ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀ, କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ଅଧୀନସ୍ଥ ସମସ୍ତ ବିଶ୍ବବିଦ୍ୟାଳୟ କର୍ମଚାରୀ ସପ୍ତମ ବେତନ କମିସନ ସୁପାରିସ ଆଧାରରେ ବର୍ଦ୍ଧିତ ଦରମା ପାଉଛନ୍ତି। ଦରମା ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ବି ପାଇସାରିଲେଣି। ହେଲେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଅଧ୍ୟାପକଙ୍କ କ୍ଷେତ୍ରରେ ଏପର୍ଯ୍ୟନ୍ତ ୭ମ ବେତନ କମିସନ ଲାଗୁ କରାଯାଇ ନାହିଁ। ଏନେଇ ଶିକ୍ଷକଙ୍କ ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। କେବେ ଲାଗୁ ହେବ ସେନେଇ କାହା ପାଖରେ ଉତ୍ତର ନାହିଁ। ଯେଉଁଥିପାଇଁ ନଭେମ୍ବର ପହିଲାରୁ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଓଡ଼ିଶା ବିଶ୍ବବିଦ୍ୟାଳୟ ଶିକ୍ଷକ ମହାସଂଘ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ସୁପରିସ ଆଧାରରେ ଅଧ୍ୟାପକମାନଙ୍କୁ ଚୟନ କରାଯାଉଛି। ସେହି ଅନୁଯାୟୀ ପଦୋନ୍ନତି ଦିଆଯାଉଥିଲେ ମଧ୍ୟ ବର୍ଦ୍ଧିତ ଦରମା ଦିଆଯାଉ ନ ଥିବାରୁ ମହାସଂଘ କ୍ଷୋଭ ପ୍ରକାଶ କରିଛି। ଏଥିସହ ବିଶ୍ବବିଦ୍ୟାଳୟ ପ୍ରଫେସରଙ୍କ ଅବସର ବୟସ ସୀମା ବୃଦ୍ଧି ନେଇ ମଧ୍ୟ ମହାସଂଘ ଦାବି ଉଠାଇଛି। ମହାସଂଘ ଆବାହକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି ଯେ ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି କରିବାକୁ ବାରମ୍ବାର ଦାବି କରାଯାଉଛି। ଗତ କିଛି ବର୍ଷ ତଳେ ରାଜ୍ୟ ସରକାର ସମସ୍ତ ବର୍ଗ କର୍ମଚାରୀଙ୍କ ବୟସ ସୀମା ଦୁଇ ବର୍ଷ ଲେଖାଏ ବଢ଼ାଇଥିବା ବେଳେ ବିଶ୍ବବିଦ୍ୟାଳୟ ଶିକ୍ଷକଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ ହୋଇ ନାହିଁ। ଏପରିକି କେନ୍ଦ୍ରୀୟ ଓ ଅନ୍ୟ ରାଜ୍ୟର ଅଧ୍ୟାପକମାନେ ଗବେଷଣା ସନ୍ଦର୍ଭ ପାଇଁ ୭୦ ଓ ୬୫ ବର୍ଷ ପର୍ଯ୍ୟନ୍ତ ତତ୍ତ୍ବାବଧାରକ ହୋଇପାରୁଥିବା ବେଳେ ଓଡ଼ିଶାରେ ଅଧ୍ୟାପକଙ୍କୁ ୬୦ ବର୍ଷ ପରେ ଅଯୋଗ୍ୟ ଘୋଷଣା କରାଯାଉଛି। ଏନେଇ ମହାସଂଘ ପକ୍ଷରୁ ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଓ ସମସ୍ତ କୁଳପତିଙ୍କୁ ଅବଗତ କରାଯାଇଛି। ଯଦି ଆସନ୍ତା ୩୧ ତାରିଖ ସୁଦ୍ଧା ଦାବି ପୂରଣ କରା ନଯାଏ ତେବେ ମହାସଂଘର ସଦସ୍ୟମାନେ ନଭେମ୍ବର ୧ରୁ ୯ ତାରିଖ ଯାଏ କଳାବ୍ୟାଚ୍ ପିନ୍ଧିବେ। ନଭେମ୍ବର ୧୨ରୁ ୧୭ ପର୍ଯ୍ୟନ୍ତ ମଧ୍ୟାହ୍ଣରେ ଏକ ଘଣ୍ଟା ଲେଖାଏ ଧାରଣା ଦେବେ। ନଭେମ୍ବର ୧୯ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ରୁ ଶିକ୍ଷକମାନଙ୍କ ଏକ ପଦଯାତ୍ରା ବାହାରି ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତିଙ୍କୁ ଦାବିପତ୍ର ଦିଆଯିବ। ତଥାପି ଦାବି ପୂରଣ ନ ହେଲେ ନଭେମ୍ବର ୨୬ରେ ଭୁବନେଶ୍ବର ରାମମନ୍ଦିର ଛକରୁ ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଏକ ମହମବତି ଶୋଭାଯାତ୍ରା କରାଯିବ। ଏଥିରେ ଉତ୍କଳ ସମେତ ବ୍ରହ୍ମପୁର, ସମ୍ବଲପୁର, ଫକୀର ମୋହନ, ଉତ୍ତର ଓଡ଼ିଶା, ଓୟୁଏଟି, ବିପିୟୁଟି, ରେଭେନ୍ସା ଓ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରତିନିଧିମାନେ ଯୋଗଦେବେ ବୋଲି ମହାସଂଘ ଆବାହକ ସର୍ବନାରାୟଣ ମିଶ୍ର କହିଛନ୍ତି।
ବିଶ୍ବବିଦ୍ୟାଳୟ ଶିକ୍ଷକଙ୍କ କ୍ଷେତ୍ରରେ ୭ମ ବେତନ କମିସନ୍ କେବେ?
Advertisment
Follow Us