ଏମ୍‌ସରେ ଦୈନିକ ୬ଶହ କେଜି ବାୟୋମେଡିକାଲ ଆବର୍ଜନା: ଆବର୍ଜନାରୁ ପଲିଥିନି ପ୍ରସ୍ତୁତି ପାଇଁ ଗବେଷଣା

କୋଭିଡ ରୋଗୀଙ୍କ ଠାରେ ମା‌ସେ ପରେ ବି ଶାରୀରିକ, ମାନସିକ ଅସୁସ୍ଥତା ରହୁଛି

ଭୁବନେଶ୍ବର: ଏବେ ଏମ୍‌ସରୁ ପ୍ରଚୁର ବାୟୋମେଡିକାଲ ଆବର୍ଜନା ବା‌ହାରୁଛି। ଦୈନିକ ପାଖାପାଖି ୬ଶହ କେଜିରୁ ଅଧିକ ବାୟୋମେଡିକାଲ ବର୍ଜ୍ୟ ବାହାରୁଛି। ସେଥିରୁ ୪୦ କେଜି ହେଉଛି କୋଭିଡ୍‌ ଚିକିତ୍ସା ସମ୍ପର୍କିତ ଆବର୍ଜନା। ବର୍ତ୍ତମାନ କୋଭିଡ୍‌ ରୋଗୀ ନଥାଇ ମଧ୍ୟ ଏତେ ପରିମାଣରେ ଆବର୍ଜନା ବାହାରୁଛି। ଏପ୍ରିଲ୍‌ରୁ ୪ ମାସ ପର୍ଯ୍ୟନ୍ତ ଯେତେବେଳେ କୋଭିଡ୍‌ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଥିଲା, ସେତେବେଳେ ପ୍ରତିଦିନ ପ୍ରାୟ ୫ଶହ କେଜିରୁ ଅଧିକ ମେଡିକାଲ ଆବର୍ଜନା ବାହାରୁଥିଲା। ଏଥିଯୋଗୁଁ ବର୍ଜ୍ୟ ପରିଚାଳନା ଖର୍ଚ୍ଚ ବୃଦ୍ଧି ପାଇଛି। ତେବେ ଏହି ଆବର୍ଜନାରୁ ପଲିଥିନ୍‌ ତିଆରି କରି ବ୍ୟବହାର ଉପଯୋଗୀ କରାଯାଇ ପାରିବ। ଏଥିପାଇଁ ଏମ୍‌ସ ପକ୍ଷରୁ ଗବେଷଣା କରାଯାଉଥିବା କହିଛନ୍ତି ବାୟୋମେଡିକାଲ ଆବର୍ଜନା ପରିଚାଳନା ଦାୟିତ୍ବରେ ଥିବା ସହଯୋଗୀ ପ୍ରଫେସର ପ୍ରଭାସ ତ୍ରିପାଠୀ।

କୋଭିଡ୍‌ ଚିକିତ୍ସା ଡାକ୍ତରଖାନାର ସମସ୍ୟା ସୃଷ୍ଟି କରିନାହିଁ। କିନ୍ତୁ ଏଥିରୁ ସୃଷ୍ଟ ଆବର୍ଜନା ଚିନ୍ତା ଓ ଖର୍ଚ୍ଚ ବଢ଼ାଇଛି। ସବୁ ବିଭାଗରୁ ଯେତିକି ଆବର୍ଜନା ସୃଷ୍ଟି ହୋଇଥାଏ, ଗୋଟିଏ ସମୟରେ କୋଭିଡ୍‌ ପରିଚାଳନା ବିଭାଗରୁ ସେତିକି ଆବର୍ଜନା ନିର୍ଗତ ହେଉଥିଲା। କୋଭିଡ୍‌ ଚିକିତ୍ସା ପାଇଁ ପିପିଇ କିଟ୍‌, ଦୁଇ ଲେୟାର୍‌ ବିଶିଷ୍ଟ ମାସ୍କ, ଗ୍ଲୋବ୍ସ ସହିତ ରୋଗୀଙ୍କ ପାଇଁ ମଧ୍ୟ ଅଧିକ ପରିମାଣରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ୁଥିବାରୁ ବାୟୋମେଡିକାଲ ବର୍ଜ୍ୟ ବୃଦ୍ଧି ପାଇଥାଏ। ସଂକ୍ରମଣର ଭୟ ଥିବାରୁ ଏହାର ପରିଚାଳନା ଏବଂ ପରିବହନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ଥିବାରୁ ପରିଚାଳନା ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। ସାଧାରଣ ବର୍ଜ୍ୟ ପରିବହନ ପାଇଁ ମାସକୁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ କରିବାକୁ ପଡ଼ିଥାଏ। କୋଭିଡ୍‌ ବର୍ଜ୍ୟ ପାଇଁ ଖର୍ଚ ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କା ରହିଛି। ଏମ୍‌ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏଠାରୁ ବାହାରୁଥିବା ଆବର୍ଜନାକୁ ୪ ଭାଗରେ ବିଭକ୍ତ କରାଯାଏ। ଅଙ୍ଗପ୍ରତ୍ୟଙ୍ଗ, ତୁଳା, ପ୍ଲାଷ୍ଟର ଆଦି ଆବର୍ଜନାକୁ ହଳଦିଆ, ପ୍ଲାଷ୍ଟିକ୍‌, ଗ୍ଲୋବ୍ସ, ନାଜାଲ ଟ୍ୟୁବ୍‌କୁ ନାଲି, ଛୁଞ୍ଚି, ବ୍ଲେଡ୍‌ ଭଳି ମୁନିଆଁ ବର୍ଜ୍ୟକୁ ସାର୍ପ କଣ୍ଟେନର ଓ ଭାଏଲ୍‌ ଭଳି ଆବର୍ଜନାକୁ ନୀଳ ଶ୍ରେଣୀ ଭୁକ୍ତ କରାଯାଏ। କର୍କଟ ରୋଗର ଚିକିତ୍ସା ପାଇଁ କେମୋଥେରାପିରେ ଦୈନିକ ପ୍ରାୟ ୨ କେଜିର ବିକିରଣଯୁକ୍ତ ଆବର୍ଜନା ନିର୍ଗତ ହୁଏ। ୪ଟି ଶ୍ରେଣୀଭୁକ୍ତ ଆବର୍ଜନା ରଖିବା ପାଇଁ ଏଠାରେ ୧୫୦ ଟି ସଂଗ୍ରହ କେନ୍ଦ୍ର ରହିଛି। ୪୦୦ରୁ ଅଧିକ ସଫେଇ କର୍ମଚାରୀ ରହିଛନ୍ତି।

ଏଠାରୁ ଆବର୍ଜନା ପରିଚାଳନା ଦାୟିତ୍ବରେ ଥିବା ସଂସ୍ଥା ମେଣ୍ଢାଶାଳସ୍ଥିତ ବାୟୋମେଡିକାଲ ବିଶୋଧନ ପ୍ଲାଣ୍ଟକୁ ନେଇଯାଏ। ପ୍ରତ୍ୟେକ ପ୍ରକାର ବାୟୋମେଡିକାଲ ଆବର୍ଜନା ପରିଚାଳନା ଭିନ୍ନ ଭାବରେ ହୁଏ। ବାୟୋମେଡିକାଲ ଆବର୍ଜନା ପରିଚାଳନା ନିୟମ ଅନୁଯାୟୀ ୪୮ ଘଣ୍ଟା ମଧ୍ୟରେ ଏହି ଆବର୍ଜନାକୁ ଅଟୋକ୍ଲେଭିଂ କିମ୍ବା ପୋଡ଼ି ଦିଆଯାଏ। ଦାୟିତ୍ବ ଦିଆଯାଇଥିବା ସଂସ୍ଥା ପକ୍ଷରୁ ବାୟୋମେଡିକାଲ ଆବର୍ଜନା ପରିଚାଳନା ବ୍ୟବସ୍ଥାର ତଦାରଖ ପାଇଁ ପ୍ରତି ପ୍ୟାକେଟ ଆବର୍ଜନାରେ ବାର୍‌କୋର୍ଡିଂ ବ୍ୟବସ୍ଥା ରହିଛି। କୋଭିଡ୍‌ ଆବର୍ଜନା ପରିଚାଳନା ବେଳେ ବାର୍‌କୋର୍ଡିଂର ଗୁରୁତ୍ବ ଆହୁରି ବୃଦ୍ଧି ପାଇଥିଲା। କୋଭିଡ ଆବର୍ଜନା ଯୋଗୁଁ ସଂକ୍ରମଣ ବୃଦ୍ଧିର ଆଶଙ୍କା ରହିଥିବାରୁ ସଫେଇ କର୍ମଚାରୀଙ୍କୁ ନିୟମିତ ପ୍ରଶିକ୍ଷଣ ପ୍ରଦାନର ଆବଶ୍ୟକତା ରହିଥିଲା। ଏଥିପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଆପ୍‌ ପ୍ରସ୍ତୁତ କରାଯାଇଛି। ଏମ୍‌ସରୁ ନିର୍ଗତ ତରଳ ଆବର୍ଜନା ପରିଚାଳନା ପାଇଁ ଇଟିପି ବ୍ୟବହାର କରାଯାଉଛି। ଏଥିରୁ ଦୈନିକ ପ୍ରାୟ ୧ ଲକ୍ଷ ଲିଟର ପାଣି ନିର୍ଗତ ହେଉଛି। ଯାହାକୁ ବଗିଚା କାର୍ଯ୍ୟରେ ବ୍ୟବହାର କରାଯାଉଛି। କେବଳ ଆବର୍ଜନା ପରିଚାଳନା ସମସ୍ୟାର ସମାଧାନ କରୁନାହିଁ। ଏହା କିଭଳି ବ୍ୟବହାର ଉପଯୋଗୀ ହୋଇପାରିବ, ସେନେଇ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ସହଯୋଗୀ ପ୍ରଫେସର ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe