ନନ୍ଦନକାନନରେ ୪ ଶାଗୁଣା ସଂକ୍ରମିତ

ଭୁଲ ଯୋଜନା ପାଇଁ ବଂଶ ବୃଦ୍ଧି ଅଟକିଛି

ନନ୍ଦନକାନନରେ ୪ ଶାଗୁଣା ସଂକ୍ରମିତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରସ୍ଥିତ ଶାଗୁଣା ପ୍ରଜନନ କେନ୍ଦ୍ରରେ ଥିବା ୪ଟି ଧଳାବେକ ଶାଗୁଣା ସଂକ୍ରମିତ ହୋଇଛନ୍ତି। ୪୧, ୪୪, ୪୫ ଓ ୪୬ ନମ୍ବର ଶାଗୁଣାଙ୍କଠାରେ ସଂକ୍ରମଣର ଲକ୍ଷଣ ଦେଖାଯାଇଛି। ଶାଗୁଣାମାନଙ୍କ ଆଖି ପତା ଫୁଲିବା ସହ ପାଚି ଯାଉଥିବାର ଦେଖିବାକୁ ମିଳିଥିଲା। ଲକ୍ଷଣ ଦେଖିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ତୁରନ୍ତ ବିଶେଷଜ୍ଞ ଚିକିତ୍ସକଙ୍କୁ ନେଇ ଗଠିତ ବୈଷୟିକ କମିଟିର ସହାୟତା ଲୋଡ଼ିଥିଲେ। ବିଶେଷଜ୍ଞମାନେ ସଂକ୍ରମିତ ଶାଗୁଣାମାନଙ୍କୁ ଦଳରୁ ଅଲଗା କରି ରଖିବା ସହ ପ୍ରଜନନ କେନ୍ଦ୍ର ମଧ୍ୟରେ ରହିଥିବା ସମସ୍ତ ୧୦ଟି ଶାଗୁଣାଙ୍କୁ ରୋଗ ପ୍ରତିଷେଧକ ଦେଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ। ନନ୍ଦନକାନନର ଚିକିତ୍ସକମାନେ ଶାଗୁଣାମାନଙ୍କୁ ପରସ୍ପରଠାରୁ ଅଲଗା ରଖି ରୋଗ ପ୍ରତିଷେଧକ ଟିକା ଦେଇଛନ୍ତି। ଶେଷ ଖବର ମୁତାବକ, ଶାଗୁଣାମାନଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ୧୯୯୯ ମସିହା ମହାବାତ୍ୟାରେ ଓଡ଼ିଶାରୁ ଶାଗୁଣା ବଂଶ ଲୋପ ପାଇଥିଲା। ୨୦୦୬ ଡିସେମ୍ବର ୨୯ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନନ୍ଦନକାନନ ପରିସରରେ ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ। ହେଲେ ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ୧୦ ବର୍ଷ ଲାଗି ଯାଇଥିଲା। ଶେଷରେ ୨୦୧୮ ମସିହାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ୭୨ଲକ୍ଷ ଟଙ୍କା ବ୍ୟୟରେ ଶାଗୁଣା ପ୍ରଜନନ କେନ୍ଦ୍ର ନିର୍ମାଣ ସଂପୂର୍ଣ୍ଣ ହୋଇଥିଲା। ୨୦୧୮ ଡିସେମ୍ବର ୨୮ରେ ଗ୍ବାଲିୟର୍‌ରୁ ୬ହଳ ଧଳା ବେକ ଶାଗୁଣାଙ୍କୁ ନନ୍ଦନକାନନକୁ ଅଣାଯାଇଥିଲା।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୧୯ରେ ଗୋଟିଏ ଅଣ୍ଡିରା ଓ ଏହାର କିଛି ମାସ ପୂର୍ବରୁ ଗୋଟିଏ ମାଈ ଧଳାବେକ ଶାଗୁଣାର ମୃତ୍ୟୁ ହୋଇଥିଲା। ଫଳରେ ନନ୍ଦନକାନନର ଧଳା ବେକ ଶାଗୁଣା ସଂଖ୍ୟା ୧୦କୁ ହ୍ରାସ ପାଇଛି। ଉପଯୁକ୍ତ ଯୋଜନାର ଅଭାବରୁ ଶାଗୁଣା ବଂଶ ବୃଦ୍ଧି ଯୋଜନା ବାଧାପ୍ରାପ୍ତ ହେଉଥିବା ବନ୍ୟପ୍ରାଣୀପ୍ରେମୀଙ୍କ ମହଲରେ ଚର୍ଚ୍ଚା ହେଉଛି। ଆମ ଦେଶରେ ପଞ୍ଜାବର ପିଞ୍ଜରରେ ଶାଗୁଣା ପ୍ରଜନନ ସଫଳତାର ସହିତ ଚାଲିଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ସେଠାକାର ଅଧିକାରୀଙ୍କଠାରୁ ନିୟମିତ ପରାମର୍ଶ ନେଉଛନ୍ତି। ପିଞ୍ଜର ଶାଗୁଣା ପ୍ରଜନନ କ୍ଷେତ୍ରରେ ସଫଳତାର ରହସ୍ୟ ଜାଣିବା ପାଇଁ ନିକଟରେ ନନ୍ଦନକାନନର ଏକ କର୍ମଚାରୀ ଦଳକୁ ପିଞ୍ଜର ପଠାଯାଇଥିଲା। ହେଲେ, ଶାଗୁଣାମାନଙ୍କ ସେବାରେ ନିୟୋଜିତ କର୍ମଚାରୀଙ୍କୁ ପିଞ୍ଜର ନ ପଠାଇ ଅନ୍ୟ କର୍ମଚାରୀମାନଙ୍କୁ ପଠା ଯାଇଥିଲା। ଏହା ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଥିଲା ବୋଲି ଆଲୋଚନା ହେଉଛି। ପିଞ୍ଜରରୁ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ର୍କଚାରୀମାନେ ଶାଗୁଣାମାନଙ୍କ ସେବା ଦାୟିତ୍ବରେ ନଥିବାରୁ ବଂଶବୃଦ୍ଧି ଯୋଜନାରେ ଅଗ୍ରଗତି ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe