କିଓସ୍କ ବଣ୍ଟନରେ କିନ୍ନରଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ

Advertisment
କିଓସ୍କ ବଣ୍ଟନରେ କିନ୍ନରଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ

Telegraph India

ଭୁବନେଶ୍ବର : ଉଠା ଦୋକାନୀଙ୍କ ଥଇଥାନ ପାଇଁ ବିଏମ୍‌ସି(ଭୁବନେଶ୍ବର ମହାନଗର ନିଗମ) ଆଧୁନିକ କିଓସ୍କ ନିର୍ମାଣ କରୁଛି। ଏଗୁଡ଼ିକର ବଣ୍ଟନ ପାଇଁ ସ୍ବତନ୍ତ୍ର ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି ହୋଇଛି। ପ୍ରଥମ ଥର ପାଇଁ ଏହି କିଓସ୍କ ବଣ୍ଟନରେ କିନ୍ନରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଆଧୁନିକ କିଓସ୍କ ବଣ୍ଟନରେ କିନ୍ନରଙ୍କ ପାଇଁ ୫ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଏମ୍‌ସି ନିଷ୍ପତ୍ତି ନେଇଛି। ତେବେ ଆବେଦନକାରୀ ପୂର୍ବରୁ ଷ୍ଟ୍ରିଟ୍‌ ଭେଣ୍ଡର ଲାଇସେନ୍ସ ପାଇଥିବା ବାଧ୍ୟତାମୂଳକ କରାଯାଇଛି।

ଏବେ ରାଜଧାନୀର ବିଭିନ୍ନ ଭେଣ୍ଡିଂ ଜୋନ୍‌ରେ ବିଏମ୍‌ସି ସ୍ବତନ୍ତ୍ର କିଓସ୍କ ନିର୍ମାଣ କରୁଛି। ନିର୍ମାଣ ଶେଷ ହେବା ପ‌ରେ ହିତାଧିକାରୀମାନଙ୍କୁ ବଣ୍ଟନ କରାଯିବ। ପୂର୍ବରୁ ଲା‌ଇସେନ୍‌ସପ୍ରାପ୍ତ ଉଠା ଦୋକାନୀଙ୍କୁ ପ୍ରାଥମିକତା ଦିଆଯିବ। ସମ୍ପୃକ୍ତ ଅଞ୍ଚଳ ବାହାରୁ କାହାକୁ କିଓସ୍କ ଦିଆଯିବ ନାହିଁ। ଅନେକ ସମୟରେ ଉଠା ଦୋକାନୀଙ୍କ ନାମରେ ବଡ଼ବଡ଼ିଆମାନେ ଦୋକାନ ନେଇ ଭଡ଼ା ଲଗାଉଥିବା ନଜିର ରହିଛି। ଏଣୁ ଏଥର ଆଲଟ୍‌ମେଣ୍ଟ ପରେ ଆବେଦନକାରୀ ଦୋକାନ କରିଛି କି ନାହିଁ, ତାହା ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ଷକୁ ୧ଲକ୍ଷ ୨୦ ହଜାର ଟଙ୍କାରୁ କମ୍‌ ରୋଜଗାର କରୁଥିବା ବ୍ୟକ୍ତି ହିଁ କିଓସ୍କ ପାଇଁ ଆବେଦନ କରିପାରିବେ ବୋଲି ନିୟମ କରାଯାଇଛି। ପ୍ରଥମ ଥର ପାଇଁ କିନ୍ନରଙ୍କୁ ସଂରକ୍ଷଣ ବ୍ୟବସ୍ଥା ଜରିଆରେ କିଓସ୍କ ମିଳିବାକୁ ଥିବା ବେଳେ ଦିବ୍ୟାଙ୍ଗଙ୍କ ପାଇଁ ୮ ପ୍ରତିଶତ, ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୫ ପ୍ରତିଶତ, ବିଧବା ତଥା ଅବହେଳିତ ମହିଳାଙ୍କ ପାଇଁ ୫ ପ୍ରତିଶତ, ବରିଷ୍ଠ ନାଗରିକଙ୍କ ପାଇଁ ୬ ପ୍ରତିଶତ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୮ ପ୍ରତିଶତ, ପଛୁଆବର୍ଗଙ୍କ ପାଇଁ ୧୦ ପ୍ରତିଶତ, ସଂଖ୍ୟାଲଘୁଙ୍କ ପାଇଁ ୫ ପ୍ରତିଶତ ଭଳି ଅନ୍ୟାନ୍ୟ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। ଆବେଦନକାରୀ ପୂର୍ବରୁ ବିଏମ୍‌ସି ଭେଣ୍ଡିଂ ଜୋନ୍‌ରେ ଘର ପାଇଥିଲେ, କିଓସ୍କ ପାଇବାକୁ ଯୋଗ୍ୟ ହେବେ ନାହିଁ। ଘର ନିର୍ମାଣ ସରିବା ପରେ ବିଏମ୍‌ସି ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇବ। ସ୍ବତନ୍ତ୍ର ଫର୍ମାଟ୍‌ରେ ଭେଣ୍ଡର ଲାଇସେନ୍ସଧାରୀ ଆବେଦନ କରିବେ। ସମସ୍ତ ଆବେଦନକାରୀଙ୍କ ସମ୍ମୁଖରେ ଲଟେରି ମାଧ୍ୟମରେ ହିତାଧିକାରୀ ଚୟନ କରାଯିବ ବୋଲି ବିମ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe