କୁଆଖାଇରେ ୩ ମାସରେ ୪ ଶବ, ଅପମୃତ୍ୟୁରେ ଅଟକିଛି ତଦନ୍ତ

Advertisment
କୁଆଖାଇରେ ୩ ମାସରେ ୪ ଶବ, ଅପମୃତ୍ୟୁରେ ଅଟକିଛି ତଦନ୍ତ

ଚନ୍ଦ୍ରଶେଖରପୁର : କୁଆଖାଇ ନଦୀ ପଠା ପାଲଟିଛି ମୃତଦେହର ଠିକଣା। ଗତ ତିନି ମାସରେ ଏହି ନଦୀର ବରିମୁଣ୍ଡ ବାଲିଯାତ୍ରା ପଠାରୁ ହଂସପାଳ ବ୍ରିଜ୍ ଭିତରେ ୪ଟି ମୃତଦେହ ଜବତ କରାଗଲାଣି। ଗୋଟିଏ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି, କିନ୍ତୁ ପୁଲିସ ନା ମୃତକର ପରିଚୟ ପାଇଛି ନା ହତ୍ୟାକାରୀଙ୍କ ଟେର୍‌ ପାଇଛି। ଅନ୍ୟ ୩ଟି ମାମଲା ଅପମୃତ୍ୟୁ ବୋଲି ତଦନ୍ତରେ ଅଟକିଛି। ନିକଟରେ ଜବତ ହୋଇଥିବା ମୃତଦେହଟି ଜଣେ ଅଟୋଚାଳକଙ୍କର ବୋଲି ଜଣାପଡ଼ିଛି। ଯୁବକଙ୍କ ପରିବାର ଲୋକେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଦାବି କରୁଥିବା ବେଳେ ପୁଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିବା ସହ ଅପମୃତ୍ୟୁ ମାମଲା କରି ଚୁପ୍ ବସିଛି।

ଗତ ଜୁଲାଇ ୨୨ରେ ବାଲିଯାତ୍ରା ପଡ଼ିଆ ବାଲି ଭିତରୁ ଏକ ଦରପୋଡ଼ା ମୃତଦେହ ଜବତ କରାଯାଇଥିଲା। ମୃତକଙ୍କ ପରିଚୟ ମଳିପାରିନଥିଲା। କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ପରେ ଦରପୋଡ଼ା କରି ବାଲିରେ ପୋତି ଦେଇଥିଲା। ବର୍ଷାରେ ବାଲି ଧୋଇଯିବାରୁ ମୃତଦେହ ଦେଖାଯାଇଥିଲା। ପୁଲିସ ସେତେବେଳେ ଥ୍ରୀ-ଡି ସ୍କାନ୍‌ କ୍ୟାମେରା ଦ୍ବାରା ତଦନ୍ତ କରିଥିଲା। କିନ୍ତୁ ସବୁ ଉଦ୍ୟମ ପରେ ବି ମୃତକଙ୍କ ପରିଚୟ ମିଳିନଥିଲା। ତେଣୁ ସ୍ବାଭାବିକ ଭାବେ ହତ୍ୟାକାରୀଙ୍କ ବାବଦରେ ବି କିଛି ସୁରାକ୍‌ ମିଳିଲା ନାହିଁ। ଉକ୍ତ ହତ୍ୟାକାଣ୍ଡ ମାମଲା ଏବେ ବି ସେମିତି ଅସମାହିତ ହୋଇରହିଛି। ଏହି ମାମଲାର ଠିକ୍ ୨୦ ଦିନ ପରେ ପାଖାପାଖି ଆଉ ଏକ ବାଲିପଠାରୁ ଜଣେ ନାବାଳକର ମୃତଦେହ ଜବତ କରାଯାଇଥିଲା। ନାବାଳକର ପରିଚୟ ମିଳିଲା ନାହିଁ ଓ ବନ୍ୟା ପାଣିରେ କୁଆଡ଼ୁ ଭାସିଆସିଛି ବୋଲି ଉକ୍ତ ମାମଲା ବି ଅପମୃତ୍ୟୁରେ ଅଟକି ରହିଲା। ଗତ ମାସରେ ମଞ୍ଚେଶ୍ବର ଖେଳପଡ଼ିଆ ନିକଟରେ ଏକ ନବଜାତ ଶିଶୁର ମୃତଦେହ ମିଳିଥିଲା। କେହି ଅବୈଧ ସନ୍ତାନକୁ ନଦୀପଠା‌ରେ ଫିଙ୍ଗି ଦେଇଥିବା କହି ପୁଲିସ ତାହାକୁ ବି ଅପମୃତ୍ୟୁ ମାମଲାରେ ରଖିଲା।

ଗତ ୧୬ ତାରିଖରେ ହଂସପାଳ ବ୍ରିଜ୍ ନିକଟରୁ ମିଳିଥିଲା ସୁରେଶ ଆଡ଼କ(୨୯)ଙ୍କ ମୃତଦେହ। ନହରକଣ୍ଟାରେ ଭଡ଼ାରେ ରହୁଥିବା ବାଲେଶ୍ବର ଅଞ୍ଚଳର ସୁରେଶଙ୍କୁ କେହି ହତ୍ୟା କରି ନଦୀକୁ ଫିଙ୍ଗି ଦେଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ନମଳିବା ପର୍ଯ୍ୟନ୍ତ ପୁଲିସ ହତ୍ୟା ମାମଲା ରୁଜୁ କରୁନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe