୮ ଘଣ୍ଟା ଅନ୍ଧାର, ଗରମରେ ୭୦ ପରିବାର

୮ ଘଣ୍ଟା ଅନ୍ଧାର, ଗରମରେ ୭୦ ପରିବାର

Tribune India

ଖଣ୍ଡଗିରି: ପ୍ରବଳ ଗରମ ଓ ଗୁଳୁଗୁଳିରେ ଗୁରୁବାର ରାତି ୧୨ଟାରୁ ଶୁକ୍ରବାର ସକାଳ ୭ଟା ପର୍ଯ୍ୟନ୍ତ ଖଣ୍ଡଗିରି ଏବଂ ଜାଗମରା ଅଞ୍ଚଳରେ ବିଦ୍ୟୁତ୍‌ କାଟ ଯୋଗୁଁ ୭୦ରୁ ଊର୍ଦ୍ଧ୍ବ ପରିବାର ଅନ୍ଧାରରେ ଛଟପଟ ହୋଇ ରାତି କାଟିଛନ୍ତି। ଏସ୍‌ଡିଓଙ୍କ ସୂଚନାନୁସା‌ରେ, ଟ୍ରାନ୍ସଫର୍ମର୍‌ ପୋଡ଼ିଯିବାରୁ ଲାଇନ୍‌ କଟି ଯାଇଥିଲା ଓ ମରାମତି କରିବା ବେଳକୁ ସକାଳ ହୋଇଯାଇଥିଲା।

କେବଳ ଗତକାଲି ନୁହେଁ, ଖଣ୍ଡଗିରି ଜାଗମରା, କଳିଙ୍ଗନଗର, ଘାଟିକିଆ ଖଣ୍ଡଗିରିବାରି ଅଞ୍ଚଳବାସୀ ପ୍ରାୟ ସବୁଦିନ ଏମିତି ହନ୍ତସନ୍ତ ହେଉଛନ୍ତି। ଏହି ଅଞ୍ଚଳ‌ରେ ଅଧିକାଂଶ ଦିନ ୫ରୁ ୮ଘଣ୍ଟା ବିନା ବିଜୁଳି କାଟ ହେଉଛି। କେବେ ସାମାନ୍ୟ ବର୍ଷାରେ ବିଦ୍ୟୁତ୍‌ ତ‌ାର ଛିଡ଼ି ଯାଉଛି ତ କେବେ ଟ୍ରାନ୍‌ସଫର୍ମର ପୋଡ଼ି ରାତି ସାରା ଲାଇନ୍‌ ଆସୁନି। ଗୁରୁତର କଥା ହେଲା, ଗ୍ରାହକ ସେବା କେନ୍ଦ୍ରକୁ ଯୋଗାଯୋଗ କଲେ, କେହି ଫୋନ୍ ଉଠାନ୍ତି ନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ରାତି ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଖଣ୍ଡଗିରି ଓ ଜାଗମରାବାସୀଙ୍କୁ ବିଦ୍ୟୁତ୍‌ କାଟ ଅସ୍ତବ୍ୟସ୍ତ କରି ପକାଇଥିଲା। ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇଥିବା ଲ୍ୟାଣ୍ଡଲାଇନ୍ ନମ୍ବରକୁ ବାରମ୍ବାର ଫୋନ୍‌ କଲେ ମଧ୍ୟ କେହି ଫୋନ୍‌ ଉଠାଇ ନଥିଲେ। ସବଷ୍ଟେସନ୍‌ର ଲ୍ୟାଣ୍ଡ୍‌ ଲାଇନ୍‌କୁ ଯୋଗାଯୋଗ କରିବାକୁ ଚାହିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା। ଉକ୍ତ ନମ୍ବର କେବେ ରାତିତମାମ ବ୍ୟସ୍ତ କହୁଛି ତ କେବେ ଫୋନ୍‌ ରିଙ୍ଗ୍‌ ହୋଇ ବନ୍ଦ ହେଉଥିଲେ ମଧ୍ୟ କେହି ଉତ୍ତର ଦେଉନାହାନ୍ତି। ଫଳରେ ଲୋକ ସୂଚନା ନ ପାଇଁ ଅନିର୍ଦ୍ଦି‌ଷ୍ଟ କାଳ ପର୍ଯ୍ୟନ୍ତ ଗରମରେ ଛଟପଟ ହେବା ସହିତ ମ‌ାନସିକ ଆଶାନ୍ତି ଭିତରେ ରହୁଛନ୍ତି।
ଗତ ୩୦ ତାରିଖ ଅପରାହ୍‌ଣରେ ଅଧଘଣ୍ଟା କାଳବୈଶାଖୀଜନିତ ବର୍ଷା-ପବନ ହେବାରୁ ୬ଘଣ୍ଟାରୁ ଅଧିକ ସମୟ ଧରି ଖଣ୍ଡଗିରି, ଜାଗମରା ଆଦି ଅଞ୍ଚଳ ଅନ୍ଧାରରେ ରହିଥିଲେ। ଏ ନେଇ ଯୋଗାଯୋଗ କରିବାରୁ ବିଦ୍ୟୁତ ତାର ଛିଡ଼ି ଯାଇଛି ବୋଲି ଉତ୍ତର ମିଳିଥିଲା।

ଏ ନେଇ ସ୍ଥାନୀୟ ଅଞ୍ଚଳର ପୂଜା ସିଂହଙ୍କ କହିବା କଥା, ପ୍ରତିଦିନ ଲାଇନ୍‌ କଟିବା ଗୋଟିଏ ଅଭ୍ୟାସରେ ପରିଣତ ହୋଇଗଲାଣି। ମାସକୁ ୨ହଜାରରୁ ଅଧିକ ଟଙ୍କା ବିଦ୍ୟୁତ୍‌ ବିଲ୍‌ ଦେଉଥିବା ବେଳେ ବାରମ୍ବାର ବିଦ୍ୟୁତ୍ କଟିବା ଦୁଃଖର ବିଷୟ। କେବେ ତାର ଛିଡ଼ିଯାଉଛି ବୋଲି କହି ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ହେଉଛି ତ କେବେ ଟ୍ରିପ୍‌ ହେଉଥିବାରୁ ଲାଇନ୍‌ କଟୁଛି ବୋଲି କୁହାଯାଉଛି। ବାରମ୍ବାର ବିଦ୍ୟୁତ୍‌ ଟ୍ରିପ୍‌ ଯୋଗୁଁ ବୈଦ୍ୟୁତିକ ସାମଗ୍ରୀ ପୋଡ଼ି ଯାଉଛି। ଖଣ୍ଡଗିରି ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଦେବଦତ୍ତ ଉପାଧ୍ୟାୟଙ୍କ କହିବା କଥା, ଉକ୍ତ ଅଞ୍ଚଳରେ ଟ୍ରାନ୍‌ସଫର୍ମର ପୋଡ଼ି ଯାଇଥିବାରୁ ଲାଇନ୍‌ ନଥିଲା। ବିଦ୍ୟୁତ୍‌ ଯୋଗାଣରେ‌ କିଛି ସମସ୍ୟା ନାହିଁ। ଲୋକଙ୍କର ସମସ୍ୟାକୁ ତୁରନ୍ତ ସମାଧାନ କରାଯିବାକୁ ସବୁବେଳେ ଚେଷ୍ଟା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe