ଭୁବନେଶ୍ବର: ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ବୁଲି ଗ୍ୟାସ୍ ସିଲିଣ୍ଡର୍ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗକୁ ଠାବ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ୍। ଗ୍ୟାଙ୍ଗର ୩ ଲୁଟେରାଙ୍କୁ ଗିରଫ କରିବା ସହ ଏମାନଙ୍କଠାରୁ ଚୋରି ସିଲିଣ୍ଡର୍ କିଣୁଥିବା ୨ ବେପାରୀଙ୍କୁ ଆଜି ପୁଲିସ୍ କୋର୍ଟଚାଲାଣ କରିଛି। ସେମାନେ ହେଲେ, ବାସୁଦେବ ନାୟକ, ଭଗବାନ ବେହେରା, ମହସିନ୍ ଖାନ୍ ଏବଂ ଦୁଇ ବେପାରୀ ପବିତ୍ର ବେହେରା ଓ ବୈଲୋଚନ ସାମଲ। ଏହି ବେପାରୀଦ୍ବୟଙ୍କ ଭିଏସ୍ଏସ୍ ନଗରରେ ଗ୍ୟାସ୍ ମରାମତି ଦୋକାନ ରହିଛି। ଗତକାଲି ଲକ୍ଷ୍ମୀସାଗର ବାବର୍ଚ୍ଚି ଫାଷ୍ଟଫୁଡ୍ ଦୋକାନରୁ ମହସିନ୍ ଏକ ଗ୍ୟାସ୍ ସିଲିଣ୍ଡର୍ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ ମାଡ଼ି ବସି ଲକ୍ଷ୍ମୀସାଗର ଥାନା ଜିମା ଦେଇଥିଲେ। ପୁଲିସ୍ ତାକୁ ପଚରାଉଚରା କରି ଆଉ ୪ଜଣଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ମୋଟ ୨୨ଟି ସିଲିଣ୍ଡର୍ ଓ ଗୋଟିଏ ବାଇକ୍ ଜବତ ହୋଇଛି। ବର୍ଷେ ହେବ ଏମାନେ ନୟାପଲ୍ଲୀ, ସହିଦନଗର, ମଞ୍ଚେଶ୍ୱର, ବଡ଼ଗଡ଼ ଓ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଲୋକଙ୍କ ଘରେ ପଶି ସିଲିଣ୍ଡର ଚୋରି କରୁଥିଲେ। ଗ୍ୟାସ୍ ଡେଲିଭରି ଗାଡ଼ି ପଛରେ ଯାଇ ଏମାନେ ବିଭିନ୍ନ ଘରକୁ ଟାର୍ଗେଟ୍ କରୁଥିଲେ। ପରେ ସୁଯୋଗ ଉଣ୍ଡି ସିଲିଣ୍ଡର୍ ଟେକି ନେଉଥିଲେ।
୨୨ ସିଲିଣ୍ଡର ଜବତ, ୫ ଗିରଫ
Advertisment
Follow Us