୭ ଭାଲୁଛୁଆ ଉଦ୍ଧାର ହେବା ଘଟଣା, କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ସହଯୋଗ କରିବ ବନ ବିଭାଗ

୭ ଭାଲୁଛୁଆ ଉଦ୍ଧାର ହେବା ଘଟଣା, କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ସହଯୋଗ କରିବ ବନ ବିଭାଗ

ଭୁବନେଶ୍ବର: ଗତ ୨୨ ତାରିଖରେ ଖୋର୍ଦ୍ଧା ବନ ବିଭାଗ ଅଧୀନସ୍ଥ ଗଙ୍ଗପଡ଼ା-ପିତାପଲ୍ଲୀ ରାସ୍ତା ପାର୍ଶ୍ବରୁ ୫ଟି ଓ ଗଡ଼ଖୋର୍ଦ୍ଧାରୁ ୨ଟି ଭାଲୁଛୁଆ ଉଦ୍ଧାର ହେବା ଘଟଣାକୁ ୪ଦିନ ବିତିଯାଇଥିଲେ ମଧ୍ୟ ବନ ବିଭାଗ ରାକେଟ୍‌ର ପର୍ଦ୍ଦାଫାସ୍ କରିବାରେ ସକ୍ଷମ ହୋଇନାହିଁ। ତେଣୁ ବାଧ୍ୟ ହୋଇ ବନବିଭାଗ ଘଟଣାର ପର୍ଦ୍ଦାଫାସ କରିବା ପାଇଁ ଆର୍‌ସିସିଏଫ୍ ମାଧ୍ୟମରେ କ୍ରାଇମବ୍ରାଞ୍ଚ୍‌କୁ ଚିଠି କରିବ ବୋଲି ଜଣାପଡ଼ିଛି।

ଗୋଟିଏ ଦିନରେ ଭୁବନେଶ୍ବର ଉପକଣ୍ଠରୁ ୭ଟି ଭାଲୁଛୁଆ ଉଦ୍ଧାର ହେବା ଘଟଣା ନୂଆ କରି ହୋଇଥିବା ବେଳେ ଚୋରା ଚାଲାଣ ପାଇଁ ଏହାକୁ ରଖାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହେଲେ ଭାଲୁଛୁଆ ଚୋରା ଚାଲାଣର ମୁଖ୍ୟ କାର୍ପଟଦାର କିଏ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ବାରମ୍ବାର ଭୁବନେଶ୍ବରରୁ ବନ୍ୟଜନ୍ତୁ ଚୋରା ଚାଲାଣ ଧରାପଡ଼ୁଥିଲେ ହେଁ ଏହାର ସୂତ୍ରଧର ନିକଟରେ ପହଞ୍ଚିବାରେ ବିଫଳ ହେଉଛି। ଏଭଳିକି ଚୋରା ଚାଲାଣ ବେଳେ ଧରାପଡ଼ୁଥିବା ଅଭିଯୁକ୍ତଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିବାରେ ବନ ବିଭାଗ ବିଫଳ ହୋଇଥିବା ପୂର୍ବରୁ ନଜିର ରହିଛି।

ଗୋଟିଏ ବି ଘଟଣାରେ ବନ ବିଭାଗ ଗିରଫ ଅଭିଯୁକ୍ତଙ୍କୁ ଦୋଷ ସ୍ବୀକାର କରାଇବାରେ ସକ୍ଷମ ହୋଇନାହିଁ। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ସମସ୍ତ ଭାଲୁ ଖୋର୍ଦ୍ଧା ଡିଭିଜନ୍ ଅଧୀନରେ ଯାଉଥିବାରୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ବେଳେ ଖୋର୍ଦ୍ଧା ବନ ବିଭାଗ ସହାୟତା କରିବ। ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇ ଏହାର ତଦନ୍ତ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe