ସ୍ୱାଧୀନତା ସଂଗ୍ରାମୀ ଇତିହାସର ଚଳନ୍ତି କିମ୍ବଦନ୍ତୀ

Advertisment

୩୧ତମ ସ୍ୱାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ

୩୧ତମ ସ୍ୱାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ

ସ୍ୱାଧୀନତା ସଂଗ୍ରାମୀ ଇତିହାସର ଚଳନ୍ତି କିମ୍ବଦନ୍ତୀ

ଭୁବନେଶ୍ୱର: ବିଶ୍ୱ ଇତିହାସରେ ଭାରତୀ ସ୍ୱାଧୀନତା ସଂଗ୍ରାମ ସ୍ୱତନ୍ତ୍ର। ଏହି ସଂଗ୍ରାମ ବିଶ୍ୱବ୍ୟାପୀ ଲୋକଙ୍କୁ ଅହିଂସା ମାର୍ଗରେ ଯିବାକୁ ପ୍ରବର୍ତାଇଥିଲା। ସ୍ୱାଧୀନତା ସଂଗ୍ରାମୀମାନେ ହେଉଛନ୍ତି ଆମ ମହାନ ଇତିହାସର ଚଳନ୍ତି କିମ୍ବଦନ୍ତୀ। ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଉଛନ୍ତି। ଗତବର୍ଷ ଅପ୍ରେଲରୁ ସ୍ୱାଧୀନତା ସଂଗ୍ରାମୀଙ୍କର ପେନସନର ପୁନଃ ସମୀକ୍ଷା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଅନୁଷ୍ଠିତ ୩୧ତମ ସ୍ୱାଧୀନତା ସଂଗ୍ରାମୀ ଦିବସ ମହୋତ୍ସବରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆର.ଏନ୍‌ ମାଥଡ଼ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ଆଜି ହେଉଛି ମହାନ ସ୍ୱାଧୀନତା ସଂଗ୍ରାମୀ ହରେକୃଷ୍ଣ ମହତବାଙ୍କ ଶ୍ରାଦ୍ଧ ଦିବସ। ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ଓଡ଼ିଶାର ସାମାଜିକ, ଆର୍ଥିକ ଓ ସାହିତ୍ୟ କ୍ଷେତ୍ରରେ ଅନେକ ପରିବର୍ତନ ଆଣିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଲେ, ସ୍ୱର୍ଗତଃ ମହତାବ ଓଡ଼ିଶାରେ ବିକାଶର ଧାରାକୁ ଆରମ୍ଭ କରିଥିଲେ। ୨୬ ଗଡ଼ଜାତର ମିଶ୍ରଣରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦୀର୍ଘ ୪୦ବର୍ଷ ଧରି ରାଜନୈତିକ, ପ୍ରଶାସନିକ, ସାହିତ୍ୟ, ସାମାଜିକ ଜୀବନକୁ ଅଚ୍ଛାଦିତ କରି ରଖିଥିଲେ। ସାରା ଦେଶ ଚମ୍ପାରଣ ସତ୍ୟାଗ୍ରହ ଓ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତି ପାଳନ କରୁଛି। ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ଅନୁଷ୍ଠିତ ହୋଇଥିଲା। ସିପାହୀ ବିଦ୍ରୋହ ସିପାହୀମାନଙ୍କ ଦ୍ୱାରା ହୋଇଥିବା ବେଳେ ପାଇକ ବିଦ୍ରୋହ ଲୋକମାନଙ୍କ ଦ୍ୱାରା ସଂଘଟିିତ ହୋଇଥିଲା। ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ଏହାକୁ ଅନ୍ୟତମ ସ୍ୱାଧୀନତା ସଂଗ୍ରାମ ବୋଲି ସ୍ୱୀକୃତି ଦେଇଛନ୍ତି। ଏହା ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପାଇଲେ ଦୀର୍ଘ ଦିନର ଦାବି ପୂରଣ ହେବ ବୋଲି ଶ୍ରୀ ହରିଚନନ୍ଦନ ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ସ୍ମରଣିକାର ଉନ୍ମୋଚନ କରିବା ସହିତ ଶାନ୍ତନୁ ଦାସଙ୍କ ଦ୍ୱାରା ‘ଦି ଇନ୍‌ଭିନ୍ସିବୁଲ’ ଓ େଓ୍ଵବସାଇଟର ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ସ୍ୱର୍ଗତଃ ହରେକୃଷ୍ଣ ମହତାବଙ୍କ ଜୀବନୀ ସମ୍ବଳିତ ଫଟୋଚିତ୍ର ପ୍ରଦର୍ଶନୀକୁ ମଧ୍ୟ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସାଂସଦ ଭର୍ତ୍ତୃହରି ମହତାବ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe