ରାସ୍ତାକଡ଼ରୁ ୮୦ ଦୋକାନ ଉଚ୍ଛେଦ

Advertisment
ରାସ୍ତାକଡ଼ରୁ ୮୦ ଦୋକାନ ଉଚ୍ଛେଦ

ଚନ୍ଦ୍ରଶେଖରପୁର: ଜୟଦେବ ବିହାରର-ନନ୍ଦନକାନନ ରାସ୍ତାରେ ଭିଡ଼ ନିୟନ୍ତ୍ରଣ ପାଇଁ ବିଡିଏ ଓ ବିଏମ୍‌ସି ପକ୍ଷରୁ ରାସ୍ତାକଡ଼ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଗତକାଲି ଡମଣା ଛକରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ରାସ୍ତାକଡ଼ରୁ ୩୦ ଦୋକାନ ଭଙ୍ଗା ଯାଇଥିଲା। ଆଜି ନୀଳାଦ୍ରିବିହାର ପେଟ୍ରୋଲ୍‌ ପମ୍ପଠାରୁ ଆଗକୁ ୮୦ଟି ଦୋକାନକୁ ଉଚ୍ଛେଦ କରାଯାଇଛି। ଥଇଥାନ ଦାବିରେ ଦୋକାନୀମାନେ ପ୍ରତିବାଦ କରିଥିଲେ ବି ପୁଲିସ ବଳ ଆଗରେ ସେମାନଙ୍କ ପ୍ରତିବାଦ ନରମି ଯାଇଥିଲା ଓ ସେମାନେ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ତେବେ ପରେ ସେମାନଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରିବା ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି।

ଆଜି ଚନ୍ଦ୍ରଶେଖରପୁର ମୌଜା ଅଧୀନ ନୀଳାଦ୍ରିବିହାର ପେଟ୍ରୋଲ ପମ୍ପ ନିକଟରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତକାଲିଠାରୁ ବ୍ୟବସାୟୀମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ କାରଣରୁ ଗଣ୍ଡଗୋଳ ଆଶଙ୍କା କରି ଆଜି ୫ ପ୍ଲାଟୁନ୍‌ ପୁଲିସ ବଳ ନିୟୋଜିତ ହୋଇଥିଲେ। ଇନ୍‌ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ଅଧିକାରୀମାନେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସଜାଗ ଥିଲେ। ତଥାପି ସେଠାରେ ଉତ୍ତେଜନା ଦେଖାଯିବାରୁ ପୁଲିସ ଅଧିକାରୀମାନେ ପ୍ରଥମେ ବ୍ୟବସାୟୀମାନଙ୍କୁ ବୁଝାସୁଝା କରିଥିଲେ। ଶେଷରେ ପୁଲିସ ବଳ ପ୍ରୟୋଗ କରିବାକୁ ନିଷ୍ପତ୍ତି ନେବା ଜଣାପଡ଼ିବା ପରେ ବ୍ୟବସାୟୀମାନେ ହଟି ଯାଇଥିଲେ। ଏହି ଉଚ୍ଛେଦ କାର୍ଯ୍ୟ‌ରେ ବିଡିଏ ପକ୍ଷରୁ ଅଧିକାରୀ ହରୀଶ ଚନ୍ଦ୍ର ନାୟକ, ପ୍ରମୋଦ କୁମାର ପାତ୍ର, ସାଧାରଣ ପ୍ରଶାସନ ପକ୍ଷରୁ ମାନସ ରଂଜନ ସାମଲ, ଅମୀୟ ଦାସ, ଜୋନ୍ ଏସିପି ପ୍ରକାଶ ଚନ୍ଦ୍ର ପାଲ, ଆଇଆଇସି ଯୁବରାଜ ସ୍ବାଇଁ ଓ ବିଶ୍ବରଂଜନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe