ଅଷ୍ଟମ ଜାତୀୟ ଆଇଏସିସି ସମ୍ମିଳନୀ: ଇଗ୍ନୋରେ ପଢ଼ାହେଉ କ୍ଲିନିକାଲ କାର୍ଡିଓଲୋଜି

Advertisment
ଅଷ୍ଟମ ଜାତୀୟ ଆଇଏସିସି ସମ୍ମିଳନୀ: ଇଗ୍ନୋରେ ପଢ଼ାହେଉ କ୍ଲିନିକାଲ କାର୍ଡିଓଲୋଜି

ଭୁବନେଶ୍ୱର: ହୃଦ୍‌ରୋଗ ଜନିତ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇବା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କୁ ମଧ୍ୟ ଉତ୍ତମ ଚିକିତ୍ସା ଯୋଗାଇବାର ଆବଶ୍ୟକତା ରହିଛି। ଚିକିତ୍ସା ସହିତ କିଭଳି ଲୋକମାନେ ଏହାକୁ ଦୂରେଇ ପାରିବେ ସେଥିପାଇଁ ସଚେତନତା କରାଯିବା ଆବଶ୍ୟକ। ସୋସିଆଲ ମିଡିଆ ଏ ଦିଗରେ ବିଶେଷ ସହାୟକ ହୋଇପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା।

ଆଜି ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନାସନାଲରେ ଇଣ୍ଡିଆନ ଆସୋସିଏସନ୍‌ ଅଫ୍‌ କ୍ଲିନିକାଲ କାର୍ଡିଓଲୋଜି ପକ୍ଷରୁ ୮ମ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଜେନା କହିଲେ, ରାଜ୍ୟ ସରକାରଙ୍କ ଅଣ ସଂକ୍ରମିତ ରୋଗର ଚିକିତ୍ସା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଉଚ୍ଚ ରକ୍ତଚାପ, ମଧୁମେହ ଓ ହୃଦ୍‌ରୋଗ ଭଳି ରୋଗର ଚିକିତ୍ସା ପାଇଁ ୧୦ଟି ଜିଲ୍ଲାରେ ସ୍କି୍ରିନିଂ ଆରମ୍ଭ ହୋଇଛି। ଏଥିପାଇଁ କର୍ମଚାରୀଙ୍କୁ ସ୍ୱତନ୍ତ୍ରଭାବେ ଟ୍ରେନିଂ ପ୍ରଦାନ କରାଯାଇଛି। ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଯନ୍ତ୍ରପାତି ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି।

ଟେଲି ମେଡିସିନ୍‌ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଚକ୍ଷୁ ରୋଗର ଚିକିତ୍ସା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଚକ୍ଷୁ ରୋଗର ଚିକିତ୍ସା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା କାର୍ଯ୍ୟକ୍ରମ ଦେଶରେ ପ୍ରଥମ। ଭୁବନେଶ୍ୱର ଡାକ୍ତରମାନଙ୍କ ସମ୍ମିଳନୀ ପାଇଁ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ପ୍ରତ୍ୟେକ ମାସରେ ଏଭଳି ସମ୍ମିଳନୀ ଅନୁଷ୍ଠିତ ହେଉଛି। ତେଣୁ ଆଜିର ଏହି ସମ୍ମିଳନୀ ହୃଦ୍‌ରୋଗର ଚିକିତ୍ସା କ୍ଷେତ୍ରରେ ନୂଆ ଦିଗ ପ୍ରଦାନ କରିବ ବୋଲି ଶ୍ରୀ ଜେନା କହିଥିଲେ।

କେରଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍‌ସର ଅଧ୍ୟକ୍ଷ ପଦ୍ମଶ୍ରୀ ପ୍ରଫେସର ଡା.ଗୋଭିନ୍ଦନ ବିଜୟ ରାଘବନ କହିଲେ, ହୃଦ୍‌ରୋଗ ଚିକିତ୍ସାର ମେରୁଦଣ୍ଡ ହେଉଛନ୍ତି କ୍ଲିନିକାଲ କାର୍ଡିଓଲୋଜିଷ୍ଟ। ଡିଏମ୍‌ କାର୍ଡିଓଲୋଜିଙ୍କ ଯେତିକି ଆବଶ୍ୟକତା ରହିଛି କ୍ଲିନିକାଲ କାର୍ଡିଓଲୋଜିଷ୍ଟମାନଙ୍କ ମଧ୍ୟ ସେଭଳି ଆବଶ୍ୟକତା ରହିଛି। ଏଥିପାଇଁ ୨୦୦୬ ମସିହାରେ କ୍ଲିନିକାଲ କାର୍ଡିଓଲୋଜିଷ୍ଟ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏହି ପାଠ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ମାତ୍ର ଗତ ୩ବର୍ଷ ଇଗ୍ନୋରେ ଏହି ପାଠ୍ୟକ୍ରମକୁ ବନ୍ଦ କରି ଦିଆଯାଇଛି। ତେଣୁ ଇଗ୍ନୋ ଏହି ପାଠ୍ୟକ୍ରମ ଚାଲୁ ରଖିଲେ ଦେଶର ସାଧାରଣ ଲୋକ ଉପକୃତ ହୋଇପାରିବେ ବୋଲି ଶ୍ରୀ ବିଜୟ ରାଘବନ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କେୟାର ହସ୍ପିଟାଲର ମେଡିକାଲ ଡାଇରେକ୍ଟର ଡା.ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, ପରିଚାଳନା କମିଟିର ଅଧ୍ୟକ୍ଷ ଡା.ଓ୍ଵାଇ ଜେକେ ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ବିଶେଷଜ୍ଞ ଓ ଭେଷଜ ବିଶେଷଜ୍ଞ ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe