୮ ବର୍ଷର ଶିଶୁକୁ ପୁଲିସ ସମନ୍‌ ମାମଲା : ଡିସିପିଙ୍କୁ ଜବାବ ମାଗିଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ

Advertisment

ଓଏଚ୍‌ଆର୍‌ସିରେ ପିଟିସନ୍‌

ଓଏଚ୍‌ଆର୍‌ସିରେ ପିଟିସନ୍‌

୮ ବର୍ଷର ଶିଶୁକୁ ପୁଲିସ ସମନ୍‌ ଘଟଣା : ଥାନା ଅଧିକାରୀଙ୍କ ବୟାନ ରେକର୍ଡ ହେବ

ଭୁବନେଶ୍ବର/ବାଲିପାଟଣା : ବାଲିପାଟଣା ଥାନା ଦେଉଳିଧରପୁର ଗ୍ରାମର ଜଣେ ୮ ବର୍ଷର ଶିଶୁକନ୍ୟାକୁ ପୁଲିସ ୧୦୭ ଦଫାରେ ସମନ୍‌ କରି କୋର୍ଟରେ ହାଜର କରିବା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। କୋମଳମତି ଶିଶୁକୁ କାଠଗଡ଼ା ପର୍ଯ୍ୟନ୍ତ ଟାଣିନେବା ଭଳି ଦାୟିତ୍ବହୀନତାକୁ ନେଇ କମିସନରେଟ୍‌ ପୁଲିସ ବିଭିନ୍ନ ମହଲରୁ କଟୁ ସମାଲୋଚନାର ଶିକାର ହୋଇଛି। ଶିଶୁ ଅଧିକାର ସୁରକ୍ଷା ପାଇଁ କାମ କରୁଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି ଏବଂ ତଦନ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଆଜି ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତି ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସି) ଅଧ୍ୟ୍ୟକ୍ଷାଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଅଭିଯୋଗ ପାଇବା ପରେ ଓଏସ୍‌ସିପିସି ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି। କେଉଁ ପରିସ୍ଥିତିରେ ଶିଶୁକନ୍ୟାକୁ କୋର୍ଟକୁ ପଠାଗଲା, ସେ ନେଇ ଜବାବ ରଖିବାକୁ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସେ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ମଧ୍ୟ ନୋଟିସ ପଠାଇଛନ୍ତି। ତେଣୁ ଏହି ମାମଲାର ତଦନ୍ତକାରୀ ଅଧିକାରୀଙ୍କ ପାଇଁ ଅଡ଼ୁଆ ବଢ଼ିଛି।

ସମ୍ପ୍ରତି ରାଜ୍ୟରେ ଶିଶୁ ଓ ମହିଳାଙ୍କ ସୁରକ୍ଷା ନେଇ ସବୁ ମହଲରୁ ଉଦ୍‌ବେଗ ପ୍ରକାଶ ପାଉଥିବାରୁ ଏହି ମାମଲାର ଗୁରୁତ୍ବ ଆହୁରି ବଢ଼ିଯାଇଛି। ଏହି ମାମଲାରେ ଖୋଦ୍‌ ପୁଲିସ ହିଁ ଶିଶୁ ଅଧିକାର କ୍ଷୁଣ୍ଣ କରିଥିବା ଅଭିଯୋଗ ହୋଇଥିବାରୁ ତଦନ୍ତ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସୂଚନା ମୁତାବକ, ପାରିବାରିକ କଳହକୁ କେନ୍ଦ୍ର କରି ଗତ ଡିସେମ୍ବର ୧୫ ତାରିଖରେ ବାଲିପାଟଣା ଥାନା ଦେଉଳିଧର ପୁର ଗ୍ରାମର ଧର୍ମାନନ୍ଦ ଜେନା ଏବଂ ଅକ୍ଷୟ ଜେନାଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବନମାଳିପୁର ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ ଉଭୟ ପରିବାରର ସଦସ୍ୟମାନଙ୍କ ବିରୋଧରେ ଦଫା ୧୦୭ ଲାଗୁ କରି ସମନ୍‌ ଜାରି କରିଥିଲା। ଏଥିରେ ଜଣେ ୮ ବର୍ଷର ଶିଶୁକନ୍ୟାର ନାଁ ରହିଥିଲା। ସମନ୍‌ ପାଇବା ପରେ ଶିଶୁକନ୍ୟାକୁ ଧରି ପରିବାର ଲୋକେ ଗତକାଲି ଭୁବନେଶ୍ୱର ଅତିରିକ୍ତ ଡିସିପିଙ୍କ କୋର୍ଟରେ ହାଜର ହୋଇଥିଲେ। ୮ ବର୍ଷ ବୟସର ନାବାଳିକାକୁ କାଠଗଡ଼ାରେ ଦେଖି ନିଜେ ମାଜିଷ୍ଟ୍ରେଟ୍‌ ତଥା ଅତିରିକ୍ତ ଡିସିପି ବ୍ୟଥିତ ହେବା ସହ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ।

ଓଏଚ୍‌ଆର୍‌ସିରେ ପିଟିସନ୍‌
ଭୁବନେଶ୍ବର : ଜଣେ ୮ ବର୍ଷର ଶିଶୁ କନ୍ୟାକୁ ୧୦୭ ଦଫା ଲଗାଇ କୋର୍ଟ ପଠାଇବା ମାମଲାର ତଦନ୍ତକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି।

ଚାଇଲ୍ଡ ଲାଇନ୍‌ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ଏନେଇ ଦାବି ଉପସ୍ଥାପନ କରିଥିବା ବେଳେ ମାନବ ଅଧିକାର ପାଇଁ ଲଢ଼େଇ କରୁଥିବା ପ୍ରଦୀପ୍ତ ନାୟକ ଆଜି ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତଦନ୍ତକାରୀ ଅଧିକାରୀ ଶିଶୁକନ୍ୟାକୁ ନୋଟିସ୍‌ ଦେଇ ଶିଶୁ ଅଧିକାର କ୍ଷୁଣ୍ଣ କରିଛନ୍ତି। ସୁପରଭିଜନ କରୁଥିବା ଅଧିକାରୀ ମଧ୍ୟ ଏହାକୁ ସମର୍ଥନ କରି ସମାନ ପରିମାଣର ଦୋଷ କରିଛନ୍ତି। ଏଣୁ ଏ ନେଇ ଡିସିପିଙ୍କୁ ରିପୋର୍ଟ ତଲବ କରିବା ସହ ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବାକୁ ସେ ପିଟିସନ ଦାଖଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe