ଭସାଣରେ ୮୦୦ କଳାକାର: ୪୮ ବର୍ଷରେ ନେତାଜୀ ଯୁବକ ସଂଘ ହରପାର୍ବତୀ ପୂଜା

ବଡ଼ଗଡ଼ ଗାଁର କିଛି ଯୁବକ ମିଶି ୧୯୬୭ ମସିହାରେ ପଞ୍ଜୀକରଣ କରିଥିଲେ ‘ନେତାଜୀ ଯୁବକ ସଂଘ’। ଏହାର ୯ ବର୍ଷ ପରେ ଆରମ୍ଭ ହୋଇଥିଲା ହରପାର୍ବତୀଙ୍କ ପୂଜା। ଏକାମ୍ରକ୍ଷେତ୍ର ଯୋଗୁଁ ସଦସ୍ୟମାନେ ମା’ ଦୁର୍ଗାଙ୍କ ପୂଜା ପରିବର୍ତ୍ତେ ହରପାର୍ବତୀ ପୂଜା କରିବାକୁ ନିଷ୍ପତ୍ତି ନେଇଥି‌ଲେ।

gjgjdgdgjdgj

ଭୁବନେଶ୍ବର: ବଡ଼ଗଡ଼ ଗାଁର କିଛି ଯୁବକ ମିଶି ୧୯୬୭ ମସିହାରେ ପଞ୍ଜୀକରଣ କରିଥିଲେ ‘ନେତାଜୀ ଯୁବକ ସଂଘ’। ଏହାର ୯ ବର୍ଷ ପରେ ଆରମ୍ଭ ହୋଇଥିଲା ହରପାର୍ବତୀଙ୍କ ପୂଜା। ଏକାମ୍ରକ୍ଷେତ୍ର ଯୋଗୁଁ ସଦସ୍ୟମାନେ ମା’ ଦୁର୍ଗାଙ୍କ ପୂଜା ପରିବର୍ତ୍ତେ ହରପାର୍ବତୀ ପୂଜା କରିବାକୁ ନିଷ୍ପତ୍ତି ନେଇଥି‌ଲେ। ସେହି ସମୟରୁ ୪୮ ବର୍ଷ ଧରି ବଡ଼ଗଡ଼ ଓ ବଡ଼ଗଡ଼ ବ୍ରିଟ୍‌ କଲୋନିବାସୀ ମିଳିତ ଭାବେ ହରପାର୍ବତୀଙ୍କ ପୂଜା କରି ଆସୁଛନ୍ତି। ଚଳିତ ବର୍ଷ ମଧ୍ୟ ନେତାଜୀ ଯୁବକ ସଂଘ ପକ୍ଷରୁ ଧୁମ୍‌ଧାମ୍‌ରେ ପୂଜା ପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି ଚଳାଇଛି। ୭୦ ଫୁଟ୍‌ ଉଚ୍ଚତା ଓ ୬୦ ଫୁଟ୍‌ ଚଉଡ଼ାର ଆକର୍ଷଣୀୟ ତୋରଣ ନିର୍ମାଣ ଚାଲିଛି। ମେଦିନିପୁର ଅଞ୍ଚଳର ପ୍ରାୟ ୪୦ ଜଣ କାରିଗର ୧୫ ଦିନ ହେବ ତୋରଣ ଗଢ଼ୁଛନ୍ତି। ମଣ୍ଡପରେ ହରପାର୍ବତୀଙ୍କ ସହ କାର୍ତ୍ତିକ, ଗଣେଶ ଓ ପାର୍ଶ୍ବ ଦେବଦେବୀ ମଧ୍ୟ ପୂଜା ପାଇବେ।  ସମସ୍ତ ଦେବଦେବୀ ସୁନା ଓ ଚାନ୍ଦିର ଅଳଙ୍କାର ପିନ୍ଧିବେ। ସୁରକ୍ଷା ଦୃଷ୍ଟିରୁ ୧୨ଟି ସିସିଟିଭି ସହ ୭୦ ଜଣ ସଦସ୍ୟ ଓ ସୁରକ୍ଷାକର୍ମୀ ନିୟୋଜିତ ହେବେ। ପୂଜାକୁ ଆଖିଝଲସିଆ କରିବାକୁ ଏଥର କୋଲକାତାରୁ ଆକର୍ଷଣୀୟ ଲାଇଟ୍‌ ଆସିଛି। ଏଥିସହ ମୁଖ୍ୟ ଆକର୍ଷଣ ସାଜିବ ୬୫ ଫୁଟିଆ ୬ଟି ଲାଇଟ୍‌ ଗେଟ୍‌ ଓ ୭୦ଟି ବୋର୍ଡ। ବଡ଼ଗଡ଼, ବ୍ରିଟ୍‌ କଲୋନିର ମୁଖ୍ୟରାସ୍ତାସବୁ ଅତ୍ୟାଧୁନିକ ଆଲୋକରେ ଝଲସିବ। ଅଷ୍ଟମୀ ଦିନ ୨,୦୦୦ ଲୋକଙ୍କୁ ଦହି ଖେଚୁଡ଼ି ବଣ୍ଟନ କରାଯିବ।

ଅଦ୍ଭୂତପୂର୍ବ ଭସାଣ ଉତ୍ସବ
ନେତାଜୀ ଯୁବକ ସଂଘ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ପୂଜା କରାଯାଉଛି। ଏଥର ପୂଜା ସହ ଭସାଣ ମଧ୍ୟ ଆକର୍ଷଣୀୟ ହେବ। କ‌ାରଣ ଭସାଣ ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୮୦୦  କଳାକାର ସାମିଲ ହେବେ। ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, କଳାହାଣ୍ଡି, ତାଳଚେରର ପାରମ୍ପରିକ ନୃତ୍ୟ, ବ୍ରହ୍ମପୁରର ବାଦ୍ୟଯନ୍ତ୍ର, ବୌଦ୍ଧର ମୟୂର ନାଚ ଏବଂ ଶ୍ରୀକାକୁଲମର ବ୍ୟାଣ୍ଡପାର୍ଟି ଭସାଣରେ ଯୋଗଦେବେ। ପୁରୀର ଘଣ୍ଟୁଆମାନେ ମଧ୍ୟ ଅନ୍ୟତମ ଆକର୍ଷଣ ସାଜିବେ। ଭସାଣରେ ବଡ଼ଗଡ଼ ଗ୍ରାମ ଓ ବ୍ରିଟ୍‌ କେଲାନିର ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ସାମିଲ କରାଯିବ। 
- ସନ୍ତୋଷ କୁମାର ସିଂହ, ସଭାପତି

୫ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ
ଏଥର ଚାରିଛକରେ ସାଂସ୍କୃତିକ କାର୍ଯ୍ୟକ୍ରମ ୧୦ରୁ ୧୪ ତାରିଖ ଯାଏ ୫ ଦିନ ଧରି ଅନୁଷ୍ଠିତ ହେବ। ଓଡ଼ିଶାର ଆଗଧାଡ଼ିର ମେଲୋଡି ଗ୍ରୁପ୍‌ ‌ଯୋଗଦେବେ। ଏଥିସହ ମୀନାବଜାର ବି ପଡ଼ିବ। ସଂଘର ୮୦ ଜଣ ସଦସ୍ୟ ସ୍ବେଚ୍ଛାସେବୀ ଭାବେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବେ। 
- ବୃନ୍ଦାବନ ଦାସ, ସଂପାଦକ

ପୂଜାରେ ପ୍ଲାଷ୍ଟିକ୍‌ ବ୍ୟାନ୍‌
ଡିଜେ ଉପରେ କମିସନରେଟ ପୋଲିସ ଜାରି କରିଥିବା କଟକଣାକୁ ନେତାଜୀ ଯୁବକ ସଂଘ ସମର୍ଥନ କରୁଛି। ଏଥିସହ ମଣ୍ଡପରେ ନିଶା ନିବାରଣ କରାଯିବାକୁ ନିଷ୍ପତ୍ତି ହୋଇଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂଜାରେ ପ୍ଲାଷ୍ଟିକ୍‌ ବ୍ୟାନ୍‌ କରାଯାଇଛି। 
- ଦୀପକ କୁମାର ବେହେରା, କୋଷାଧ୍ୟକ୍ଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe