ଭୁବନେଶ୍ବର: ଦୁଇ ମାସ ଧରି ଦୁବାଇରେ ଫସି ରହିଥିବା ଯାଜପୁର ଅଞ୍ଚଳର ୪ ଯୁବକଙ୍କୁ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସୋମବାର ରାତି ପ୍ରାୟ ୨ଟା ୧୫ରେ ୪ ଯୁବକ କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ଟ୍ରେନ୍ ଯୋଗେ ଭୁବନେଶ୍ବର ଆସିଥିଲେ। ଭୁବନେଶ୍ବରରେ ପହଞ୍ଚିବା ପରେ ‘ଓଡ଼ିଶା ମୋ ପରିବାର’ ଅଫିସ୍ରେ ଆବାହକ ଅରୂପ ପଟ୍ଟନାୟକ, ସହ ଆବାହକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ, ବରିଷ୍ଠ ପ୍ରଶାସକ ରବୀନ୍ଦ୍ର ସେଠୀ, ଓଡ଼ିଶା ମୋ ପରିବାର ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଯାଜପୁର ଜିଲ୍ଲା ନାଥପୁର ଗ୍ରାମର ଦୁଇ ଭାଇ ଅଶୋକ କୁମାର ଜେନା ଓ ସୁଭାଷ କୁମାର ଜେନା ବିଭିନ୍ନ ସମୟରେ ଯୁବକମାନଙ୍କୁ ଚାକିରି ପ୍ରଲୋଭନ ଦେଖାଇ ନିୟମିତ ଦୁବାଇକୁ ନେଉଥିଲେ। ଏମାନଙ୍କ ପ୍ରଲୋଭନରେ ପଡ଼ି ଯାଜପୁର ଜିଲ୍ଲାର କୋଲନାଗିରି ଗ୍ରାମର ଦୀପକ ସେଠୀ, ସଂଜୟ ଜେନା, ବିଜୟ ସାହୁ ଓ ଅରେଇକଣା ଗ୍ରାମର ଚିରଞ୍ଜୀବୀ ଜେନା ଦୁବାଇକୁ ଯାଇଥିଲେ। ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯିବା ସହ ନ୍ୟାୟିକ ମାମଲାରେ ଫସି ରହିଥିଲେ। ଏ ସଂପର୍କରେ ସାମ୍ବାଦିକ ତପନ ଭଂଜ ଖବର ପାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଇଥିଲେ। ପରେ ଓଡ଼ିଶା ମୋ ପରିବାର ଓ ଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ଆବାସିକ କମିସନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଉଦ୍ଧାର କାର୍ଯ୍ୟରେ ଆବାସିକ କମିସନର୍ ରବିକାନ୍ତ ଓ ଓଡ଼ିଶା ମୋ ପରିବାରର ଆଇନ ପରାମର୍ଶଦାତା ଅବନୀକାନ୍ତ ସାହୁ ପ୍ରମୁଖ ଭୂମିକା ନେଇଥିଲେ।
Follow Us