ଏସିପି ହେବେ ୪ ଥାନାଧିକାରୀ: ପୁଣି ଆଇଆଇସି ସ୍ତରରେ ହେବ ଅଦଳବଦଳ

Advertisment

ବାରମ୍ବାର ବଦଳି, ପ୍ରଭାବିତ ହେଉଛି ତଦନ୍ତ

ବାରମ୍ବାର ବଦଳି, ପ୍ରଭାବିତ ହେଉଛି ତଦନ୍ତ

ଲୁଟେରାଙ୍କୁ ସୁରକ୍ଷା ଦେଉଛି କମିସନରେଟ ପୁଲିସ! ଲୁଟ୍‌ ମାମଲାରେ ଲଗାଉଛି ଚୋରି ଦଫା

ଭୁବନେଶ୍ବର: ଭୁବନେଶ୍ବରର ଚାରି ଥାନା ଦାୟିତ୍ବରେ ଥିବା ୪ ଜଣ ବରିଷ୍ଠ ଇନ୍‌ସ୍ପେକ୍ଟରଙ୍କୁ ପଦୋନ୍ନତି ମିଳିବ। ଚଳିତ ମାସ ଶେଷ ସୁଦ୍ଧା ଏହି ତାଲିକା ପ୍ରକାଶ ପାଇବ। ନୂଆପଲ୍ଲୀ ଥାନା ଆଇଆଇସି ଶରତ ସାହୁ, ଖାରବେଳନଗର ଥାନା ଆଇଆଇସି ଅରୁଣ କୁମାର ସ୍ବାଇଁ, ଲକ୍ଷ୍ମୀସାଗର ଥାନା ଆଇଆଇସି ଭରତ ସାହୁ ଓ କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଏସିପି ରୢାଙ୍କକୁ ପଦୋନ୍ନତି ପାଇବେ ବୋଲି ସୂଚନା ମିଳିଛି। ତେଣୁ ଏହି ପ୍ରମୁଖ ୪ ଥାନାରେ ୪ ବରିଷ୍ଠ ଇନ୍‌ସ୍ପେକ୍ଟରଙ୍କୁ ଦାୟିତ୍ବ ଦିଆଯିବ। ଫଳରେ କମିସନରେଟ୍‌ ପୁଲିସରେ ପୁଣି ଏକ ବଡ଼ଧରଣର ଅଦଳବଦଳ ହେବା ସ୍ପଷ୍ଟ ହୋଇଛି। ଗତବର୍ଷ ଦୁଇ ଦୁଇ ଥର ଏଭଳି ଅଦଳବଦଳ ହୋଇଥିବା ବେଳେ ମାତ୍ର ମାସ କେଇଟା ପରେ ଚଳିତ ବର୍ଷ ଆରମ୍ଭରୁ ପୁଣି ଏହି ଧାରା ଜାରି ରହିବ ବୋଲି ଜଣାପଡ଼ିଲାଣି। ଫଳରେ ବହୁ ମାମଲା ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ଆଲୋଚନା ହେଉଛି।

ଗତ ବର୍ଷ ଜୁନ୍‌ରେ କମିସନ‌୍‌ରେଟ୍‌ ପୁଲିସ ୧୯ ଇନ୍‌ସ୍ପେକ୍ଟର ଓ ସବ୍‌ ଇନ୍‌ସ୍ପେକ୍ଟରଙ୍କର ବଦଳି ହୋଇଥିଲା। ଏଥିରେ ବଡ଼ଗଡ଼ ଥାନା ଆଇଆଇସି ଦିଲ୍ଲୀପ କୁମାର ସ୍ୱାଇଁ, ଧଉଳି ଥାନା ଆଇଆଇସି ଜୟଦେବ ବିଶ୍ୱଜିତ ଓ ଏୟାରଫିଲ୍ଡ ଥାନାଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ ଥିଲେ। ମାତ୍ର ଠିକ୍‌ ଦୁଇ ମାସ ପରେ ପୁଣି ୧୭ଜଣ ଇନ୍‌ସ୍ପେକ୍ଟର ଓ ୬ ଜଣ ଏସ୍‌ଆଇଙ୍କୁ ଅଦଳବଦଳ କରାଯାଇଥିଲା। ଏହି ଅଦଳବଦଳକୁ ମାତ୍ର ୪ ମାସ ପୂରିଥିବା ବେଳେ ଆଉ ଏକ ବଦଳି ତାଲିକା ପ୍ରସ୍ତୁତ ହେଉଛି। ଚଳିତ ମାସ ଶେଷ ସୁଦ୍ଧା ଭୁବନେଶ୍ବର କମିସନରେଟ୍‌ ପୁଲିସର ୪ଜଣ ଇନ୍‌ସ୍ପେକ୍ଟରଙ୍କର ପଦୋନ୍ନତି ହେବାକୁ ଥିବାରୁ ୪ଟି ଥାନା ଖାଲି ପଡ଼ିବାକୁ ଯାଉଛି। ଏଣୁ ପୁଣି ଅଦଳବଦଳ ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସଙ୍ଗିନ ଅଭିଯୋଗରେ ଆଇଆଇସି ଯତୀନ୍ଦ୍ର ନାଥ ସେଠୀଙ୍କର ରାତିଅଧିଆ ବଦଳି ହେବା ପରେ ମଞ୍ଚେଶ୍ବର ଥାନା ଇନ୍‌ସ୍ପେକ୍ଟର ପଦ ଖାଲି ପଡ଼ିଛି। ନାବାଳିକା ଗଣଦୁଷ୍କର୍ମ ମାମଲା ତଦନ୍ତରେ ଅବହେଳା କରିଥିବା ଅଭିଯୋଗ‌ରେ ଇନ୍‌ଫୋସିଟି ଥାନା ଇନ୍‌ସ୍ପେକ୍ଟରଙ୍କର ହଠାତ୍‌ ବଦଳି ହେବା ପରେ ଥାନାର ଏହି ପଦବି ଖାଲି ପଡ଼ିଛି। ଜଣେ ଇନ୍‌ସ୍ପେକ୍ଟର ଉଭୟ ନନ୍ଦନକାନନ ଓ ଇନ୍‌ଫୋସିଟି ଥାନା ସମ୍ଭାଳୁଛନ୍ତି। ଗତ ଅଗଷ୍ଟରେ ହୋଇଥିବା ଅଦଳବଦଳରେ ମଞ୍ଚେଶ୍ୱର, ମହିଳା ଥାନା, ବାଲିଅନ୍ତା, ବାଲିପାଟଣା, ଜଟଣୀ ଓ ଚନ୍ଦକା ଇନ୍‌ସ୍ପେକ୍ଟରଙ୍କ ବଦଳି ହୋଇନଥିଲା। ତେଣୁ ଆସନ୍ତା ଅଦଳବଦଳ ତାଲିକାରେ ଏମାନଙ୍କୁ ସାମିଲ୍ କରାଯିବା ସମ୍ଭାବନା ରହିଛି। ଏମିତି ହିସାବକୁ ଦେଖିଲେ ଅର୍ଦ୍ଧାଧିକ ଥାନାର ମୁଖିଆ ବଦଳିବା‌ ଥୟ।

କିନ୍ତୁ ଏଭଳି ବାରମ୍ବାର ବଦଳି ଅନେକ ବଡ଼ ବଡ଼ ମାମଲାର ତଦନ୍ତକୁ ପ୍ରଭାବିତ କରୁଛି ବୋଲି ବୁଦ୍ଧିଜୀବୀ ମହଲରୁ ଅଭିଯୋଗ ହେଉଛି। ଏବେ କମିସନରେଟ୍‌ ପୁଲିସ ଅଧୀନରେ ଥିବା ବିଭିନ୍ନ ଥାନାରେ ୫ ହଜାରରୁ ଊର୍ଦ୍ଧ୍ବ ମାମଲା ଗଡ଼ୁଛି। ସମୟସୀମା ଗଡ଼ି ଯାଉଥିଲେ ମଧ୍ୟ ଚାର୍ଜସିଟ୍‌ ଦାଖଲ ହୋଇପାରୁନାହିଁ। ଫଳରେ ଅଭ୍ୟାସଗତ ଅପରାଧୀଙ୍କୁ ଏହା ସୁହାଉଛି। ସୂଚନାଯୋଗ୍ୟ ମଞ୍ଚେଶ୍ବର ଥାନା ଅଞ୍ଚଳରେ ହୋଟେଲ ହାଇୱେ-ଇନ୍‌ ହତ୍ୟା ଘଟଣାକୁ ୩ବର୍ଷ ପୂରିଥିଲେ ମଧ୍ୟ ପୁଲିସକୁ ହତ୍ୟାକାରୀର ସନ୍ଧାନ ମିଳି ପାରି ନାହିଁ। ସେହିଭଳି ଏହି ଥାନା ଅଞ୍ଚଳରେ ଅନ୍ୟ ଏକ ମାମଲାରେ ପତ୍ନୀକୁ ହତ୍ୟା କରି ଫେରାର୍ ଥିବା ସ୍ବାମୀ ପୁଲିସ ପାଇଁ ଅପହଞ୍ଚ ହୋଇ ରହିଛି। କମିସନରେଟ୍‌ ପୁଲିସର ବିଭିନ୍ନ ଥାନାରେ ଏମିତି ନମୁନା ଅନେକ। ବାରମ୍ବାର ବଦଳି ଏଭଳି ମାମଲାର ତଦନ୍ତକୁ ପ୍ରଭାବିତ କରୁଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe