ଅଷ୍ଟମ ଥିଏଟର ଅଲିମ୍ପିକ୍ସ ଆରମ୍ଭ

Advertisment

ସାରା ଦେଶରେ ପ୍ରଦର୍ଶିତ ହେବ ୪୬୨ ନାଟକ, ଓଡ଼ିଶାର ୩ ମଣ୍ଡପରେ ୧୪ ନାଟକ

ସାରା ଦେଶରେ ପ୍ରଦର୍ଶିତ ହେବ ୪୬୨ ନାଟକ, ଓଡ଼ିଶାର ୩ ମଣ୍ଡପରେ ୧୪ ନାଟକ

ଅଷ୍ଟମ ଥିଏଟର ଅଲିମ୍ପିକ୍ସ ଆରମ୍ଭ

ଭୁବନେଶ୍ୱର : ଚଳିତ ବର୍ଷ ବିଶ୍ୱର ସର୍ବବୃହତ ନାଟ୍ୟ ମହାକୁମ୍ଭ ‘ଥିଏଟର ଅଲିମ୍ପିକ୍‌ସ’ ଦିଲ୍ଲୀର ଲାଲକିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ବୃହତ ଅଭିଯାନରେ ୫୧ ଦିନରେ ୧୭ଟି ରାଜ୍ୟରେ ଦେଶ ବିଦେଶର ୪୬୨ଟି ନାଟକ ମଞ୍ଚସ୍ଥ ହେବ। ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନ୍‌ଏସ୍‌ଡି) ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ ଏହି ୮ମ ଥିଏଟର ଅଲିମ୍ପିକ୍‌ସରେ ଓଡ଼ିଶାକୁ ମଧ୍ୟ ଭାଗ ମିଳିଛି। ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାରେ ୩ଟି ମଞ୍ଚରେ ୧୪ଟି ନାଟକ ମଞ୍ଚସ୍ଥ ହେବାକୁ ଯାଉଛି। ଆସନ୍ତା ଫେବ୍ରୁଆରି ୨୪ରୁ ମାର୍ଚ ୧୦ ପର୍ଯ୍ୟନ୍ତ ଓଡ଼ିଶାରେ ନାଟକ ମଞ୍ଚସ୍ଥ ହେବ। ଆଜିଠୁ ଆରମ୍ଭ ହୋଇଥିବା ଏହି ନାଟ୍ୟ ମହାକୁମ୍ଭ ଏପ୍ରିଲ୍‌ ୮ରେ ଶେଷ ହେବ।

୩ ଓଡ଼ିଆ ନାଟକକୁ ସୁଯୋଗ

ଚୟନ ଭିତ୍ତିରେ ଓଡ଼ିଶାର ଝାରସୁଗୁଡ଼ାର ‘ମିରର୍‌ ଥିଏଟର’ ‘ଲାଲ୍‌ ପାଏନ୍‌’ ନାଟକ ଏହି ୮ମ ଥିଏଟର ଅଲିମ୍ପିକ୍ସରେ ନାଟକ ମଞ୍ଚସ୍ଥ କରିବାକୁ ସୁଯୋଗ ପାଇଛି। ତେବେ ଏହା ବ୍ୟତୀତ ପରିଚାଳନା କୋଟା ଦୃଷ୍ଟିରୁ ଓଡ଼ିଶାରୁ ଆଉ ୨ଟି ନାଟକ ସୁଯୋଗ ପାଇଛନ୍ତି। ସୁବୋଧ ପଟ୍ଟନାୟକଙ୍କ ଏକ ନାଟକ ସମେତ ମନୋଜ ପଟ୍ଟନାୟକଙ୍କ ‘ମନନ’ ନାଟ୍ୟସଂସ୍ଥା ନାଟ୍ୟ ମଞ୍ଚସ୍ଥ କରିବାର ସୁଯୋଗ ପାଇଛନ୍ତି ବୋଲି ଓଡ଼ିଶାରେ ନାଟ୍ୟ କାର୍ଯ୍ୟକ୍ରମର ସ୍ଥାନୀୟ ସଂଯୋଜକ ଧୀର ମଲ୍ଲିକ ସୂଚନା ଦେଇଛନ୍ତି।

ଓଡ଼ିଆ ଦର୍ଶକ ଦେଖିବେ ୩ଟି ଅନ୍ତର୍ଜାତୀୟ ନାଟକ

ଓଡ଼ିଶାରେ ୩ଟି ମଣ୍ଡପରେ ମୋଟ୍‌ ୧୪ଟି ନାଟକ ମଞ୍ଚସ୍ଥ ହେବ। ଏହି ଅବସରରେ ଫେବ୍ରୁଆରି ୨୪ରୁ ୨୭ ପର୍ଯ୍ୟନ୍ତ (୪ଦିନ) ରବୀନ୍ଦ୍ର ମଣ୍ଡପରେ। ଫେବ୍ରୁଆରି ୨୮ରୁ ମାର୍ଚ ୭ ପର୍ଯ୍ୟନ୍ତ (୮ଦିନ) ପ୍ଲାନେଟୋରିୟମ ନିକଟସ୍ଥ ଆଇଏମ୍‌ଏମ୍‌ଟି ଅଡିଟୋରିୟମ ଏବଂ ମାର୍ଚ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ (୩ଦିନ) ଭଂଜ କଳାମଣ୍ଡପରେ ନାଟକ ମଞ୍ଚସ୍ଥ ହେବ। ଏହି ଅବସରରେ ଭାରତର ବିଭିନ୍ନ ରାଜ୍ୟର ୧୧ଟି ନାଟକ ଏବଂ ୩ଟି ଅନ୍ତର୍ଜାତୀୟ ନାଟକ ମଞ୍ଚସ୍ଥ ହେବ। ଇଟାଲିର ଗୋଟିଏ ନାଟକ ସମେତ ବାଂଲାଦେଶର ୨ଟି ନାଟକ ଓଡ଼ିଶାର ଦର୍ଶକ ଓଡ଼ିଶା ରଙ୍ଗମଞ୍ଚରେ ଦେଖିବାର ସୁଯୋଗ ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe