National Herald
ଭୁବନେଶ୍ବର: ଦେଶର ୭୩ ପ୍ରତିଶତ ସମ୍ପତ୍ତି ମାତ୍ର ୧ ଭାଗ ଧନୀଙ୍କ ହାତରେ ରହିଛି। ଏଣେ ମହଙ୍ଗା ସ୍ବାସ୍ଥ୍ୟସେବା ଯୋଗୁଁ ୬୩ ନିୟୁତ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହେଲେଣି। ଅକ୍ସଫାମ୍ର ରିପୋର୍ଟ ଅନୁସାରେ ବର୍ତ୍ତମାନ ମଜୁରି ତାରତମ୍ୟ ବହୁତ ବଢ଼ିଗଲାଣି। ଗୋଟିଏ ଅଗ୍ରଣୀ କପଡ଼ା ଉଦ୍ୟୋଗର କାର୍ଯ୍ୟନିର୍ବାହୀ ଅଧିକାରୀ ଯେତିକି ଦରମା ପାଆନ୍ତି, ସେତିକି ପାଇଁ ଗ୍ରାମାଞ୍ଚଳର ଜଣେ ଶ୍ରମିକଙ୍କୁ ୯୪୧ ବର୍ଷ ଲାଗିଯିବ। ଏଭଳି ସ୍ଥିତିରେ ଶୋଷଣମୁକ୍ତ ସମାଜ ଗଠନ ପାଇଁ କିଛି ଦିନ ପୂର୍ବରୁ ସମାପ୍ତ ହୋଇଥିବା କୃଷକ ଆନ୍ଦୋଳନରୁ ପ୍ରେରଣା ନେବାକୁ ହେବ। ଲୋକସଭାର ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ସମାଜବାଦୀ ନେତା ରବି ରାୟଙ୍କ ୯୬ତମ ଜୟନ୍ତୀ ଅବସରରେ ଏହା କହିଛନ୍ତି ମାନବିକ ଅଧିକାର କର୍ମୀ ଡ. ତିସ୍ତା ଶୀତଲବାଡ଼।
ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ଆୟୋଜିତ ‘ଏକ ନୂଆ ସକାଳ ପାଇଁ ଆମ ଦେଶ ଜାଗ୍ରତ ହେବ’ ଶୀର୍ଷକ ବକ୍ତୃତାମାଳାରେ ଯୋଗଦେଇ ସେ କହିଛନ୍ତି ଯେ ତିନି ଦଶନ୍ଧି ଧରି ଦେଶରେ ଅସମାନତା ବଢ଼ିବାରେ ଲାଗିଛି। ଧନୀ ଲୋକମାନେ ପୁଞ୍ଜିବାଦ ଏବଂ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ସମ୍ପତ୍ତି ଜରିଆରେ ଅଧିକାଂଶ ସମ୍ପତ୍ତିର ମାଲିକ ହୋଇଛନ୍ତି। ଅଥଚ ଗରିବମାନେ ସର୍ବନିମ୍ନ ମଜୁରି, ଗୁଣାତ୍ମକ ଶିକ୍ଷା, ସର୍ବନିମ୍ନ ସ୍ବାସ୍ଥ୍ୟସେବା ପାଇଁ ସଂଘର୍ଷ କରୁଛନ୍ତି। ଧନୀ-ଗରିବ ବିଭେଦରେ ମହିଳା ଏବଂ ଶିଶୁମାନେ ବେଶି ପ୍ରଭାବିତ ହେଉଛନ୍ତି। ଭାରତୀୟ ଜଙ୍ଗଲ ଆଇନ ୧୯୨୭ ଭଳି ଔପନିବେଶିକ ଶାସନକାଳର ଅନେକ ଆଇନ ଆଜି ମଧ୍ୟ ରଦ୍ଦ ହୋଇପାରିନାହିଁ। ଯେକୌଣସି ବ୍ୟକ୍ତିଙ୍କୁ ଯେକୌଣସି ସମୟରେ ବଳପୂର୍ବକ ଗିରଫ କରି ଅତ୍ୟାଚାର କରିବା କାର୍ଯ୍ୟ ଆଜି ମଧ୍ୟ ଜାରି ରହିଛି। ଦିନେ ଯେଉଁ ସମ୍ପ୍ରଦାୟ ସବୁଠାରୁ ବେଶି ତ୍ୟାଗ କରିଥିଲେ, ସେମାନଙ୍କୁ ଆଜି ଭାରତ ବା ସୁପର ଇଣ୍ଡିଆ ନାଁରେ ସବୁଠାରୁ ଅଧିକ ତ୍ୟାଗ କରିବା ପାଇଁ ବାଧ୍ୟ କରାଯାଉଛି। ନବ୍ୟ ଉଦାରବାଦୀଙ୍କ ତିନି ଦଶନ୍ଧିର କାର୍ଯ୍ୟକଳାପ ଫଳରେ ଆଜି ସାମ୍ପ୍ରଦାୟିକ, ଏକଛତ୍ରବାଦୀ, ବ୍ରାହ୍ମଣବାଦୀ ଏବଂ ପିତୃକୈନ୍ଦ୍ରିକ ରାଷ୍ଟ୍ର ମିଳିଛି।
ଯାହା ଦେଶର ଗଣତନ୍ତ୍ରକୁ ଧ୍ବଂସ କରି ଚାଲିଛି। ଏଭଳି ସ୍ଥିତିରେ ସାମାଜିକ, ଆର୍ଥିକ, ରାଜନୈତିକ ତଥା ଜମି ଆନ୍ଦୋଳନକାରୀଙ୍କ ମଧ୍ୟରେ ସମ୍ପର୍କ ରଖିବାକୁ ବକ୍ତାମାନେ ଆହ୍ବାନ ଦେଇଥିଲେ। ରବି ରାୟ ସ୍ମୃତି କମିଟି ଏବଂ ଲୋହିଆ ଏକାଡେମି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାମାଜିକ କର୍ମକର୍ତ୍ତା ପ୍ରଫୁଲ୍ଲ ସାମନ୍ତରା ଅଧ୍ୟକ୍ଷତା ଏବଂ ସମଦୃଷ୍ଟି ସମ୍ପାଦକ ସୁଧୀର ପଟ୍ଟନାୟକ ସଂଯୋଜନା କରିଥିଲେ। ସମ୍ପାଦକ ଦେବ ପ୍ରସାଦ ରାୟ ସ୍ବାଗତ ଭାଷଣ ଏବଂ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଲୋହିଆ ଏକାଡେମି ପକ୍ଷରୁ ଘୋଷଣା ହୋଇଥିଲା ଯେ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ମିଥ୍ୟା ମକଦ୍ଦମା ଚାଲୁଥିବା ବ୍ୟକ୍ତିଙ୍କ ମୁକ୍ତି ଦାବି ନେଇ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯିବ। ସିପିଆଇ(ଏମ୍) ନେତା ଜନାର୍ଦ୍ଦନ ପତିଙ୍କ ପ୍ରସ୍ତାବ ଅନୁସାରେ, ତିସ୍ତାଙ୍କ ମକଦ୍ଦମା ଖର୍ଚ୍ଚର ସହାୟତା ପାଇଁ ଆହ୍ବାନ କରାଯାଇଥିଲା।
Follow Us