ଗାଡ଼ିରେ ବସି ଟିକା ନେଲେ ୪୦୦, ଖୁବ୍‌ ଶୀଘ୍ର ଆଉ ଦୁଇ ମଲ୍‌ରେ ଆରମ୍ଭ ହେବ

ଆଉ ତିନିଟି ସ୍ଥାନରେ ଆରମ୍ଭ ହେଲା ଡ୍ରାଇଭ୍ ଇନ୍ ଟିକା

ଭୁବନେଶ୍ବର : ଆଜିଠାରୁ ଏସ୍‌ପ୍ଲାନେଡ୍‌ ମଲ୍‌ ପାର୍କିଂସ୍ଥଳରେ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ପ୍ରଥମ କରି ନିଆରା ଢଙ୍ଗରେ ଲୋକଙ୍କୁ ଟିକା ଦେବା ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଆଜି ଏହା ସଫଳ ହୋଇଛି। ଗୋଟିଏ ମଲ୍‌ର ପାର୍କିଂ ଅଞ୍ଚଳକୁ ବ୍ୟବହାର କରି ଲୋକଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଟିକା ଦେବା ପରେ ରାଜଧାନୀର ଆଉ ଦୁଇଟି ମଲ୍‌ରେ ଏହିଭଳି ଟିକାକରଣ କରିବାକୁ ଯୋଜନା ହୋଇଛି। ବାକି ଦୁଇ ଜୋନ୍‌ର ଜୋନାଲ୍‌ ଡେପୁଟି କମିସନରମାନେ ମଲ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିବା ବେଳେ ଏହା ଆସନ୍ତା ସପ୍ତାହରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ ଜୋନାଲ ଡେପୁଟି କମିସନର ଅଂଶୁମାନ ରଥଙ୍କ କହିବାନୁଯାୟୀ, ଏସ୍‌ପ୍ଲାନେଡ୍‌ ମଲ୍‌ରେ ଆଜି ୪୦୦ ଜଣ ଲୋକ ଟିକା ନେଇଛନ୍ତି। ସମସ୍ତେ ପୂର୍ବରୁ ପଞ୍ଜୀକରଣ କରିଥିଲେ। ସେମାନେ ଧାଡ଼ିରେ ପାର୍କିଂସ୍ଥଳୀ ଭିତରକୁ ପଶିବା ପରେ ପଞ୍ଜୀକୃତ ହୋଇଥିବା ମୋବାଇଲ୍ ନମ୍ବର କହି ଟିକା ନେଇଥିଲେ। ଗାଡ଼ିରେ ବସିଥିବା ବେଳେ ସେମାନଙ୍କୁ ଟିକା ଦିଆଯାଇଥିଲା। କାହାକୁ ଗାଡ଼ିରୁ ଓହ୍ଲାଇବାକୁ ପଡ଼ି ନଥିଲା କି ଧାଡ଼ିରେ ଛିଡ଼ା ହେବାକୁ ପଡ଼ିନଥି‌ଲା। ଗାଡ଼ି ଭିତରେ ବସି ଟିକା ନେବାରୁ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରହିଥିଲା। ଯେଉଁମାନେ କାର୍‌ରେ ଆସିଥିଲେ, ସେମାନେ ଟିକା ନେବା ପୂର୍ବରୁ କି ପରେ ଗାଡ଼ିରେ ଓହ୍ଲାଇ ନଥିଲେ। କିଛି ଲୋକ ଅଟୋରେ ବି ଆସିଥିବା ଦେଖିବାକୁ ମିଳିଥିଲା। ସେହିପରି ଯେଉଁମାନେ ବାଇକ୍‌/ସ୍କୁଟିରେ ଆସିଥିଲେ, ସେମାନେ ଗାଡ଼ି ଉପରେ ବସିକି ହିଁ ଟିକା ନେଇଥିଲେ। ଟିକା ନେବା ପରେ ବିଶ୍ରାମ ନେବାକୁ ସେମାନଙ୍କ ପାଇଁ ପାର୍କିଂସ୍ଥଳୀ ବାହାରେ ଚେୟାର ପକାଯାଇଥିଲା। ଟିକାଦାନ କେନ୍ଦ୍ରରେ ସମସ୍ତଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା। ଏହି ଅଭିଯାନ ନୂଆ ହୋଇଥିଲେ ବି ବହୁତ ସଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe