ରାଜଧାନୀରେ ବନ୍ଧୁକ ଆତଙ୍କ, ୩୭ ଦିନରେ ୫ ଗୁଳିକାଣ୍ଡ

Advertisment

ବନ୍ଦ ହୋଇ ଯାଇଛି ଅପରେସନ୍ ବ୍ଲାକ ସ୍ମୋକ୍ଅ, ଚିନ୍ତାରେ କ୍ୟୁଏଟି

ବନ୍ଦ ହୋଇ ଯାଇଛି ଅପରେସନ୍ ବ୍ଲାକ ସ୍ମୋକ୍ଅ, ଚିନ୍ତାରେ କ୍ୟୁଏଟି

ରାଜଧାନୀରେ ବନ୍ଧୁକ ଆତଙ୍କ, ୩୭ ଦିନରେ ୫ ଗୁଳିକାଣ୍ଡ

ଭୁବନେଶ୍ବର : ରାଜଧାନୀରେ କଥାକଥାକେ ଫୁଟୁଛି ଗୁଳି। ଚେନ୍‌ ଲୁଟେରାମାନେ  ମଧ୍ୟ ଅଣ୍ଟାରେ ମାଉଜର୍‌ ଖୋସିବା ଆରମ୍ଭ କଲେଣି। ଗତ ଏକ ମାସ ମଧ୍ୟରେ ରାଜଧାନୀରେ ୫ଟି ସ୍ଥାନରେ ଗୁଳିକାଣ୍ଡ ଘଟିବା ଏହାର ଜ୍ବଳନ୍ତ ଉଦାହରଣ। ଏପରିକି ଦୁର୍ବୃତ୍ତମାନେ ପୁଲିସ ଉପରକୁ ମଧ୍ୟ ଗୁଳି ଚଳାଇବାକୁ ପଛାଉ ନାହାନ୍ତି। ରାଜଧାନୀରେ ମାଉଜର୍‌ କାରବାରକୁ ରୋକିବାକୁ ୨୦୧୩ ମସିହାରେ କମିସନରେଟ ପୁଲିସ ପକ୍ଷରୁ ଅପରେସନ୍ ବ୍ଲାକସ୍ମୋକ ଆରମ୍ଭ କରାଯାଇଥିଲା। ବ୍ଲାକସ୍ମୋକ ଦାୟିତ୍ବ ଥିଲା କ୍ୟୁଏଟି ଉପରେ। କ୍ୟୁଏଟି ଦେଢ଼ ବର୍ଷ ମଧ୍ୟରେ ରାଜଧାନୀରୁ ପାଖାପାଖି ୧୫୦ଟି ମାଉଜର, ଗୁଳିଗୋଳା ଜବତ କରିବା ସହିତ ପାଖାପାଖି ୭୬ ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ଏବେ ଅପରେସନ୍‌ ବ୍ଲାକସ୍ମୋକ ବନ୍ଦ ହୋଇ ଯାଇଛି। ଫଳରେ ପୁଣି ଥରେ ଏବେ ରାଜଧାନୀରେ ଚୋରା ମାଉଜର୍‌ କାରବାର ଓ ଗୁଳିକାଣ୍ଡ ଭଳି ଘଟଣା ରାଜଧାନୀରେ ବଢ଼ି ଚାଲିଛି। କେଉଁଠି ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ ହେଉଛି ତ ଆଉ କେଉଁଠି ହତ୍ୟା ଉଦ୍ୟମ ପାଇଁ ମଧ୍ୟ ଗୁଳିମାଡ଼ ହେଉଛି। ଗତ ୩୭ ଦିନରେ ରାଜଧାନୀରେ ୫ଟି ଗୁଳିକାଣ୍ଡ ହୋଇଥିବା ବେଳେ ଅନ୍ୟଏକ ଘଟଣା‌େର ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ୪ଟି ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ସୌଭାଗ୍ୟବଶତଃ ୨ ଜଣ ଏଥିରୁ ରକ୍ଷା ପାଇଯାଇଛନ୍ତି। ଗତ ସେପ୍ଟେମ୍ବର ୨ ତାରିଖରେ ଟଙ୍କପାଣି ରୋଡ୍‌ରେ ଥିବା ଶିରିଡ଼ି ସାଇ ମନ୍ଦିର ନିକଟରେ ଗୁଳିକାଣ୍ଡ ହୋଇଥିଲା। ଏଥିରେ ଜଣେ ଯୁକ୍ତ ତିନି ପଢ଼ୁଥିବା ସୁଶାନ୍ତ ଭୋଇ ନାମକ ଜଣେ ଛାତ୍ର ଆହତ ହୋଇଥି‌‌ଲେ। ସାମାନ୍ୟ କଥାରୁ ଗୁଳିକାଣ୍ଡ ଘଟିଥିଲା। ଛାତ୍ରଜଣକ ଗୁରୁତର ଆହତ ହୋଇଥିଲେ। ଘଟଣାର ୫ଦିନ ପରେ ଅର୍ଥାତ୍‌ ୭ ତାରିଖ ଦିନ ଶିଶୁପାଳଗଡ଼ ବିଜେଡି କର୍ମୀ ରବି ପାତ୍ରଙ୍କ ଉପରକୁ ଗୁଳି ହୋଇଥିଲା। ହେଲେ ତାଙ୍କ କାନ ପା‌ଖ ଦେଇ ଗୁଳି ଚାଲି ଯାଇଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତୈଳ ଦରବୃଦ୍ଧି ପ୍ରତିବାଦରେ ବିଜେଡି ବିକ୍ଷୋଭ କରୁଥିବା ବେଳେ ଏହି ଗୁଳିକାଣ୍ଡ ହୋଇଥିଲା। ଏହି ଘଟଣାକୁ ସପ୍ତାହେ ନ ପୂରୁଣୁ ସେପ୍ଟେମ୍ବର ୧୩ ତାରିଖରେ ପୁଣି ଏକ ଗୁଳିକାଣ୍ଡ ଘଟିଥିଲା। ଖଣ୍ଡଗିରିର କଳିଙ୍ଗ ଷ୍ଟୁଡିଓ ରାସ୍ତା‌ର ଏକ ଫାଷ୍ଟଫୁଡ୍‌ ଦୋକାନୀ ସ୍ମୃତିରଂଜନ ଧଳଙ୍କୁ ଗୁଳି ହୋଇଥିଲା। ଚିକେନ୍‌ ପକୋଡ଼ା ନ ଦେବାରୁ ଜଣେ ଗ୍ରାହକ ତାଙ୍କୁ ଗୁଳି କରିଥିଲେ। ଏହି ଘଟଣା ପରେ ସହରରେ କିଛି ଦିନ ଗୁଳିକାଣ୍ଡ ଥମିଥିଲା। ତେବେ ୨୫ ଦିନ‌ ପରେ ଚଳିତ ମାସ ୯ ତାରିଖ ଦିନ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଜଣେ ବସ୍‌ମାଲିକ ପ୍ରୀତମ କୁମାର ଜେନାମଣିଙ୍କୁ ଗୁଳି ହୋଇଥିଲା। ଏହି ଘଟଣାର ୧୩ଘଣ୍ଟା ପରେ ବିଳମ୍ବିତ ରାତ୍ରିରେ ଲିଙ୍ଗରାଜ ଥାନା ଅଧୀନ‌େର ଏକ ଆପାର୍ଟମେଣ୍ଟରେ ଜଣେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷାଧିକ ଲୁଟି ନେଇଥିଲେ ଦୁର୍ବୃତ୍ତ। ୫ ଦିନ ତଳେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ମହାନ୍ତି ପୁଲିସ ଉପରକୁ ଗୁଳି ଚଳାଇବା ଅଭିଯୋଗରେ ଜଟଣୀ ଥାନା ପୁଲିସ ଗିରଫ କରିଥିଲା। ଲଗାତାର ଏହି ବନ୍ଧୁକର ବ୍ୟବହାର ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି। ଏ ସମସ୍ତ ଘଟଣାରେ ଗୁଳି ବେଆଇନ ବନ୍ଧୁକରୁ ହିଁ ଫୁଟିଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବାକୁ ପୁଲିସ୍‌ ଯେତିକି ଅତ୍ୟାଧୁନିକ ବ୍ୟବସ୍ଥା ଆପଣାଉଛି, ସେହି ଅନୁପାତରେ ଅପରାଧୀ ମଧ୍ୟ ପୁଲିସ୍‌କୁ ଚକ୍‌ମା ଦେବାରେ ଲାଗିଛନ୍ତି। ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ରାଜଧାନୀରେ ଚୋରା ମାଉଜର କାରବାର ରୋକିବାକୁ ସ୍ପେସାଲ ସ୍କ୍ବାଡ୍ ପକ୍ଷରୁ ଖୁବ୍‌ଶୀଘ୍ର ସ୍ପେସାଲ ଡ୍ରାଇଭ୍‌ ଆରମ୍ଭ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe