କ୍ୟାବିନେଟ୍‌ରେ ଅନୁମୋଦନ: କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍‌ଷ୍ଟିଚ୍ୟୁଟ୍‌କୁ ୬ ଏକର

Advertisment

ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜାଗା ହସ୍ତାନ୍ତର କଲା ସାଧାରଣ ପ୍ରଶାସନ ବିଭାଗ

ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜାଗା ହସ୍ତାନ୍ତର କଲା ସାଧାରଣ ପ୍ରଶାସନ ବିଭାଗ

କ୍ୟାବିନେଟ୍‌ରେ ଅନୁମୋଦନ: କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍‌ଷ୍ଟିଚ୍ୟୁଟ୍‌କୁ ୬ ଏକର

ଭୁବନେଶ୍ବର: ୨୦୨୨-୨୩ ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ରେ ପାଠପଢ଼ା ଆରମ୍ଭ ହେବ। ଏହା ପୂର୍ବରୁ ପିଜି ଇନଷ୍ଟିଚ୍ୟୁଟ୍‌ ପାଇଁ ସରକାରଙ୍କ ପକ୍ଷରୁ ୬ ଏକର ଜାଗା ଯୋଗାଇ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଏହି ଜମିକୁ ହସ୍ତାନ୍ତର କରିଛନ୍ତି। ଫଳରେ ସମୁଦାୟ କ୍ୟାପିଟାଲ ହସ୍ପିଟାଲର ମୋଟ ଅଞ୍ଚଳ ୨୭.୨୨୯ ଏକରକୁ ବୃଦ୍ଧି ପାଇଛି। ଜାଗା ହସ୍ତାନ୍ତର ପରେ ହସ୍ପିଟାଲ କର୍ତୃପକ୍ଷ ଜାତୀୟ ମେଡିକାଲ କମିସନ୍ ବା ଏନ୍‌ଏମ୍‌ସିଙ୍କ ନିକଟରେ ଆବେଦନ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସ ଏଣ୍ଡ ରିସର୍ଚ୍ଚ (ପିଜିଆଇଏମ୍‌ଏସ୍‌ଆର) ପାଇଁ ସରକାର ଘୋଷଣା କରିଛନ୍ତି। ଏଥିପାଇଁ ୮ ବର୍ଷ ବିଳମ୍ବ ହୋଇଥିଲେ ହେଁ ସରକାର ଏବେ ତତ୍ପରତା ପ୍ରକାଶ କରିଛନ୍ତି। ପିଜି ଇନଷ୍ଟିଚ୍ୟୁଟ୍‌ ପାଇଁ ୨୩୫.୮କୋଟି ଟଙ୍କା ଖର୍ଚ କରାଯିବ। ଏହାକୁ ଏଲ୍‌ଆଣ୍ଡଟି ନିର୍ମାଣ କରିବ। ଆଜି ରାଜ୍ୟ କ୍ୟାବିନେଟ୍‌ରେ ଏହା ଅନୁମୋଦନ ଲାଭ କରିଛି। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିସନ୍ ଅଧୀନରେ ଏହି ଅର୍ଥ ବ୍ୟୟ ବରାଦ କରାଯାଇଛି। ତେବେ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ ପାଇଁ ଅତିକମ୍‌ରେ ୨୫ ଏକର ଜାଗାର ଆବଶ୍ୟକତା ରହିଛି। କ୍ୟାପିଟାଲ ହସ୍ପିଟାଲ ୨୧ ଏକର ଜାଗା ଉପରେ ଠିଆ ହୋଇଥିବା ବେଳେ ପିଜି ପାଇଁ ଅତିରିକ୍ତ ଜାଗାର ଆବଶ୍ୟକତା ରହିଥିଲା। ହସ୍ପିଟାଲ ପଛ ପାଖରେ ଥିବା ଗଙ୍ଗନଗର ମୌଜାରେ ଅତିରିକ୍ତ ୬ ଏକର ଜାଗା ଯୋଗାଇ ଦିଆଯାଇଛି। ଏଥିରେ ପ୍ଲଟ୍ ନମ୍ବର ୬୪୮-୭୭୦ ସାମିଲ ରହିଛି। ପିଜି ଇନ୍‌ଷ୍ଟିଚ୍ୟୁଟ୍‌ ପାଇଁ ଡିଜାଇନ୍‌ ପ୍ରସ୍ତୁତ ହୋଇସାରିଛି। ଏଥିରେ ୫ ମହଲା ବିଶିଷ୍ଟ ୨ଟି ସ୍ବତନ୍ତ୍ର ବିଲ୍ଡିଂ ନିର୍ମାଣ କରାଯିବ। ଗୋଟିଏ ବିଲ୍ଡିଂରେ ଏକାଡେମିକ ବ୍ଲକ୍ ଓ ଅନ୍ୟଟିରେ ‌ପ୍ରଶାସନିକ ବ୍ଲକ୍ କାର୍ଯ୍ୟ କରିବ। ଏହାସହ ଅତିରିକ୍ତ ୩ଟି ୫ ମହଲା ବିଶିଷ୍ଟ ବିଲ୍ଡିଂ ମଧ୍ୟ ନିର୍ମାଣ କରାଯିବାର ଯୋଜନା ରହିଛି। ଏଥିରେ ସିନିୟର୍‌ ରେସିଡେଣ୍ଟଙ୍କ ସମେତ ହଷ୍ଟେଲ୍ ଓ ଅନ୍ୟ କ୍ବାର୍ଟର୍‌ ରହିବ। ସମୁଦାୟ କମ୍ପ୍ଲେକ୍ସ୍‌ଟି ପରିବେଶ ଅନୁକୂଳ ରହିବ। ଏଥିରେ ବର୍ଷାଜଳ ଅମଳ ବ୍ୟବସ୍ଥା ରହିବା ସହ ସୋଲା‌ର୍‌ ପ୍ୟାନେଲ ଓ ବାଧାବିହୀନ ଢାଞ୍ଚା ନିର୍ମାଣ କରାଯିବାର ଯୋଜନା ରହିଛି। ପିଜିଆଇ ବାଦ୍ ଟ୍ରମା କେୟାର, କାଜୁଆଲ୍‌ଟି ସହ ସର୍ଜରି କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ କରାଯିବ। ଆସନ୍ତା ୨୪ ମାସ ଭିତରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି।

୨୦୨୨-୨୩ ଶିକ୍ଷାବର୍ଷରେ କ୍ୟାପିଟାଲ ହସ୍ପିଟାଲ ପିଜିଆଇରେ ୧୧ଟି କ୍ଲିନିକାଲ ଓ ୪ଟି ଅଣକ୍ଲିନିକାଲ ବିଭାଗକୁ ମିଶାଇ ସମୁଦାୟ ୧୫ଟି ବିଭାଗରେ ପାଠପଢ଼ା ଆରମ୍ଭ କରିବା ଲାଗି ଘୋଷଣା କରାଯାଇଛି। ଏଥିପାଇଁ ଏନ୍‌ଏମ୍‌ସିର ମଧ୍ୟ ଅନୁମୋଦନ ମିଳି ସାରିଛି। ଭେଷଜ, ସର୍ଜରି, ଓବେଷ୍ଟ୍ରିକ୍ ଓ ସ୍ତ୍ରୀ ଓ ପ୍ରସୂତି ରୋଗ ଓ ଶିଶୁରୋଗ ବିଭାଗରେ ୫ଜଣ ଛାତ୍ର ଓ ଅନ୍ୟ ୧୧ଟି ବିଭାଗରେ ୩ଜଣ ଲେଖାଏ ଛାତ୍ରଙ୍କୁ ନେଇ ନାମଲେଖା ଆରମ୍ଭ ହେବ। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୬ ଏକର ଜାଗା ହସ୍ତାନ୍ତର ହୋଇଛି। ପିଜି ଇନ୍‌ଷ୍ଟିଚ୍ୟୁଟ୍‌ ପାଇଁ ୨୫ ଏକର ଜାଗାର ଆବଶ୍ୟକତା ଥିବା ବେଳେ ଏହାର ସମାଧାନ ହୋଇଛି। ଏବେ ଏହାର ଅନୁମୋଦନ ପାଇଁ ଏନ୍‌ଏମ୍‌ସି ପାଇଁ ଆବେଦନ କରାଯିବ। ଆସନ୍ତା ୨-୩ମାସ ଭିତରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ଆଶା କରାଯାଉଥିବା ଡା. ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe