ଏଲ୍‌ଆର୍‌ସି ବାଣ୍ଟିବାକୁ ଟେଣ୍ଟ୍‌ ଖର୍ଚ୍ଚ ୮ କୋଟି: ବିନା ଟେଣ୍ଡରରେ ଠିକା ଦେଇଥିଲେ

Advertisment

ବିଲ୍‌ ପାସ୍‌ ପାଇଁ କସରତ

ବିଲ୍‌ ପାସ୍‌ ପାଇଁ କସରତ

ଏଲ୍‌ଆର୍‌ସି ବାଣ୍ଟିବାକୁ ଟେଣ୍ଟ୍‌ ଖର୍ଚ୍ଚ ୮ କୋଟି: ବିନା ଟେଣ୍ଡରରେ ଠିକା ଦେଇଥିଲେ

ODISHA RAY

ଭୁବନେଶ୍ବର: ଜାଗା ମିସନ ଅଧୀନରେ ଭୂମି ଅଧିକାର ପ୍ରମାଣପତ୍ର(ଏଲ୍‌ଆରସି) ବାଣ୍ଟିବା ପାଇଁ ବନ୍ଧା ଯାଇଥିବା ଟେଣ୍ଟ ଓ ଅନ୍ୟାନ୍ୟ ବାବଦକୁ ଖର୍ଚ୍ଚ ହୋଇଛି ୮ କୋଟି। ବିନା ଟେଣ୍ଡର ଓ ପରିମାଣ ଆକଳନ ବାହାରେ ହେଉଥିବାରୁ ଏବେ ବିଲ୍‌ କେମିତି ପାସ୍‌ କରିବେ ସେ ନେଇ କସରତ ଚାଲିଛି। ଏବେ ସରକାର ବଦଳି ଯାଇଥିବା ବେଳେ ବିଏମ୍‌ସିରେ ପଶି ବିଜେପି ସାଂସଦ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା ଆରମ୍ଭ କରିଛନ୍ତି। ଏଣୁ ବିନା ଟେଣ୍ଡରରେ ଏଭଳି ଏକ ମୋଟା‌ ଅଙ୍କର ବିଲ୍‌ ପାସ୍‌ ହେବା ଆଶଙ୍କା କରି ଠିକାଦାର ଛାନିଆ ହୋଇଥିବା ବେଳେ କିକ୍‌ ବ୍ୟାକ୍‌ ଆଶାରେ କେତେକ କର୍ମଚାରୀ ଓ ଅଧିକାରୀ ମଧ୍ୟ ବିଲ୍‌ କେମିତି ପାସ୍‌ ହେବ ଲାଗି ପଡ଼ିଛନ୍ତି। ଜଣେ ଠିକାଦାରଙ୍କ ଅଭିଯୋଗ ମୁତାବକ, କଳିଙ୍ଗ ଷ୍ଟାଡିୟମ ସମେତ ବିଏମ୍‌ସି ତିନିଟି ଜୋନ୍‌ରେ ଦଫା ଦଫାରେ ଏଲ୍‌ଆର୍‌ସି ବଣ୍ଟନ କାର୍ଯ୍ୟକ୍ରମ କରିଥିଲା। ଏଥିରେ ଟେଣ୍ଟ ସମେତ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଯେଉଁ ଟେଣ୍ଡର ହେବା କଥା ତାହା କରିନଥିଲା। ବରଂ ବ୍ରହ୍ମପୁରର ଏକ ସଂସ୍ଥାକୁ ଅନୁକମ୍ପା ଦେଖାଇ କାମ ଦେଇ ଦେଇଥିଲା। ଏହା କେବଳ ଗୋଟିଏ ଉଦାହରଣ। ଏଭଳି ଗଣ୍ଡା ଗଣ୍ଡା ଉଦାହରଣ ରହିଛି। ଯେଉଁଠି ବିଏମ୍‌ସି ଜାଣି ଜାଣି ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଟେଣ୍ଡର ଦେବା ପାଇଁ ଏଭଳି ବେଆଇନ କାମ କରିଛି। ପ୍ରଥମେ କାମ କରିଦେଇ ପରେ କର୍ପୋରେସନର ସ୍ବୀକୃତି ନେଇ ଯାଉଛି। ଏଭଳି ନିୟମିତ ଚାଲିଛି। ଏବେ ସରକାର ବଦଳିଛନ୍ତି। ନୂଆ ସରକାର ଏହାର ତଦନ୍ତ କଲେ ଏକ ବଡ଼ ଘୋଟାଲା ପଦାକୁ ଆସିବ। ଅଧିକାରୀ-ଠିକାଦାର ମଧୁଚନ୍ଦ୍ରିକା ପଦାରେ ପଡ଼ିବ ବୋଲି ସେ କହିଛନ୍ତି। ବିଏମ୍‌ସିର କହିବା କଥା ହେଉଛି ବିଭିନ୍ନ ଜରୁରି କାମରେ ସ୍ବୀକୃତିପ୍ରାପ୍ତ ଠିକା ସଂସ୍ଥାଙ୍କ ଜରିଆରେ କାମ କରିବାକୁ ପଡ଼ିଥାଏ। ଏଣୁ ଏଭଳି ସ୍ଥିତିରେ ଅଭିଜ୍ଞ ବା ପୂର୍ବରୁ ସଫଳତାର ସହ କାମ କରିଥିବା ସ୍ବୀକୃତିପ୍ରାପ୍ତ ଠିକାଦାରଙ୍କ ଜରିଆରେ କାମ କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ବିଏମ୍‌ସିର ୩ଟି ଜୋନ୍‌ରେ ଥିବା ୪୩୬ଟି ବସ୍ତି ଜାଗା ମିସନ୍‌ରେ ସାମିଲ ହୋଇଥିଲା। ପ୍ରତ୍ୟେକ ହିତାଧିକାରୀ ପରିବାରଙ୍କୁ ୩୦ରୁ ସର୍ବାଧିକ ୪୫ ବର୍ଗମିଟର ଜମିର ଭୂମି ଅଧିକାର ପ୍ରମାଣପତ୍ର(ଏଲ୍‌ଆରସି) ଦିଆଯିବାକୁ ଯୋଜନା ହୋଇଥିଲା। ଠିକା ସଂସ୍ଥା ଜରିଆରେ ହୋଇଥିବା ସର୍ବେକ୍ଷଣରେ ବିଏମ୍‌ସି ପ୍ରାୟ ୧ ଲକ୍ଷ ହିତାଧିକାରୀ ଚିହ୍ନଟ କରିଥିଲା। ଏ ଯାବତ୍‌ ୭୧ ହଜାର ହିତାଧିକାରୀଙ୍କ ପାଇଁ ଏହି ଏଲ୍‌ଆରସି ପ୍ରସ୍ତୁତ ହୋଇଛି। ଏ ଯାବତ୍‌ ବିଭିନ୍ନ ଶିବିର ଆୟୋଜନ କରାଯାଇ ୫୫ହଜାର ଏଲ୍‌ଆରସି ବଣ୍ଟା ଯାଇଛି। ଏହି କାର୍ଯ୍ୟକ୍ରମରେ ହୋଇଥିବା ଖର୍ଚ୍ଚକୁ ‌ନେଇ ବିବାଦ ଛିଡ଼ା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe