ରାଜଧାନୀର ୮ ବିଚକ୍ଷଣ ପିଲା ‘୧୦୪ ବିଶ୍ୱ ରେକର୍ଡ ଇନ୍‌ ଓ୍ଵାନ୍‌ ଡେ’

ରାଜଧାନୀର ୮ ବିଚକ୍ଷଣ ପିଲା ‘୧୦୪ ବିଶ୍ୱ ରେକର୍ଡ ଇନ୍‌ ଓ୍ଵାନ୍‌ ଡେ’

ଭୁବନେଶ୍ୱର: ଚିନ୍ତା କରନ୍ତୁ ଆପଣଙ୍କୁ ୩୦ଟି ମାଗାଜିନ୍‌ ପଢ଼ିବାକୁ ଦିଆଯିବ। ଏହାପରେ ଆପଣଙ୍କୁ ପଚରାଯିବ ଯେ ୧୨ତମ ମାଗାଜିନ୍‌ର ୪୮ନମ୍ବର ପୃଷ୍ଠାର ଶିରୋନାମା କ’ଣ ରହିଛି? ଉତ୍ତର ଦେଇପାରିବେ କି? ନା। କିନ୍ତୁ ଓଡ଼ିଶାର ୭ମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଜୀବନ ଏହା କରି ଦେଖାଇଛନ୍ତି। ବିନା ବାଧାରେ ସେ ଏହାର ଉତ୍ତର ଦେଇ ରେକର୍ଡର ଅଧିକାରୀ ହୋଇଛନ୍ତି। କେବଳ ଜୀବନ ନୁହଁନ୍ତି। ତାଙ୍କ ପରି ଭୁବନେଶ୍ୱରର ଆହୁରି ୭ ଜଣ ଛାତ୍ରଛାତ୍ରୀ ଏଭଳି କାରନାମା କରି ଦେଖାଇଛନ୍ତି। ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବା ସହ ରେକର୍ଡର ଅଧିକାରୀ ହୋଇଛନ୍ତି। ସେଭଳି ଆଉ ଜଣେ ଛାତ୍ର ହେଉଛନ୍ତି ସୁବ୍ରତ। ଯେ କି ଅକ୍ସଫୋର୍ଡ ଡିକ୍ସିନାରିର ଯେକୌଣସି ପୃଷ୍ଠାର ହେଡିଙ୍ଗ୍‌ କହିପାରିବେ। ଏପରିକି ସେହି ଡିକ୍ସନାରିରେ ଥିବା ୧୨୦୦ରୁ ପ୍ରଥମ ପୃଷ୍ଠା ପର୍ଯ୍ୟନ୍ତ ପଛୁଆ ଭାବେ ହେଡିଙ୍ଗ୍‌ କହିବାର ଦକ୍ଷତା ତାଙ୍କର ରହିଛି। ଯେଉଁଥି ପାଇଁ ସେ ଭୁବନେଶ୍ୱରରେ ଡିକ୍ସିନାରି କିଡ୍‌ସ ନାମରେ ପରିଚିତ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ସୁବ୍ରତଙ୍କ ସମେତ ଆଶୁତୋଷ ଏକ ଭିନ୍ନ ରେକର୍ଡର ଅଧିକାରୀ ହୋଇଛନ୍ତି। ସେମାନେ ବିଶ୍ୱର ସମସ୍ତ ଦେଶର ନାମ, ଏହାର ରାଜଧାନୀ, ଜାତୀୟ ପତାକାକୁ ସଠିକ୍‌ ଭାବେ କହିପାରୁଛନ୍ତି। ଯେଉଁଥିପାଇଁ ସେମାନେ ପାଲଟିଛନ୍ତି ଭୁବନେଶ୍ୱରର ‘ଦି ଜୋଗ୍ରାଫି ଜିନିଅସ୍‌’।

ଏମାନଙ୍କ ବ୍ୟତୀତ ଆଉ କିଛି ଛାତ୍ରଛାତ୍ରୀ ‘ଦି ହିଷ୍ଟ୍ରି ମାଷ୍ଟର’, ‘ଦି ପର୍ସନାଲିଟି ରିକଲର’, ‘ଦି ମେମୋରି ମାଷ୍ଟର’, ‘ଦି ଲିଭିଂ କାଲକୁଲେଟର’କୁ ମଧ୍ୟ ଚିହ୍ନଟ କରାଯାଇଛି। ଏମାନଙ୍କୁ ତାଲିମ ଦେଇଛନ୍ତି ଅଟଳ ବିହାରୀ ମଲ୍ଲିକ। ଶ୍ରୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପିଲାମାନଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିଛି। ଆଉ ସେମାନେ ଜଣେ ଜଣେ ସଫଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଏଭଳି ରେକର୍ଡଧାରୀ ଛାତ୍ରଛାତ୍ରୀଙ୍କୁ ନେଇ ଆଜି ୟୁନିଟ୍‌-୮ସ୍ଥିତ କମ୍ୟୁନିଟି ସେଣ୍ଟରରେ ସୁପର୍ବ ମାଇଣ୍ଡସ୍‌ ପକ୍ଷରୁ ‘୧୦୪ ବିଶ୍ୱ ରେକର୍ଡ ଇନ୍‌ ଓ୍ଵାନ୍‌ ଡେ’ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଯୋଗ ଦେଇ ପିଲାମାନଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe