୩୦୧ ଇନ୍‌ସପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟା, ଭୁବନେଶ୍ବରରୁ ୫

Advertisment
୩୦୧ ଇନ୍‌ସପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟା, ଭୁବନେଶ୍ବରରୁ ୫

ଭୁବନେଶ୍ବର: ୩୦୧ ପୁଲିସ ଇନ୍‌ସ୍‌ପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ମିଳିଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ତାଲିକାରେ ଭୁବନେଶ୍ବର‌ରୁ ୫ ଜଣ ଇନ୍‌ସ୍‌ପେକ୍ଟର ଅଛନ୍ତି। ସେମାନେ ହେଉଛନ୍ତି ଖାରବେଳ ନଗର ଥାନା ଇନ୍‌ସ୍‌ପେକ୍ଟର ଅରୁଣ କୁମାର ସ୍ବାଇଁ, ଲକ୍ଷ୍ମୀସାଗର ଥାନା ଇନ୍‌ସ୍‌ପେକ୍ଟର ଭରତ ସାହୁ, ନୂଆପଲ୍ଲୀ ଥାନା ଇନ୍‌ସ୍‌ପେକ୍ଟର ଶରତ ସାହୁ, ଏୟାରଫିଲ୍ଡ ଥାନା ଇନ୍‌ସ୍‌ପେକ୍ଟର ଦୀପକ ମିଶ୍ର ଓ କ୍ୟାପିଟାଲ ଥାନା ଇନ୍‌ସ୍‌ପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀ। ଏମାନଙ୍କୁ ଖୁବ୍‌ଶୀଘ୍ର ଡିଏସ୍‌ପି ପାହ୍ୟାରେ ନିଯୁକ୍ତି ମିଳିବ। ଏଥିପାଇଁ ପୁଲିସ ଡିଜି ବିଜ୍ଞପ୍ତି ପ୍ରକାଶ କରିବେ। ‌ତେବେ ଯଥେଷ୍ଟ ପରିମାଣରେ ଇନ୍‌ସ୍‌ପେକ୍ଟର ନ ଥିବାରୁ ଏହି ନିଯୁକ୍ତି ବିଳମ୍ବ ହେବ। ଏସ୍‌ଆଇଙ୍କର ପଦୋନ୍ନତି ତାଲିକା ପ୍ରକାଶ ପରେ ଏହି ଡିଏସ୍‌ପିମାନଙ୍କୁ ନୂଆ ପଦରେ ନିଯୁକ୍ତି ମିଳିବ ବୋଲି କୁହାଯାଉଛି।

ଏହି ତାଲିକା ପ୍ରକାଶ ପରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଡିଏସ୍‌ପି ପାହ୍ୟାକୁ ଯାଇଥିବା ବେଳେ ତାଙ୍କ ସମସାମୟିକ ସହିଦନଗର ଥାନା ଇନ୍‌ସ୍‌ପେକ୍ଟର ହିମାଂଶୁ ସ୍ବାଇଁଙ୍କୁ ପଦୋନ୍ନତି ମିଳିନାହିଁ। ଯଦି କମିସନରେଟ୍‌ ପୁଲିସର ଜୋନ୍‌-୧ ଡିସିପି ଭାବରେ ଶ୍ରୀ ଚକ୍ରବର୍ତ୍ତୀଙ୍କୁ ନିଯୁକ୍ତି ମିଳେ ତେବେ ହିମାଂଶୁ ତାଙ୍କ ଅଧୀନ‌ରେ କାମ କରିବେ, ଫଳରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହେବ ବୋଲି ପୁଲିସ ମହଲରେ ଆଲୋଚନା ହେଉଛି। ପୂର୍ବରୁ ଶ୍ରୀ ଚକ୍ରବର୍ତ୍ତୀଙ୍କର କ୍ୟାପିଟାଲ ଥାନାରୁ ଲକ୍ଷ୍ମୀସାଗର ଥାନାକୁ ବଦଳି ହୋଇଥିଲା। ଏହି ତାଲିକାରେ ୧୭ରୁ ଊର୍ଦ୍ଧ୍ବ ଇନ୍‌ସ୍‌ପେକ୍ଟର ରହିଥିଲେ। ହେଲେ ୨୪ ଘଣ୍ଟା ମଧ୍ୟରେ କେବଳ ଗିରିଜାଙ୍କର ବଦଳି ଆଦେଶ ବାତିଲ ହୋଇଥିଲା। ସେ ଲକ୍ଷ୍ମୀସାଗର ଥାନା ନ ଯାଇ କ୍ୟାପିଟାଲ ଥାନାରେ ଇନ୍‌ସ୍‌ପେକ୍ଟର ଭାବରେ କାମ କରୁଛନ୍ତି। ଉପର ମହଲରେ ଭଲ ହାତ ଥିବାରୁ ସେ ଏହି ଜୋନ୍‌-୧ରେ ଏସିପି ଭାବରେ କାମ କରିବାକୁ ଆଖି ପକାଇଥିବା ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe