ରାଜ୍ୟ ଅଭିଲେଖାଗାରରେ ୫୫ତମ ସଂସ୍କୃତି ଚର୍ଚ୍ଚା: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ଅବିସ୍ମରଣୀୟ

Advertisment
ରାଜ୍ୟ ଅଭିଲେଖାଗାରରେ ୫୫ତମ ସଂସ୍କୃତି ଚର୍ଚ୍ଚା: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ଅବିସ୍ମରଣୀୟ

ଭୁବନେଶ୍ୱର: ତତ୍‌କାଳୀନ ନେତୃବର୍ଗଙ୍କ ମଧ୍ୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଭାବନା ଆସିନଥିବା ବେଳେ ଉତ୍କଳଗୌରବ ମଧୁସୂଦନ ଭାଷାଭିତ୍ତିକ ରାଜ୍ୟ ଗଠନର ଆଭିମୁଖ୍ୟ ଗ୍ରହଣ କରି ଇତିହାସ ସୃଷ୍ଟି କରିଥିଲେ। ଓଡ଼ିଆ ଜାତୀୟତା ଓ ସ୍ୱାଭିମାନର କାଣ୍ଡାରୀ ଭାବରେ ମଧୁବାବୁଙ୍କ ଭୂମିକା ଓଡ଼ିଆ ଜାତିର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ପ୍ରଧାନ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି। ଆଜି ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ଆୟୋଜିତ ୫୫ତମ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଶ୍ରୀ ପାଣିଗ୍ରାହୀ ‘ମଧୁବାବୁ: ଓଡ଼ିଆ ସଂସ୍କୃତି, ସ୍ୱାଭିମାନ ଓ ଜାତୀୟତା’ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିଥିଲେ।

ଶ୍ରୀ ପାଣିଗ୍ରାହୀ କହିଥିଲେ, ମଧୁବାବୁ ବାଲ୍ୟକାଳରୁ ତାଙ୍କ ପ୍ରପିତାମହ, ମାତାମହୀ ଓ ଜନନୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା ଗଭୀର ଭାବେ ପ୍ରଭାବିତ ମଧୁବାବୁ ପରବର୍ତ୍ତୀ ଜୀବନରେ ନୂତନ ଇଲାକାର ସନ୍ଧାନରେ ଯାଇ ଅଦ୍ଭୂତପୂର୍ବ ସଫଳତା ହାସଲ କରିଥିଲେ। ସାଧୁତା, ସମ୍ମାନ ଓ ସ୍ୱାଭିମାନର ସହିତ ଓଡ଼ିଆ ଜାତିର ଆତ୍ମପରିଚିତି ସୁଦୃଢ଼ କରିବା ପାଇଁ ସେ ଆଜୀବନ ଉଦ୍ୟମ କରିଥିଲେ। ୧୯୩୨ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ସମ୍ବାଦ ପାଇବା ପରେ ସେ ଖୁସୀ ହୋଇଥିଲେ। ମୃତ୍ୟୁଶଯ୍ୟାରେ ସେ ତାଙ୍କ ଶେଷ ବାର୍ତ୍ତାରେ କହିଥିଲେ-‘ମନେ ରଖିଥିବ ଜଣେ ଓଡ଼ିଆ ଥିଲା।’ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବିସ୍ମରଣୀୟ ଭୂମିକା ରହିଥିବାବେଳେ ମଧୁବାବୁ ଶତାବ୍ଦୀର ସୂର୍ଯ୍ୟ ଭାବରେ ଓଡ଼ିଆ ଜାତିର ଇତିହାସରେ ସ୍ମରଣୀୟ ରହିବେ ବୋଲି ଶ୍ରୀ ପାଣିଗ୍ରାହୀ ଉଲ୍ଲେଖ କରିଥିଲେ।

ବିଭାଗୀୟ କମିସନର ତଥା ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆରେ ଲିଖିତ ମଧୁବାବୁଙ୍କ ସାର୍ଥକ ଉଦ୍‌ବୋଧନଭିତ୍ତିକ କବିତା ଗୁଡ଼ିକ ଦେଶପ୍ରେମର ଜ୍ୱଳନ୍ତ ଉଦାହରଣ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଲେ, ଜୀବନର ବହୁକ୍ଷେତ୍ରରେ ମଧୁବାବୁ ପ୍ରଥମ ହେବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଓଡ଼ିଆଙ୍କ ସ୍ୱାଭିମାନ ରକ୍ଷା ଦିଗରେ ତାଙ୍କ ଅବଦାନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ପ୍ରାରମ୍ଭରେ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ ସୁଲେମାନ୍‌ ଅଲ୍ଲୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଶ୍ରୀ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭାଗର ପୂର୍ବତନ ନିର୍ଦ୍ଦେଶକ ଅମରେନ୍ଦ୍ର ପଟ୍ଟନାୟକଙ୍କ ପରଲୋକରେ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe