ସ୍ପୋର୍ଟସ୍‌ ବାଇକର୍‌ ଗ୍ୟାଙ୍ଗ୍‌ର ୬ ଲୁଟେରା କାବୁ: ଜଟଣୀରେ ଡେରା, ରାଜଧାନୀରେ ଲୀଳା

Advertisment

୪୦ ଚେନ୍‌, ୨ଲକ୍ଷ ଟଙ୍କା, ୪ ବାଇକ୍‌ ଜବତ

୪୦ ଚେନ୍‌, ୨ଲକ୍ଷ ଟଙ୍କା, ୪ ବାଇକ୍‌ ଜବତ

ସ୍ପୋର୍ଟସ୍‌ ବାଇକର୍‌ ଗ୍ୟାଙ୍ଗ୍‌ର ୬ ଲୁଟେରା କାବୁ: ଜଟଣୀରେ ଡେରା, ରାଜଧାନୀରେ ଲୀଳା

ଭୁବନେଶ୍ବର: ସ୍ପୋର୍ଟସ୍‌ ବାଇକ୍‌ରେ ଆସି ଆଖି ପିଛୁଳାକେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଉଥିବା ଏକ ୬ ଜଣିଆ କୁଖ୍ୟାତ୍ ଲୁଟେରା ଗ୍ୟାଙ୍ଗ୍‌ ଶେଷରେ ଧରାପଡ଼ିଛି। ଗତ ୪ମାସ ଭିତରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ପାଖାପାଖି ୨୪ଟି ଛିନ୍‌ତାଇ କରି କମିସନରେଟ୍‌ ପୁଲିସର ନିଦ ହଜାଇ ଦେଇଥିବା ଏହି ଗ୍ୟାଙ୍ଗ୍‌କୁ ଜଟଣୀରୁ ଠାବ କରାଯାଇଛି। ସେମାନେ ହେଲେ ରାଉରକେଲାର ଆୟୂଷ୍ମାନ୍‌ ତ୍ରିପାଠୀ (୨୭), ଜଟଣୀର ଆୟାଜ୍‌ ମହମ୍ମଦ (୨୦), ଦେବାଶିଷ ବାରିକ ଓରଫ୍‌ ଦେବୁ (୧୯), ଶିବପ୍ରସାଦ ବାରିକ ଓରଫ୍‌ ରାଜା (୨୩) ଓ ଡେଲାଙ୍ଗର ରଜତ କୁମାର ନନ୍ଦ ଓରଫ୍‌ ରିଙ୍କୁ(୨୫)। ଅନ୍ୟ ଜଣେ ନାବାଳକ। ପୁଲିସ ସେମାନଙ୍କ ନିକଟରୁ ୪୦ଟି ସୁନାଚେନ୍‌, ନଗଦ ୨ଲକ୍ଷ ଟଙ୍କା, ଗୋଟିଏ କେଟିଏମ୍‌, ବଜାଜ୍‌ ଡୋମିନର୍‌-୪୦୦, ୟାମାହା ଆର୍-୧୫, ପଲ୍‌ସର୍‌ ଏନ୍‌ଏସ୍‌-୨୦୦ ବାଇକ୍‌ ଓ ୫ ମୋବାଇଲ୍‌ ଫୋନ୍‌ ଜବତ କରିଛି। ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂ ଏହି ଗ୍ୟାଙ୍ଗ୍‌ର ଗୁମର ଖୋଲିଛନ୍ତି। ଏହି ଗ୍ୟାଙ୍ଗ୍‌ର ଆହୁରି କିଛି ସଦସ୍ୟ ଫେରାର୍ ଅଛନ୍ତି। ଲୁଟ୍‌ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଦରକାର ପଡ଼ିଲେ, ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ଜେଲ୍‌ରେ ଯୋଡ଼ି ହୋଇଥିଲେ ଆୟୁଷ୍ମାନ-ଆୟାଜ୍‌
ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଆୟୂଷ୍ମାନ ଓ ଆୟାଜ୍‌ ଅଭ୍ୟାସଗତ ଲୁଟେରା। ୨୦୨୨-୨୩ ମସିହାରେ ଆୟୁଷ୍ମାନ ଖଣ୍ଡଗିରି ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଛିନ୍‌ତାଇ କରି ଜେଲ୍‌ ଯାଇଥିଲା। ସେହିଭଳି ୨୦୨୩ ମସିହାରେ ରଜତ ଓ ଆୟାଜ୍‌କୁ ଜଟଣୀ ଥାନା ପୁଲିସ ଛିନ୍‌ତାଇ ମାମଲାରେ ଜେଲ୍‌ ପଠାଇଥିଲା। ସେତେବେଳେ ଏମାନେ ଜଟଣୀ ଓ ଡେଲାଙ୍ଗ ଥାନା ପୁଲିସ ପାଇଁ ମୋଷ୍ଟୱାଣ୍ଟେଡ୍‌ ଥିଲେ। ଜେଲ୍‌ରେ ଯୋଡ଼ି ହୋଇଯାଇଥିଲେ ଆୟୂଷ୍ମାନ-ଆୟାଜ୍‌ ଓ ରଜତ। ଏହି ଗ୍ୟାଙ୍ଗ୍‌ର ଡେରା ଥିଲା ଜଟଣୀ। ସେଠାରୁ ହିଁ ଅପରାଧର ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରଯାଉଥିଲା। ବିଶେଷକରି ସେମାନେ ସନ୍ଧ୍ୟା ଓ ଭୋର୍‌ ସମୟରେ ଜାତୀୟ ରାଜପଥରୁ ଲୁଟ୍‌ କରୁଥିଲେ। ଲୁଟ୍‌ ପାଇଁ ମହିଳା ଓ ଯୁବତୀଙ୍କୁ ଟାର୍ଗେଟ୍‌ କରୁଥିଲେ। ୨୦୨୩ରୁ ୨୦୨୪ ମଧ୍ୟରେ ନୂଆପଲ୍ଲୀ ଥାନା ଅଞ୍ଚଳରୁ ୬, ସହିଦନଦନଗର ଥାନା ଅଞ୍ଚଳରୁ ୪, ମଞ୍ଚେଶ୍ବର ଥାନା ଅଞ୍ଚଳରୁ ୩, ଭରତପୁର ଥାନା ଅଞ୍ଚଳରୁ ୫, ଖଣ୍ଡଗିରି ଥାନା ଅଞ୍ଚଳରୁ ୩ ଓ ପାହାଳ ଥାନା ଅଞ୍ଚଳରୁ ୩ ଏମିତି ମୋଟ ୨୪ ଛିନ୍‌ତାଇ କରି କମିସନରେଟ୍‌ ପୁଲିସର ନିଦ ହଜାଇଦେଇଥିଲେ। ନୂଆପଲ୍ଲୀ ଥାନା ପୁଲିସ ଓ ସ୍ପେସାଲ୍‌ ସ୍କ୍ବାଡ୍‌ ମିଳିତ ଭାବେ ତଦନ୍ତ କରି ସିସିଟିଭି ଫୁଟେଜ୍‌ ଆଧାରରେ ଏହି ଗ୍ୟାଙ୍ଗ୍‌କୁ ଠାବ କରିଛି।

ସମସ୍ତେ ରଙ୍ଗିଲା ମିଜାଜ୍‌ର
ଏହି ଗ୍ୟାଙ୍ଗ୍‌ର ସମସ୍ତ ସଦସ୍ୟ ଥିଲେ ରଙ୍ଗିଲା ମିଜାଜ୍‌ର। ହୋଟେଲ୍‌ରେ ମଉଜ ମସ୍ତି କରିବା ଥିଲା ଏମାନଙ୍କ ଲୁଟ୍‌ର ପ୍ରମୁଖ କାରଣ। ଭଲ ବ୍ରାଣ୍ଡ କମ୍ପାନିର ପୋଷାକ ଓ ଜୋତା ପିନ୍ଧିବା ସାଙ୍ଗକୁ ସ୍ପୋର୍ଟସ୍‌ ବାଇକ୍‌ ଚଢ଼ିବା ଥିଲା ଏମାନଙ୍କ ବଡ଼ ସଉକ। ଛିନ୍‌ତାଇ ପରେ ସ୍ପିଡ୍‌ ବାଇକ୍‌ରେ ପଳାଇବା ସହଜ ହେଉଥିଲା। ପୁଲିସ ଆଖିରେ ଧୂଳି ଦେବାକୁ ଏମାନେ ନିଜ ନିଜ ବାଇକ୍‌ର ନମ୍ବର ପ୍ଲେଟ୍‌ ବଦଳାଉଥିଲେ। ଲୁଟ୍‌ ଜିନିଷକୁ ଗ୍ରାମାଞ୍ଚଳରେ ବଣିଆଙ୍କୁ ବିକ୍ରି କରୁଥିଲେ ଏବଂ କିଛି ଜିନିଷ ବନ୍ଧକ ରଖି ଟଙ୍କା ପାଉଥିଲେ।

୭ ସହରରେ ସକ୍ରିୟ ଥିଲେ

ଏହି ଲୁଟେରା ଗ୍ୟାଙ୍ଗ୍‌ର କାରନାମା କେବଳ ରାଜଧାନୀରେ ସୀମିତ ନଥିଲା। ପୁଲିସକୁ ଚକ୍‌ମା ଦେବା ଲାଗି ସେମାନେ ବିଭିନ୍ନ ସମୟରେ ସ୍ଥାନ ବଦଳାଉଥିଲେ। ଯେଉଁଠି ଡେରା ପକାଉଥିଲେ, ସେଠାରେ ବି ଛିନ୍‌ତାଇ କରୁଥିଲେ। ଖୋର୍ଦ୍ଧା ସମତେ ବ୍ରହ୍ମପୁର, କଟକ, ଭଦ୍ରକ, ଅନୁଗୁଳ, ପୁରୀ ଓ ଗଞ୍ଜାମ ୭ଜିଲ୍ଲାରେ ଏମାନେ ବହୁ ଲୁଟ୍‌ପାଟ୍‌ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe