ଭୁବନେଶ୍ୱର:ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନ୍ଏସ୍ଡି) ପକ୍ଷରୁ ବିଶ୍ୱର ସର୍ବବୃହତ ନାଟ୍ୟ ମହାକୁମ୍ଭ ‘ଥିଏଟର ଅଲିମ୍ପିକ୍ସ’ ଦିଲ୍ଲୀର ଲାଲକିଲ୍ଲାଠାରେ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୪ ତାରିଖରୁ ମାର୍ଚ ୧୦ ତାରିଖ ପର୍ଯ୍ୟନ୍ତ ରାଜଧାନୀର ତିନୋଟି ମଣ୍ଡପରେ ୧୪ଟି ନାଟକ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗରେ ପ୍ରଦର୍ଶିତ କରାଯିବ ବୋଲି ସୂଚନା ମିଳିଛି। ହୋଟେଲ କଳିଙ୍ଗ ଅଶୋକଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି, ଏହି ଅଲିମ୍ପିକ୍ସିରେ ଓଡ଼ିଶାକୁ ୧୪ ନାଟକ ପ୍ରଦର୍ଶନ କରିବାର ସୁଯୋଗ ମିଳିଛି। ଦର୍ଶକ ବିଭିନ୍ନ ଭାଷାର ନାଟକ ଏହି ଉତ୍ସବରେ ଦେଖିବାର ସୁଯୋଗ ପାଇବେ। ଫେବ୍ରୁଆରି ୨୪ ଉଦ୍ଘାଟନୀ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ମନୋଜ ମିତ୍ରଙ୍କ ନିର୍ଦେଶିତ ନାଟକ ‘ଗଳ୍ପ ହାକିମ ସାହେବ’ ପ୍ରଦର୍ଶିତ ହେବ। ୨୭ ତାରିଖ (୪ ଦିନ) ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ନାଟକ ପ୍ରଦର୍ଶିତ ହେବ। ଫେବ୍ରୁଆରି ୨୮ରୁ ମାର୍ଚ ୭ ପର୍ଯ୍ୟନ୍ତ ଆଚାର୍ଯ୍ୟବିହାର ସ୍ଥିତ ପ୍ଲାନେଟାରିୟମ ନିକଟସ୍ଥ ଆଇଏମ୍ଏମ୍ଟି ପ୍ରେକ୍ଷାଳୟରେ ନାଟକ ପ୍ରଦର୍ଶିତ ହେବ। ୨ ତାରିଖ ଦିନ ହୋଲି ଉତ୍ସବ ପାଇଁ ନାଟକ ପ୍ରଦର୍ଶନ ବନ୍ଦ ରହିବ। ଶେଷରେ ମାର୍ଚ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭଞ୍ଜକଳା ମଣ୍ଡପରେ ନାଟକ ପ୍ରଦର୍ଶନ କରାଯିବ। ସୂଚନାଯୋଗ୍ୟ ଏହି ବୃହତ ନାଟ୍ୟ ଉତ୍ସବରେ ୫୧ ଦିନରେ ଦେଶର ୧୭ଟି ରାଜ୍ୟର ରାଜଧାନୀରେ ଦେଶବିଦେଶର ୪୬୨ଟି ନାଟକ ମଞ୍ଚସ୍ଥ ହେବ। ଅନ୍ୟମାନଙ୍କ ମଧ୍ୟରେ ଏନ୍ଏସ୍ଡିର ପୂର୍ବତନ ଛାତ୍ର ତଥା ଅଭିନେତା ସମରେଶ ରାଉତରାୟ, ନାଟ୍ୟସଂଘ ସଭାପତି ମନୋଜ ପଟ୍ଟନାୟକ, ଥିଏଟର ଅଲିମ୍ପିକ୍ସ ରାଜ୍ୟ ସଂଯୋଜକ ଧୀର ମଲ୍ଲିକ, ଏନ୍ଏସ୍ଡିର ପବିତ୍ର ରାଭା ପ୍ରମୁଖ ଉପସ୍ଥିତ ଥିଲେ।
୨୪ରୁ ରାଜଧାନୀର ୩ ମଣ୍ଡପରେ ପ୍ରଦର୍ଶିତ ହେବ ୧୪ ନାଟକ
Advertisment
Follow Us