବପର୍ବାଣୀ ବେଳେ ଲୋକ ରାସ୍ତାରେ ବସି ପ୍ରସାଦସେବନ କରନ୍ତି। ମନ୍ଦିର ପଛପଟେ ଥିବା ବଡ଼ ପଡ଼ିଆର ବିକାଶ କରାଗଲେ, ଏଭଳି ସମସ୍ୟା ରହନ୍ତା ନାହିଁ।