ବାରଙ୍ଗ/ତ୍ରିଶୁଳିଆ: ଆଜି କାଠଯୋଡ଼ି ନଦୀ କୁହ୍ନେଇପଡ଼ା ପଠାରେ ଏକ ଘଡ଼ିଆଳ ଦେଖିବାକୁ ମିଳିଥିଲା। ପ୍ରାୟ ୧୦ ଫୁଟ୍ ଲମ୍ବର ଏହି କୁମ୍ଭୀର ବାଲିପଠାରେ ଖରାରେ ଶୋଇରହିଥିଲା। ପ୍ରାୟ ଘଣ୍ଟାଏ କାଳ ଖରାରେ ରହିବା ପରେ କୁମ୍ଭୀରଟି ନଦୀ ଭିତରକୁ ପଳାଇଥିଲା। ତେଣୁ ଏବେ କୁହ୍ନେଇପଡ଼ା ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସ୍ଥାନୀୟ ଲୋକେ ନଦୀକୁ ଯିବା ପୂର୍ବରୁ ବେଶ୍ ସତର୍କ ରହିବାକୁ କୁହାଯାଇଛି। ଆଜି ଅପରାହ୍ଣରେ ତ୍ରିଶୁଳିଆ ଛକରୁ ହାଇକୋର୍ଟ ଛକକୁ ସଂଯୋଗ କରୁଥିବା ସୁବାସ ସେତୁ ନିକଟ ନଦୀ ପଠାରେ ଏହି କୁମ୍ଭୀର ଦେଖିବାକୁ ମିଳିଥିଲା। ନଦୀ କୂଳରୁ ଅନତି ଦୂରରେ ଥିବା ବାଲି ପଠା ଉପରେ ଏହି ୧୦ଫୁଟିଆ ଘଡ଼ିଆଳ ପଡ଼ିରହିଥିଲା। ସେତୁଠାରୁ ପଠାର ଦୂରତା କମ୍ ହୋଇଥିବାରୁ କୁମ୍ଭୀରଟି ସ୍ପଷ୍ଟ ଦେଖାଯାଉଥିଲା। ତେଣୁ ସେତୁ ଉପରେ ଲୋକଙ୍କ ଭିଡ଼ ଜମିଥିଲା। ସେତୁ ଉପରେ ଯାନବାହାନ ଭିଡ଼ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ପୁଲିସ ସେତୁ ଉପରୁ ଭିଡ଼ ହଟାଇଥିଲା ଏବଂ ବନ ବିଭାଗର କର୍ମଚାରୀମାନେ ଏହି ପ୍ରଜାତିର କୁମ୍ଭୀର ଭୟଙ୍କର ନୁହେଁ ବୋଲି ଲୋକଙ୍କୁ ବୁଝାସୁଝା କରିଥିଲେ। ମହାନଦୀର ସାତକୋଶିଆ ଗଣ୍ଡରୁ ଏହି କୁମ୍ଭୀର ତଳମୁଣ୍ଡକୁ ଭାସି ଆସିଥିବା ଜଣାପଡ଼ିଛି।
କାଠଯୋଡ଼ି ପଠାରେ ୧୦ଫୁଟିଆ ଘଡ଼ିଆଳ
Advertisment
Follow Us