ଜଟଣୀ: ଜଟଣୀ ନିର୍ବାଚନ ମଣ୍ଡଳୀରେ ଏକ ପୁରାତନ ଶିକ୍ଷାନୁଷ୍ଠାନ ଭାବେ ଜଟଣୀ ମହାବିଦ୍ୟାଳୟ ଜଣାଶୁଣା। ଏହି ମହାବିଦ୍ୟାଳୟ ୪୯ବର୍ଷରେ ପଦାର୍ପଣ କରିବାକୁ ଯାଉଛି, କିନ୍ତୁ ଏଯାଏ ଏହାର ନାମରେ ଜମି ରେକର୍ଡଭୁକ୍ତ ହୋଇ ପାରିନାହିଁ। ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନର ପ୍ରତିଶ୍ରୁତିରେ ହିଁ ସୀମିତ ରହିଛି ସମସ୍ୟାର ସମାଧାନ। ସେପଟେ ରେକର୍ଡଭୁକ୍ତ ହୋଇନଥିବାରୁ ମହାବିଦ୍ୟାଳୟର ଜମି ଜବରଦଖଲ ବଢ଼ି ଚାଲିଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ଏପରି ମାମଲାରେ ପ୍ରଶାସନ ନିରବ ରହିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଅବଶ୍ୟ ଗତବର୍ଷ ଡିସେମ୍ବର ଶେଷସୁଦ୍ଧା ମହାବିଦ୍ୟାଳୟ ନାଁରେ ଜମି ରେକର୍ଡ ହୋଇଯିବ ବୋଲି ପୂର୍ବତନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। ହେଲେ ସେ ଜିଲ୍ଲାପାଳଙ୍କ ବଦଳି ହେବାପରେ ସ୍ଥିତି ପୁଣି ପୂର୍ବକୁ ଫେରି ଯାଇଛି। ଜମି ରେକର୍ଡଭୁକ୍ତ ପାଇଁ ନୂତନ ଜିଲ୍ଲାପାଳଙ୍କୁ ମଧ୍ୟ କଲେଜ ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତାବ ଦିଆଯାଉନାହିଁ ବୋଲି ଅଭିଯୋଗ ହେଉଛି। କାରଣ କଲେଜ ଅଧ୍ୟକ୍ଷଙ୍କର କାର୍ଯ୍ୟକାଳ ଆଉ ମାତ୍ର କିଛି ମାସ ଥିବାରୁ ସେ ଆଉ ମନ ବଳାଉ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଯେ ୧୯୭୬ ମସିହାରେ ଜଟଣୀ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଗତ ୪୮ବର୍ଷ ଭିତରେ କଲେଜର ବିଭିନ୍ନ କାର୍ଯ୍ୟକ୍ରମକୁ ବଡ଼ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନର ବରିଷ୍ଠ ଅଧିକାରୀମାନେ ନିୟମିତ ଅତିଥି ହୋଇ ଆସୁଛନ୍ତି। ଆସିବାବେଳେ ସେମାନେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ ସମସ୍ୟାର ସମାଧାନ ହେଉନି। ମହାବିଦ୍ୟାଳୟ ନାମରେ ଜମି ରେକର୍ଡଭୁକ୍ତ ନହେବାରୁ ୟୁଜିସି ସହ ଅନ୍ୟାନ୍ୟ ସରକାରୀ ଅନୁଦାନ ପାଇବାରୁ ଅନୁଷ୍ଠାନଟି ବଞ୍ଚିତ ହେଉଛି। ପାଣ୍ଠି ଅଭାବରୁ ଭିତ୍ତିଭୂମି ଅତି ଦୁର୍ବଳ ହୋଇଗଲାଣି। ପୁରୁଣା ଶ୍ରେଣୀଗୃହ ସାଙ୍ଗକୁ ପରୀକ୍ଷାଗାର, ପାଠାଗାର ଓ ଖେଳପଡ଼ିଆ ଆଦିର ସ୍ଥିତି ଅତି ଖରାପ ହୋଇ ଗଲାଣି। ସେଗୁଡ଼ିକର ତୁରନ୍ତ ଉନ୍ନତୀକରଣ କରିବାର ଆବଶ୍ୟକତା ରହିଛି। ଅନ୍ୟପଟେ ମହାବିଦ୍ୟାଳୟର ଚାରିପାଖରେ ଜମି ଜବରଦଖଲ ହୋଇଯାଉଛି। ଯଦି ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ ନକରେ, ତା’ହେଲେ ଜବରଦଖଲ ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଉଛି। ସେହିପରି ୟୁଜିସି ଅନୁଦାନ ମିଳୁନଥିବାରୁ ପୁରୁଣା କଲେଜ ହେଲେ ମଧ୍ୟ ଯେତିକି ବିକଶିତ ହେବା କଥା, କଲେଜଟି ତା’ଠାରୁ ବହୁତ ପଛରେ ପଡ଼ିଛି। ତେବେ ଏନେଇ କଲେଜର ଅଧ୍ୟକ୍ଷ ରାଜୀବ ଲୋଚନ କରଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇପାରିବେ ନାହିଁ ବୋଲି କହିଥିଲେ।
Follow Us