୩ୟ ଅଜୟ ଉତ୍ସବ-୨୦୨୨: ‘ଶ୍ରୁତି ସାହିତ୍ୟ ଆମ ଭବିଷ୍ୟତ’

Advertisment
୩ୟ ଅଜୟ ଉତ୍ସବ-୨୦୨୨: ‘ଶ୍ରୁତି ସାହିତ୍ୟ ଆମ ଭବିଷ୍ୟତ’

ଭୁବନେଶ୍ବର: ବର୍ତ୍ତମାନ ପିଢ଼ିକୁ ଆମେ ଇଂରାଜୀ ପଢ଼ାଇବା ପାଇଁ ବ୍ୟାକୁଳ। ତେଣୁ ଭବିଷ୍ୟତରେ ସେମାନେ ଓଡ଼ିଆ ବୁଝିପାରିବେ, ହେଲେ ପଢ଼ି ପାରିବେନି। ସେତେବେଳେ ମାତୃଭାଷା ଜାଣିବା ପାଇଁ ନିଶ୍ଚିତ ତାଙ୍କର ଇଚ୍ଛା ହେବ। ସେହି ଇଚ୍ଛାକୁ ପୂରଣ କରିବା ପାଇଁ ଆମକୁ ‘ଶ୍ରୁତି ସାହିତ୍ୟ’ର ସଂରଚନା କରିବାକୁ ହେବ। ଗୀତଗୋବିନ୍ଦ ସଦନରେ ଆୟୋଜିତ ‘୩ୟ ଅଜୟ ଉତ୍ସବ ୨୦୨୨’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ତଥା ସାଂସଦ ପ୍ରଶାନ୍ତ ନନ୍ଦ ଆଜି ସାହିତ୍ୟିକମାନଙ୍କୁ ଏପରି ଆହ୍ବାନ ଦେଇଛନ୍ତି।

ମୋନାଲିସାଙ୍କୁ ‘ସାହିତ୍ୟ ସମ୍ମାନ’, ତପନଙ୍କୁ ‘ନବୀନ ସାହିତ୍ୟ ସମ୍ମାନ’ ଓ ଶୁଭଶ୍ରୀଙ୍କୁ ‘ବିଶେଷ ବିଚାରକ ସମ୍ମାନ’

ସାବିତ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଅଧ୍ୟାପକ ବିଶ୍ବରଂଜନ କହିଲେ, ଗଳ୍ପ ସାହିତ୍ୟରେ ଡେଙ୍ଗା ଗଛ ହେଉଛି ଅଜୟ। ସେ ଆକାଶକୁ ଚାହିଁ ଶାଖା ପ୍ରଶାଖା ମେଲାଇ ବଢ଼ି ଚାଲିଛି। ଯେଉଁ ପକ୍ଷୀମାନେ ସେ ଗଛର ଡାଳରେ ବସିଛନ୍ତି, ତାକୁ ନେଇ ସେ ଲେଖନୀ ଚାଳନା କରୁଛନ୍ତି। ଅନ୍ୟତମ ଅତିଥି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଲେ, ଶ୍ରୁତି ସାହିତ୍ୟ ମାଧ୍ୟମରେ ବର୍ତ୍ତମାନ ସମୟରେ ସାହିତ୍ୟକୁ ମାତ୍ରାଧିକ ପରିବ୍ୟାପ୍ତ କରାଯାଇପାରିବ। ପୂର୍ବରୁ ଆମେ ଗୀତା, ଭାଗବତ, ବେଦ, ପୁରାଣ ଆଦି ଶୁଣି ଶୁଣି ମନେ ରଖୁଥିଲେ। ପଢ଼ିବା ଅପେକ୍ଷା ଶୁଣିବାରେ ଆମେ ଯଥେଷ୍ଟ ଅଧିକ ମାହର୍ଘ୍ୟ ପାଇଥାଉ। ଅଜୟ ସ୍ବାଇଁ ଶ୍ରୁତି ସାହିତ୍ୟରେ ମଧ୍ୟ ବେଶ୍‌ ଆଗରେ ଅଛନ୍ତି।

ଏହି ଅବସରରେ ଗାଳ୍ପିକ ମୋନାଲିସା ମିଶ୍ରଙ୍କୁ ‘ସାହିତ୍ୟ ସମ୍ମାନ’, କବି ତପନ ବାରିକଙ୍କୁ ‘ନବୀନ ସାହିତ୍ୟ ସମ୍ମାନ’ ଓ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କାଙ୍କୁ ‘ବିଶେଷ ବିଚାରକ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଶ୍ରୀମତୀ ଲେଙ୍କାଙ୍କ ଅନୁପସ୍ଥିତିରେ ତାଙ୍କ ଝିଅ ଏହି ପୁରସ୍କାର ଗ୍ରହଣ କରିଥିଲେ। ପ୍ରାରମ୍ଭରେ କଣ୍ଠଶିଳ୍ପୀ ଶରତ ନାୟକ ‘ଜୀବନ ପାତ୍ର ‌ ମୋ... ସଂଗୀତ ଗାନ କରିଥିଲେ। ଏଥିସହ ସଂଜୟ ଭଟ୍ଟଙ୍କ ଦ୍ବାରା ପ୍ରସ୍ତୁତ ଓ ନିର୍ଦ୍ଦେଶିତ ଅଜୟ ସ୍ବାଇଁଙ୍କ ଜୀବନ ଉପରେ ଆଧାରିତ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା।

ଏହାକୁ ପ୍ରସନ୍ନ ପୃଷ୍ଟି ପ୍ରଯୋଜନା କରିଥିଲେ। ଏହି ଅବସରରେ ଅଜୟ ସ୍ବାଇଁଙ୍କ ଚାରିଟି ପୁସ୍ତକ ‘ଦୁଃଖ ଦୋହା’, ‘ଓଡ଼ିଆ ନାଟକର ଜାତୀୟତାବାଦ’, ‘ବୋଉର ଗୀତ ଖାତା’, ‘ଗୋଧୂଳିର ଗନ୍ଧର୍ବ’ ଓ ଗାଳ୍ପିକ ମୋନାଲିସା ମିଶ୍ରଙ୍କର ‘ଭିତର ପୃଥିବୀ’ ଉନ୍ମୋଚିତ ହୋଇଥିଲା। ପକ୍ଷୀଘର ପ୍ରକାଶକ ବନୋଜ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ଅକ୍ଷୟ ସ୍ବାଇଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କବି ଅଶୋକ ପୁହାଣ ସଭାପତିତ୍ବ କରିଥିଲେ। ପରେ ଅଜୟ ସ୍ବାଇଁଙ୍କ ଲିଖିତ ‘କ‌ଣ୍ଢେଇ ଗପ’କୁ ଉତ୍ତର ପୁରୁଷର କଳାକାରମାନେ ବେଶ୍‌ ନିଖୁଣ ଭାବେ ମଞ୍ଚସ୍ଥ କରିଥିଲେ। ପ୍ରିୟରଂଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe