ଗୀତରେ ଗୀତରେ ଜନ୍ମଦିନର ଶୁଭେଚ୍ଛା

୭୯ ବର୍ଷରେ ପ୍ରଫୁଲ୍ଲ କର

ଗୀତରେ ଗୀତରେ ଜନ୍ମଦିନର ଶୁଭେଚ୍ଛା

ଭୁବନେଶ୍ୱର : ମଞ୍ଚରେ ଉପସ୍ଥିତ ଥିଲେ ବିଗତ ଦିନର ଓ ବର୍ତ୍ତମାନର ଲୋକପ୍ରିୟ କଣ୍ଠଶିଳ୍ପୀ। ସମସ୍ତଙ୍କ କଣ୍ଠରେ ଭାସି ଆସୁଥିଲା ଓଡ଼ିଆ ସଙ୍ଗୀତ ଜଗତର ଅନେକ କାଳଜୟୀ ଗୀତ। ସେହି ଗୀତଗୁଡ଼ିକର ସ୍ରଷ୍ଟା ଥିଲେ ପ୍ରଫୁଲ୍ଲ କର। ଶ୍ରୋତାମାନେ ଫେରିଯାଇଥିଲେ ଓଡ଼ିଆ ସଙ୍ଗୀତର ସେହି ସୁବର୍ଣ୍ଣ ଯୁଗକୁ। ଅବସର ଥିଲା ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୭୯ତମ ଜନ୍ମ ଦିବସ। କଣ୍ଠଶିଳ୍ପୀମାନେ ଗୀତରେ ଗୀତରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଆଉ ଶ୍ରୋତାମାନଙ୍କ କରତାଳିରେ ଫାଟି ପଡ଼ୁଥିଲା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ।

ପ୍ରଫୁଲ୍ଲ କରଙ୍କ ୭୯ତମ ଜନ୍ମ ଦିବସ ଅବସରରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ସଙ୍ଗୀତ କାର୍ଯ୍ୟକ୍ରମ ‘କମଳ ଦେଶ ରାଜକୁମାର’ର ଆଜି ଥିଲା ଦ୍ୱିତୀୟ ତଥା ଶେଷ ସନ୍ଧ୍ୟା। ଆଜିର ମୁଖ୍ୟ ଆକର୍ଷଣ ଥିଲେ ବିଗତ ଦିନର ଦୁଇ ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଓ ଚିତ୍ତ ଜେନା। ଉଭୟ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଅନେକ କାଳଜୟୀ ଗୀତ ଗାଇ ଓଡ଼ିଆ ସଙ୍ଗୀତ ଜଗତକୁ ରୁଦ୍ଧିମନ୍ତ କରିଛନ୍ତି। ଆଜି ପ୍ରଣବଙ୍କ କଣ୍ଠରେ ‘ମାଝିରେ...’, ‘ସୀମା ହୀନ ଦରିଆ...’, ଚିତ୍ତ ଜେନାଙ୍କ କଣ୍ଠରେ ‘ମୁଁ ଏକ ଭସା ବାଦଲ’ ଗୀତ ଶ୍ରୋତାଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ଅନ୍ୟ କଣ୍ଠଶିଳ୍ପୀମାନେ ଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ବିଭୁକିଶୋର, ମହାପ୍ରସାଦ କର, ନାଜିଆ, ଛନ୍ଦା ମିଶ୍ର, ଅଦ୍ୟାଶା ଦାସ, ଅନନ୍ୟା ଶ୍ରୀତମ ନନ୍ଦ ଓ ସାରିକା ସିଂହ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଆଜିର ସନ୍ଧ୍ୟାକୁ ଉଦ୍‌ଘାଟନ କରିଥିଲେ ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀ କରଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ପ୍ରଫୁଲ୍ଲ କରଙ୍କ ପତ୍ନୀ ମନୋରମା କର ମଞ୍ଚରେ ଉପସ୍ଥିତ ଥିଲେ। ପ୍ରଫୁଲ୍ଲ କର ଫାଉଣ୍ଡେସନ୍‌ର ଉପଦେଷ୍ଟା ନିଶିକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁୁଷ୍ଠିତ ଏହି ସଭାରେ ସଂଯୋଜକ ଡ. ଜେନାମଣି ସଞ୍ଜୀବ କୁମାର, ସମ୍ପାଦକ ଚୌଧୁରୀ ଅମିତାଭ ଦାସ, ଆବାହକ ଗିରିଜା ଦାଶ ଓ ‘ସଂସ୍କାର’ର ସାଧାରଣ ସମ୍ପାଦକ ମହାଦୀପ କର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଫୁଲ୍ଲ କରଙ୍କ ସହ କାମ କରିଥିବା ବରିଷ୍ଠ ବାଦ୍ୟଯନ୍ତ୍ର ଶିଳ୍ପୀ ଡି ଶ୍ରୀନିବାସ, ହରିଶ ରାୟ ଓ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe