ରାଜଧାନୀରେ ଚାଞ୍ଚଲ୍ୟ: ୪ ଛାତ୍ରୀ ଗର୍ଭବତୀ, ଡିସିପିଙ୍କ ନିକଟରେ ଅଭିଯୋଗ କଲା ସିଡବ୍ଲ୍ୟସି

ରାଜଧାନୀରେ ଚାଞ୍ଚଲ୍ୟ: ୪ ଛାତ୍ରୀ ଗର୍ଭବତୀ, ଡିସିପିଙ୍କ ନିକଟରେ ଅଭିଯୋଗ କଲା ସିଡବ୍ଲ୍ୟସି

ଭୁବନେଶ୍ବର: କେଉଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ, ଖୋଦ୍‌ ରାଜଧାନୀର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଛାତ୍ରୀ ନିବାସରେ ରହୁଥିବା ୪ଜଣ ଛାତ୍ରୀ(ନାବାଳିକା) ଏବେ ଗର୍ଭବତୀ। ଏଭଳି ଘଟଣାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି। ଡିସିପିଙ୍କ ନିକଟରେ ଆଜି ଏଭଳି ଏକ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଏ ନେଇ ଖୁବ୍‌ ଶୀଘ୍ର ନୂଆପଲ୍ଲୀ ଓ ମହିଳା ଥାନାରେ ଦୁଇଟି ପୃଥକ୍‌ ପୃଥକ୍‌ ମାମଲା ରୁଜୁ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଛାତ୍ରୀ ନିବାସରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ୪ଜଣ ଛାତ୍ରୀ କେମିତି ଗର୍ଭବତୀ ହେଲେ? କିଏ ଏଭଳି କୁ-କର୍ମରେ ସଂପୃକ୍ତ, ତାକୁ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ଛାନଭିନ୍‌ ଆରମ୍ଭ ହୋଇଯାଇଛି।

ମିଳିଥିବା ସୂଚନା ମୁତାବକ, ଖୋର୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମ‌େ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ପରୀକ୍ଷଣ ଦଳ ରାଜଧାନୀର କେତେକ ଛାତ୍ରୀ ନାବାସ ଓ ଆବାସିକ ବିଦ୍ୟାଳୟର ଛାତ୍ରୀମାନଙ୍କର ‘ନିଶ୍ଚୟ ପ୍ରେଗନାନ୍ସି କିଟ୍‌’ ଯୋଗେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହି ପରୀକ୍ଷାରୁ ୨ଟି ଛାତ୍ରୀ ନିବାସର ୪ଜଣ ଛାତ୍ରୀଙ୍କ ପ୍ରେଗନାନ୍ସି ପଜିଟିଭ୍‌ ଥିବା ଜଣାଯାଇଛି। ଏହାକୁ ନିଶ୍ଚତ କରିବା ପାଇଁ ପୁଣି ଥରେ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ତେବେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ପରୀକ୍ଷଣ ଦଳର ପ୍ରାଥମିକ ରିପୋର୍ଟ ଆସିବା ପରେ ସିଡବ୍ଲ୍ୟୁସି ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ଏନେଇ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇ ଏହାର ଖୋଳତାଡ଼ କରାଯାଇଥିଲା। ଆଭ୍ୟନ୍ତରୀଣ କମିଟି ରିପୋର୍ଟ ଆସିବା ପରେ ଆଜି ସେହି କମିଟି ଡିସିପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଡିସିପି ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଛାତ୍ରୀ ନିବାସରେ ଲାଗି ଥିବା ସିସି କ୍ୟାମେରା ଯାଞ୍ଚ କରାଯାଉଛି। ସେହିପରି ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ସୁପରିନ୍‌ଟେଣ୍ଡେଣ୍ଟେ, ହଷ୍ଟେଲ ବଏ, ଆୟାଙ୍କୁ ମଧ୍ୟ ପୁଲିସ ପଚରାଉଚରା ଆରମ୍ଭ କରିଛି।

ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ଆଜି ତାଙ୍କ ନିକଟରେ ଏଭଳି ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ମହିଳା ଥାନାକୁ ତଦନ୍ତ ପାଇଁ ନି‌ର୍ଦେଶ ଦିଆଯାଇଛି। ଡିସିପି ଶ୍ରୀ ସାହୁ କହିଛନ୍ତି, ଗ୍ରୀଷ୍ମକାଳୀନ ଛୁଟିରେ ଯିବା ପୂର୍ବରୁ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଛଡ଼ା ଯାଇଥାଏ। ସେହିପରି ସେମାନେ ଫେରି ଆସିବା ପରେ ମଧ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ। କିଛି ଦିନ ତଳେ ଏଭଳି ପରୀକ୍ଷା ବେଳେ କେତେକ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି। ଏହି ଘଟଣାକୁ କମିସନରେଟ୍‌ ପୁଲିସ ମଧ୍ୟ ଗୁରୁତ୍ବର ସହ ନେଇଛି। ତଦନ୍ତକୁ ଜୋରଦାର୍‌ କରାଯିବ। ଯେଉଁମାନେ ଏଭଳି ହୀନ କାର୍ଯ୍ୟରେ ସଂପୃକ୍ତ ସେମାନଙ୍କ ବିରୋଧରେ ଆଇନଗତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି। ପ୍ରକାଥାଉକି, ବ୍ୟାପକ କଟକଣା ସତ୍ତ୍ବେ ରାଜ୍ୟର ବିଭିନ୍ନ ଛାତ୍ରୀନିବାସ ଓ ଆବାସିକ ବିଦ୍ୟାଳୟରେ ଛାତ୍ରୀମାନେ ଗର୍ଭବତୀ ହେଉଛନ୍ତି। ଛାତ୍ରୀନିବାସର ଅନ୍ତେବାସୀଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାର ଯତ୍ନବାନ ଥିଲେ ମଧ୍ୟ ରାଜଧାନୀରେ ଏଭଳି ଘଟଣା ନିଜରକୁ ଆସିବା ଛାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe