୪୯୩ କୋଟି ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ: ଜୁନ୍‌ରେ ସରିବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ନବୀକରଣ

Advertisment

ବରମୁଣ୍ଡା ଓ ଚନ୍ଦ୍ରଶେଖରପୁର ଅଞ୍ଚଳ ବୁଲିଲେ

ବରମୁଣ୍ଡା ଓ ଚନ୍ଦ୍ରଶେଖରପୁର ଅଞ୍ଚଳ ବୁଲିଲେ

୪୯୩ କୋଟି ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ: ଜୁନ୍‌ରେ ସରିବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ନବୀକରଣ

ଭୁବନେଶ୍ବର : ରାଜଧାନୀରେ ନିର୍ମାଣାଧୀନ ଥିବା ୪୯୩କୋଟି ଟଙ୍କାର ପ୍ରକଳ୍ପ ଏବଂ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବସ୍ତିବାସିନ୍ଦାଙ୍କୁ ଆବଣ୍ଟନ ହେବାକୁ ଥିବା ସୁଲଭ ଗୃହ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରବିବାର ସକାଳୁ ଶ୍ରୀ ପାଣ୍ଡିଆନ ବରୁମଣ୍ଡା ଓ ଚନ୍ଦ୍ରଶେଖରପୁର ଅଞ୍ଚଳ ବୁଲିବା ସହ ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ। ସବୁ ପ୍ରକଳ୍ପ ଯେପରି ଧାର୍ଯ୍ୟ ସମୟରେ ଶେଷ ହେବ ସେନେଇ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୫ଟି ସଚିବଙ୍କ ଏହି ସମୀକ୍ଷାରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହ, ପୂର୍ତ୍ତ ସଚିବ କ୍ରିଷନ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍‌.ଭିନୀଲ କ୍ରିଷ୍ଣା, ଇଡ୍‌କୋ ଇଡି ଭୂପେନ୍ଦର ସିଂହ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ।

ବିଡିଏ ପକ୍ଷରୁ ବରମୁଣ୍ଡାରେ ବିଶ୍ବସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ହେଉଥିବାବେଳେ ପ୍ରଥମେ ଏହି ପ୍ରକଳ୍ପର ସମୀକ୍ଷା ହୋଇଥିଲା। ୧୫.୫ଏକର ଜମିରେ ୧୮୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ଜୁନ୍‌ ୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କାମ ଆରମ୍ଭ ହେବାବେଳେ ମୁଖ୍ୟମନ୍ତ୍ରୀ ବରମୁଣ୍ଡା ଯାଇ ପ୍ରକଳ୍ପର ସମୀକ୍ଷା କରିଥିବାବେଳେ ଏହି ପ୍ରକଳ୍ପର କାମ କେତେ ଦୂର ଆଗେଇଛି, କ’ଣ ପ୍ରତିବନ୍ଧକ ରହିଛି ତାହାର ଆଜି ସମୀକ୍ଷା ହୋଇଥିଲା। ଜୁନ୍‌, ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏହି ସମୟରେ ହିଁ ଶେଷ କରିବାକୁ କୁହାଯାଇଥିଲା। ଏହା ସହ ଖଣ୍ଡଗିରିରେ ୩୦୦ ବସ୍‌ ରହଣି ପାଇଁ ନିର୍ମାଣ ହେଉଥିବା ବସ୍‌ ଡିପୋକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଥିଲା।

publive-image

ଏହାପରେ ଶ୍ରୀ ପାଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥେମେଟିକ୍ସରୁ ସିଆର୍‌ପିଏଫ୍ ଛକ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ୬ ଥାକିଆ ରାସ୍ତାର ସମୀକ୍ଷା କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ଦୀର୍ଘ ବର୍ଷ ଧରି ହେଉଥିଲେ ହେଁ ବାରମ୍ବାର ଏହାର ଡେଡ୍‌ଲାଇନ୍ ଘୁଞ୍ଚିଘୁଞ୍ଚି ଚାଲିଛି। ଏବେ ଜାଭିୟର ଛକରୁ ଇନଫୋସିଟି ପର୍ଯ୍ୟନ୍ତ ୫.୧୭କିମି ରାସ୍ତା ନିର୍ମାଣାଧୀନ ଥିବାବେଳେ ଏହାକୁ ଫେବ୍ରୁଆରି, ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ରାସ୍ତା ନିର୍ମାଣରେ ଜମି ଅଧିଗ୍ରହଣ ପ୍ରମୁଖ ସମସ୍ୟା ପାଲଟିଥିବାରୁ ଏହାକୁ ତୁରନ୍ତ ସମାଧାନ କରି ଯଥା ସମ୍ଭବ ଶୀଘ୍ର ଏହି ପ୍ରକଳ୍ପ ଶେଷ କରିବାକୁ ୫ଟି ସଚିବ ଟାର୍ଗେଟ୍ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ୧୩.୬କିମିର ଏହି ରାସ୍ତା ନିର୍ମାଣ ପାଇଁ ୯୨କୋଟି ଟଙ୍କାର ଖର୍ଚ୍ଚ ଆକଳନ ହୋଇଛି।

ଇଡ୍‌କୋ ପକ୍ଷରୁ ଇନ୍‌ଫୋସିଟିରେ ନିର୍ମାଣ ହେଉଥିବା ଇନ୍‌କ୍ୟୁବେସନ୍ ଟାୱାରର ବି ସମୀକ୍ଷା କରିଥିଲେ। ଦୁଇଟି ବେସ୍‌ମେଣ୍ଟ+ଜି+୧୨ ମହଲା ବିଶିଷ୍ଟ ଏହି କୋଠା ୨୨୧କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବାବେଳେ ଏହାକୁ ୩୧ଡିସେମ୍ବର, ୨୦୨୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ବି ଧାର୍ଯ୍ୟ ‌ସମୟରେ ଶେଷ କରିବାକୁ କୁହାଯାଇଛି। ଦୁଇଟି ଟାୱାରରେ ମୋଟ୍ ୩.୩୬ଲକ୍ଷ ବର୍ଗଫୁଟ ଅଞ୍ଚଳ ରହିବ। ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ପାଇଁ ଏହା ଓ-ହବ୍ ହେବ। ଏହି ଟାୱାରର ୫ଟି ମହଲାର ୬୭,୫୯୪ବର୍ଗଫୁଟ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ପାଇଁ ରହିବ। ଏହି ସବୁ ପ୍ରକଳ୍ପ ପରେ ୫-ଟି ସଚିବ ବିଡିଏ ପକ୍ଷରୁ ଚନ୍ଦ୍ରଶେଖରପୁରରେ ପିପିପି ମୋଡରେ ନିର୍ମାଣ ହେଉଥିବା ବସ୍ତିବାସିନ୍ଦାଙ୍କୁ ସୁଲଭ ମୂଲ୍ୟରେ ଗୃହ ପ୍ରକଳ୍ପର ସମୀକ୍ଷା କରିଥିଲେ। ବିଡିଏ ପକ୍ଷରୁ ୨୦.୨୧ ଏକର ଜମିରେ ୨୬୦୦ ଘର ନିର୍ମାଣ କରିବାକୁ ଯୋଜନା ହୋଇଥିବାବେଳେ ୬.୫ଏକର ଜମିରେ ଏବେ ପିପିପି ମୋଡରେ ଘର ନିର୍ମାଣ ହେଉଛି। ସେପ୍ଟେମ୍ବର, ୨୦୨୨ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ଏହି ପ୍ରକଳ୍ପ ଶେଷ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ କାମ ଶୀଘ୍ର ଶେଷ କରି ହିତାଧିକାରୀଙ୍କୁ ଘର ଆବଣ୍ଟନ କରିବାକୁ କୁହାଯାଇଛି। ଯେପରି କାମରେ ଗୁଣାତ୍ମକମାନ ବଜାୟ ରହିବ ତାହା ଧ୍ୟାନ ରଖିବାକୁ କୁହାଯାଇଛି। ଏଠାରେ ରହିବାକୁ ଥିବା ଲୋକଙ୍କ ପାଇଁ ପ୍ରାଥମିକ ସ୍କୁଲ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ସପିଂ ଅଞ୍ଚଳ, ଖେଳ ପଡ଼ିଆ ଆଦି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe