ଭୁବନେଶ୍ବର: ଗତ ୧୦ମାସରେ ଦ୍ବୈତନଗରୀର ବିଭିନ୍ନ ଆପାର୍ଟମେଣ୍ଟରୁ ସିନ୍ଧିଚୋରମାନେ ୬୫ଥର କଳାକନା ବୁଲାଇଛନ୍ତି। ବିଭିନ୍ନ ସିନ୍ଧିଚୋର ଗ୍ୟାଙ୍ଗ୍ରୁ ପୁଲିସ ମାତ୍ର ୨୯ଜଣଙ୍କୁ ଧରିବାରେ ସଫଳ ହୋଇଛି। କିନ୍ତୁ ବହୁ ବଡ଼ବଡ଼ ମାମଲାରେ ପୁଲିସ ହାତ ଖାଲି। ତେଣୁ ଏସବୁ ମାମଲାର ତୁରନ୍ତ ତଥା ନିଶ୍ଚିତ ଫଇସଲା ପାଇଁ କମିସନରେଟ୍ ପୁଲିସ ଏକ ସ୍ବତନ୍ତ୍ର ଟିମ୍ ଗଢ଼ିଛି। ଏଥିସହିତ କମିସନରେଟ୍ ପୁଲିସ ପକ୍ଷରୁ ଆପାର୍ଟମେଣ୍ଟ ଚୋରି ରୋକିବା ପାଇଁ ବାସିନ୍ଦାମାନଙ୍କ ଉଦ୍ଦେଶ୍ୟରେ ଏକ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି।
ପୁଲିସ କମିସନର୍ ସୁରେଶ ଦେବଦତ୍ତ ସିଂଙ୍କ ପରାମର୍ଶ ଅନୁସାରେ ଆପାର୍ଟମେଣ୍ଟ ରେସିଡେଣ୍ଟ୍ ଵେଲ୍ଫେୟାର୍ ଆସୋସିଏସନ୍ ପୁଲିସକୁ ସବୁପ୍ରକାର ସହଯୋଗ କରିବା ଉଚିତ। ମାର୍ଗଦର୍ଶିକା ଅନୁସାରେ ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ଗେଟ୍ରେ ଆଇପି ଏନାବଲ୍ଡ୍ କ୍ୟାମେରା ଲଗାଇବାକୁ କୁହାଯାଇଛି। ଏହାର ଫିଡ୍ ପୁଲିସ କଣ୍ଟ୍ରୋଲ ରୁମ୍କୁ ଦେବା ଲାଗି କୁହାଯାଇଛି। ଏଥିସହିତ ପୂର୍ବରୁ ଦିଆଯାଇଥିବା ମାର୍ଗଦର୍ଶିକାକୁ ମଧ୍ୟ କଡ଼ାକଡ଼ି ଭାବେ ମାନିବାକୁ ସିପି ଶ୍ରୀ ସିଂ କହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବତନ ସିପି ସଞ୍ଜୀବ ପଣ୍ଡା ମଧ୍ୟ ମାର୍ଗଦର୍ଶିକା ଜାରି କରିଥିଲେ। ଆପାର୍ଟମେଣ୍ଟଗୁଡ଼ିକର ପାଚେରି ଉଚ୍ଚତା ବଢ଼ାଇବା ସହ ସୁରକ୍ଷାକର୍ମୀଙ୍କୁ ପଞ୍ଜୀକୃତ ସଂସ୍ଥାରୁ ଆଣିବାକୁ ବୁଝାଇଥିଲେ।
  
 Follow Us