ଥାନା ପଛପଟେ ମଦ କାରଖାନା

୫୦୦ ଲିଟର ନକଲି ମଦ, ଲେବୁଲ ଓ ଯନ୍ତ୍ରପାତି ଜବତ, ଜଣେ ଗିରଫ, ୨ ଅଟକ

ଥାନା ପଛପଟେ ମଦ କାରଖାନା

ଭୁବନେଶ୍ୱର: ଥାନା ପଛପଟେ ମଦ କାରଖାନା। ତାହା ପୁଣି ନକଲି। ଖାରବେଳନଗର ଥାନା ପଛପଟ ଏନ୍‌ଏସି କଲୋନି ନିକଟରେ ବର୍ଷ ବର୍ଷ ଧରି ଚାଲିଥିଲା ଏହି ବିଷ କାରଖାନା। ପୁଲିସଠାରୁ ଆରମ୍ଭ କରି ସାଧାରଣ ଲୋକ ସେହି ରାସ୍ତାରେ ଯିବା ଆସିବା କରୁଥିଲେ। କିନ୍ତୁ କେହି ବି ଏହାର ଗନ୍ଧ ପାଉ ନ ଥିଲେ। ଆଜି କମିସନରେଟ୍‌ ପୁଲିସର କୁଇକ୍‌ ଆକ୍ସନ ଟିମ୍‌ ଏହି ନକଲି ମଦ କାରଖାନାର ପର୍ଦାଫାସ କରିଛି। କାରଖାନା ଚଳାଉଥିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି। ତା ନାଁ ଦୀପକ ଦ୍ୱିବେଦୀ (୪୫)। ଘର କଟକ ସାଲେପୁରରେ। ସେ ଏଠାରେ ଚନ୍ଦ୍ରମା ଆପାର୍ଟମେଣ୍ଟରେ ରହୁଥିଲା। ଏଠାରେ ସେ ନୀଳାଚଳ ନାମରେ ଏକ ହୋଟେଲ ବି ଚଳାଉଥିଲା। ପୁଲିସ ସେଠାରୁ ୫୦୦ ଲିଟର ନକଲି ମଦ, ୧୪ପେଟି ମଦ ବୋତଲ ଓ ଲେବୁଲିଂ ପାଇଁ ବ୍ୟବହୃତ ଯନ୍ତ୍ରପାତି ଜବତ କରିଛି। ପୁଲିସ ୨ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ଦୀପକ ଗତ ୩/୪ ବର୍ଷ ହେଲା ଏହି କାରଖାନା ଚଳାଉଥିଲା। ବିଶେଷକରି ‘ନମ୍ବର ଓ୍ଵାନ’ ରମ୍‌ର ନକଲି କରୁଥିଲା। ପଚରାଉଚରା ବେଳେ ଦୀପକ ପୁଲିସ ଆଗରେ ସ୍ୱୀକାର କରିଛି ଯେ, ସେ ଯନ୍ତ୍ରପାତି ସବୁ ଛତିଶଗଡ଼ର ରାୟପୁରରୁ ଆଣିଥିଲା। ଗୋଟିଏ ନିବ୍‌(ଛୋଟ) ବୋତଲ ତିଆରି ପାଇଁ ମାତ୍ର ୩୦ ଟଙ୍କା ଖର୍ଚ ହେଉଥିଲା। କିନ୍ତୁ ସେହି ମଦକୁ ସେ ୮୦ଟଙ୍କାରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ ଆଦି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଢାବାକୁ ଯୋଗାଉଥିଲା।

ଅନ୍ୟପକ୍ଷରେ ଥାନା ପଛ ପଟେ କେମିତି ଏତେ ବଡ଼ ନକଲି କାରଖାନା ଚାଲିଥିଲା ତାର ତଦନ୍ତ ହେବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି। ଖାରବେଳନଗର ଥାନା ପୁଲିସକୁ ଏ ନେଇ କୈଫିୟତ ମଧ୍ୟ ମଗାଯିବ। ପୂର୍ବରୁ ଦୀପକ ସେକ୍ସ ର‍୍ୟାକେଟ୍‌ ଚଳାଉଥିଲା। ଏହି ଅଭିଯୋଗରେ ପୁଲିସ ତାକୁ ମଧ୍ୟ ପୂର୍ବରୁ ଗିରଫ କରିଥିଲା। ସେକ୍ସ ର‍୍ୟାକେଟ୍‌ ଉପରେ ପୁଲିସ ବାରମ୍ବାର ଚଢ଼ଉ କରିବା ଫଳରେ ସେ ଗତ କିଛି ବର୍ଷ ହେବ ଏଭଳି ନକଲି ମଦ କାରଖାନା ଖୋଲିଥିଲା। ଏଠାରେ ପ୍ରକାଶଥାଉକି, ଖାରବେଳନଗର ଥାନା ଅଧୀନ ଶାନ୍ତିନଗର, ପଣ୍ଡାବସ୍ତିରେ ମଧ୍ୟ ଚୋରା ମଦ କାରବାର ହେଉଛି। ରାତି ୧୦ଟା ପରେ ଏହି କାରବାର ଶ୍ରୀୟା ଛକ ନିକଟରେ ଥିବା କେତେକ ହୋଟେଲକୁ ଉଠି ଆସୁଛି। ଏ ନେଇ ସ୍ଥାନୀୟ ଲୋକ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe