ଭୁବନେଶ୍ବର: ଉନ୍ନତ ଶିକ୍ଷାର ଅଧିକାରୀ ହୋଇଥିବା ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ନିଜକୁ ମାନବ କଲ୍ୟାଣରେ ବିନିଯୋଗ କରିପାରନ୍ତି। ଉନ୍ନତ ଶିକ୍ଷା ହିଁ ଯୁବପିଢ଼ିଙ୍କୁ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରିବାକୁ ବାଟ ଦେଖାଏ। ଆଜି ସିଭି ରମଣ ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏଭଳି କହିଛନ୍ତି। ସିଭି ରମଣ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେବା ଛଳରେ ରାଜ୍ୟପାଳ ପ୍ରଫେସର ଲାଲ୍ କହିଥିଲେ ଦେଶର ଉନ୍ନତ ଯୁବପିଢ଼ି ଗଠନର ମୂଳ ଭିତ୍ତି ହେଉଛି ଉନ୍ନତମାନର ଶିକ୍ଷା।
ତେଣୁ ସବୁ ଶିକ୍ଷାନୁଷ୍ଠାନ ଏହାକୁ ଗୁରୁତ୍ବ ଦେବା ଉଚିତ। ଏହି ଅବସରରେ ସେ ବିଶ୍ବବିଦ୍ୟାଳୟର ୮୩୨ଜଣଙ୍କୁ ବିଭିନ୍ନ ଡିଗ୍ରି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ କୁଳପତି ବିଏସ୍ ସତ୍ୟନାରାୟଣ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ସଭାପତି ସଂଜୀବ କୁମାର ରାଉତ ଛାତ୍ରଛାତ୍ରୀଙ୍କ କୃତିତ୍ବ, ୱାର୍ଲ୍ଡ ସ୍କିଲ୍ ଓ ସ୍ମାର୍ଟ ଇଣ୍ଡିଆ ହାକାଥାନ୍ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ରେଜିଷ୍ଟ୍ରାର ବିନିତା ପଣ୍ଡା ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବବିଦ୍ୟାଳୟର ବୋର୍ଡ ମେମ୍ବର ଶରତ ଚନ୍ଦ୍ର ଭଦ୍ରା, ଶୈଳଜା ରାଉତ, ପ୍ରଫେସର ସୁନୀଲ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।
Follow Us