ଦେଶାତ୍ମବୋଧ ଭରିଲା ‘ସାତ୍ ଦିୱାନେ ୧୧ ଅଗଷ୍ଟ ୧୯୪୨’

‘ପୂର୍ବରଙ୍ଗ’ର ଚତୁର୍ଥ ସଂଧ୍ୟା

ଦେଶାତ୍ମବୋଧ ଭରିଲା ‘ସାତ୍ ଦିୱାନେ ୧୧ ଅଗଷ୍ଟ ୧୯୪୨’

ଭୁବନେଶ୍ବର: ୧୯୪୨ ମସିହା ଅଗଷ୍ଟ ୧୧ ତାରିଖ। ପାଟନାରେ ବ୍ରିଟିସ୍‌ ପୁଲିସର ଗୁଳିର ଶିକାର ହୋଇ ସହିଦ ହୋଇଥିଲେ ସ୍ବାଧୀନତା ସଂଗ୍ରାମୀ। ରାମଗୋବିନ୍ଦ ସିଂ, ରମାନନ୍ଦ ସିଂ ଓ ଅନ୍ୟ ୫ଜଣ ଛାତ୍ର ସ୍କୁଲ୍ ଯିବା ବାହାନାରେ ପାଟନା ସଚିବାଳୟରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଚେଷ୍ଟା କରିଥିଲେ। ସେ ସମୟରେ ବ୍ରିଟିସ୍‌ ଅଫିସର୍‌ ଡବ୍ଲ୍ୟୁ.ଜି ଆର୍ଚର୍‌ ସେହି ନିରସ୍ତ୍ର ଛାତ୍ରମାନଙ୍କୁ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ପତାକା ଉତ୍ତୋଳନ ବେଳେ ସେମାନେ ବ୍ରିଟିସ୍‌ ଗୁଳିରେ ସହିଦ ହୋଇଗଲେ।

ହେଲେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ରାମକିଷନ୍ ସିଂ ଭାରତୀୟ ଜାତୀୟ ପତାକାକୁ ତଳେ ପଡ଼ିବାକୁ ନଦେଇ ବୀରତ୍ବର ସହ ସଚିବାଳୟ କୋଠାର ଉପର ମହଲାରେ ଉତ୍ତୋଳନ କରିଥିଲେ। ସେହି ୭ଜଣ ସହିଦଙ୍କ ସ୍ମୃତିରେ ପାଟନା ସଚିବାଳୟ ସାମ୍ନାରେ ‘ସାତ୍ ମୂର୍ତ୍ତି’ ନାମରେ ସ୍ମୃତିସ୍ତମ୍ଭ ଗଠନ କରାଯାଇଛି। ତାହା ଆଜି ବି ଭାରତ ସ୍ବାଧୀନତା ସଂଗ୍ରାମର ସେହି ସହିଦମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରୁଛି। ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ନାଟ୍ୟ ଉତ୍ସବ ‘ପୂର୍ବରଙ୍ଗ’ର ଆଜି ଚତୁର୍ଥ ସଂଧ୍ୟାରେ ଏଭଳି ଏକ ଦେଶାତ୍ମବୋଧ ନାଟକ ‘ସାତ୍ ଦିୱାନେ ୧୧ ଅଗଷ୍ଟ ୧୯୪୨’ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

ନାଟ୍ୟକାର ମିଥିଲେଶ୍ ସିଂହଙ୍କ ନିର୍ଦ୍ଦେଶିତ ଏହି ନାଟକରେ ବ୍ରିଜ୍ ବିହାରୀ ମିଶ୍ର ସଂଗୀତ ଦେଇଥିବା ବେଳେ ଦୀପକ ଆନନ୍ଦ, ଗୋବିନ୍ଦ କୁମାର, ସତ୍ୟମ୍ ଶିବମ୍ ସିଂ, ସିଦ୍ଧାନ୍ତ କୁମାର, ସୌରଭ ସିଂ, ବିନୋଦ କୁମାର, ଅଭିଷେକ ମଲ୍ଲିକ, ବିଶ୍ବଜିତ ପ୍ରତାପ ସିଂ, ରଜନୀ ଶରଣ, ଆରତୀ ସିଂ, କୁମାର ସଂଜୟକାନ୍ତ, ଉଦୟ କୁମାର ଶଙ୍କର, ରାମେଶ୍ବର କୁମାର, ଅକ୍ଷୟ କୁମାର ପ୍ରମୁଖ ଚମତ୍କାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ କଳିଙ୍ଗ ଟିଭି ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ନାଟ୍ୟକାର ନାରାୟଣ ସାହୁ, ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଓ ସଂଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ ପ୍ରମୁଖ ଯୋଗ ଦେଇଥିଲେ। ନାଟ୍ୟକାର ନିବେଦିତା ଜେନା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe