୧୨ ବ‌ର୍ଷୀୟା ଘରୋଇ ସହାୟିକା ଗର୍ଭବତୀ

ରାଜଧାନୀରେ ଆଲୋଡ଼ନ

୧୨ ବ‌ର୍ଷୀୟା ଘରୋଇ ସହାୟିକା ଗର୍ଭବତୀ

ଚନ୍ଦ୍ରଶେଖରପୁର: ଘରୋଇ ସହାୟିକା ଭାବେ ନିଯୁକ୍ତି ଦେଇ ମାତ୍ର ୧୨ ବର୍ଷ ବୟସର ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଭଳି ଦୁଇ ଦୁଇଟି ସଂଗିନ୍ ଅଭିଯୋଗ‌ରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଏଭଳି ବର୍ବରକାଣ୍ଡ ଭିଆଇଥିବା ଅଭିଯୁକ୍ତ ହେଉଛି ନୀଳାଦ୍ରିବିହାର ଅଞ୍ଚଳର ଏକ ବସ୍ତିରେ ରହୁଥିବା କନ୍ଧମାଳର ଜର୍ଜ ଦିଗାଲ(୨୩)। ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀଙ୍କ ସହଯୋଗରେ ଆଜି ଖୋର୍ଦ୍ଧା ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି) ୬ ମାସର ଗର୍ଭବତୀ ଥିବା ପୀଡ଼ିତା ନାବାଳିକାକୁ ଉଦ୍ଧାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୁକ୍ତ ଜର୍ଜକୁ ବାନ୍ଧିଛି। ଖୋଦ୍‌ ରାଜଧାନୀରେ ଘଟିଥିବା ଏଭଳି ଅଭାବନୀୟ କାଣ୍ଡ ଆଜି ବିଭିନ୍ନ ମହଲରେ ଗଭୀର ଆଲୋଡନ ସୃଷ୍ଟିକରିଛି। ଅପରପକ୍ଷେ ଅଭିଯୁକ୍ତ ଜର୍ଜ ଭଳି ଜଣେ ଅସାମାଜିକ ତତ୍ତ୍ବ ବିରୋଧରେ ଦୃଢ଼ତାର ସହ ଠିଆ ହୋଇଥିବାରୁ ବସ୍ତିବାସିନ୍ଦାମାନେ ଅଙ୍ଗନୱାଡ଼ି କର୍ମୀଙ୍କ ସାହାସିକ ପଦକ୍ଷେପକୁ ବେଶ୍ ପ୍ରଶଂସା କରିଛନ୍ତି।

ମାଲିକ ଗିରଫ
ସ୍ତ୍ରୀକୁ ମାଡ଼ ମାରି ତଡ଼ିଦେଇଛି
ସାବାସ ଅଙ୍ଗନୱାଡ଼ି ଦିଦି

ସୂଚନାନୁସାରେ ଅଭିଯୁକ୍ତ ଜର୍ଜ ଶିଖରଚଣ୍ଡୀ ଅଞ୍ଚଳର ଏକ ବସ୍ତିରୁ ଏହି ଗରିବ ନାବାଳିକାଙ୍କୁ ଆଣି ଘରୋଇ ସହାୟିକା ଭାବେ ଘରେ ରଖିଥିଲା। ନାବାଳିକାଟିର ବୟସ ମାତ୍ର ୧୨ ବର୍ଷ ହୋଇଥିଲେ ବି ଗରିବ ବାପାମା’ ତାକୁ ଜର୍ଜ ହାତକୁ ଟେକି ଦେଇଥିଲେ। ମାସକୁ ମାସ କିଛି ପଇସା ଓ ଭଲ ଖାଇବା ପିଇବାକୁ ଦେବା ପାଇଁ ପ୍ରତିଶ୍ରୁତି ଦେଇ ପିଶାଚ ଜର୍ଜ ନାବାଳିକାର ବାପାମା’ଙ୍କୁ ପ୍ରଲୋଭିତ କରିଥିଲା। ଦିନକୁ ଦୁଇ ବେଳା ଖାଇବାକୁ ପାଉନଥିବା ବାପାମା’ ଜର୍ଜର ପ୍ରଲୋଭନରେ ଭାସିଯାଇଥିଲେ। ଜର୍ଜ ନାବାଳିକାକୁ ଘରେ ରଖିବା ପରେ ବିଭିନ୍ନ ବାଟରେ ତାକୁ ଭୟଭୀତ କରାଇଥିଲା। ଏହି ମଉକାରେ ଜର୍ଜ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲା। ଫଳରେ ସେ ଗର୍ଭବତୀ ହୋଇଥିଲା। ନାବାଳିକା ଗର୍ଭବତୀ ହେବା ଜାଣିବା ପରେ ଜର୍ଜ ତାକୁ ଅଧିକ ଭୟଭୀତ କରାଇଥିଲା ଏବଂ କାହା ଆଗରେ ଏନେଇ ପ୍ରକାଶ ନକରିବାକୁ କଡ଼ା ଚେତାବନୀ ଦେଇଥିଲା। ଏମିତିକି ସେ ଜର୍ଜ ପାଖରେ ଘରୋଇ ସହାୟିକା ଭାବେ କାମ କରୁଛି ବୋଲି କେଉଁଠି ବି ନକହିବାକୁ ଧମକାଇଥିଲା।

publive-image Image Courtesy of The Quint

ସେହିଭଳି ଘଟଣାଟି ଧରାପଡ଼ିବା ଭୟରେ ନିଷ୍ଠୁର ଜର୍ଜ ତାକୁ କୌଣସି ଡାକ୍ତରଙ୍କୁ ବି ଦେଖାକରାଇନଥିଲା। ତେବେ ମାସିକ ଚିକିତ୍ସା ପାଇଁ ନାବାଳିକାକୁ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀଙ୍କ ନିକଟକୁ ପଠାଇଥିଲା। କିନ୍ତୁ ଅଙ୍ଗନୱାଡ଼ି କର୍ମୀଙ୍କୁ ସତ କଥା ନକହିବାକୁ ବି ଜର୍ଜ ତାକୁ ଧମକ ଦେଇଥିଲା। ମାତ୍ର ଅଙ୍ଗନୱାଡ଼ି କର୍ମୀ ନାବାଳିକାର ଅବସ୍ଥା ଦେଖି ସନ୍ଦେହ କରିଥିଲେ ଓ ସରକାରୀ ଚିକିତ୍ସା ସେବା ପାଇଁ ଆଧାରକାର୍ଡ ମାଗିଥିଲେ। ଆଧାରକାର୍ଡ ଦେଖିବା ପରେ ଅଙ୍ଗନୱାଡ଼ି କର୍ମୀଙ୍କ ଆଖି ଖୋସିହୋଇଯାଇଥିଲା। ବୁଝାସୁଝା କରି ପଚରାଉଚରା କରିବା ପରେ ନାବାଳିକାଟି କାନ୍ଦି କାନ୍ଦି ଅଙ୍ଗନୱାଡ଼ି କର୍ମୀଙ୍କୁ ସବୁ ସତ କହିଥିଲା। ମାତ୍ର ୧୨ ବର୍ଷ ବୟସର ନାବାଳିକା ୬ ମାସର ଗର୍ଭବତୀ ହେବା କଥା ବୁଝିବା ପରେ ସେ ଆଉ କାଳବିଳମ୍ବ ନକରି ଖୋର୍ଦ୍ଧା ସିଡବ୍ଲୁସିକୁ ଜଣାଇଥିଲେ। ଏଭଳି ସମ୍ବେଦନଶୀଳ ମାମଲା ବାବଦରେ ଜାଣିବା ପରେ ତୁରନ୍ତ ସିଡବ୍ଲୁସି ସଦସ୍ୟମାନେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସହଯୋଗରେ ବସ୍ତିରେ ଚଢ଼ଉ କରିଥିଲେ। ନାବାଳିକାକୁ ଏକ ଆଶ୍ରୟ କେନ୍ଦ୍ରରେ ଥଇଥାନ କରାଯାଇ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି।

ଜର୍ଜର କଳା କାରନାମା ତାଲିକା ବେଶ୍ ଲମ୍ବା

ବସ୍ତିବାସିନ୍ଦାମାନଙ୍କଠାରୁ ମିଳିଥିବା ସୂଚନାନୁସାରେ ଜର୍ଜର ବାପା ଜଣେ ସରକାରୀ କର୍ମଚାରୀ ଥିଲେ ଏବଂ ସରକାରୀ କ୍ବାର୍ଟର୍ସରେ ରହୁଥିଲେ। ଚାକିରି ସରିଯିବା ପରେ ସେମାନେ ସରକାରୀ କ୍ବାର୍ଟର୍ସ ଛାଡ଼ି ବସ୍ତିରେ ରହୁଥିଲେ। ମାତ୍ର ଜର୍ଜ ନିଶା କାରବାରରେ ସାମିଲ୍‌ ହୋଇ ବାରମ୍ବାର ଜେଲ୍‌ ଯିବାରୁ ବାପାମା’ ବିରକ୍ତ ହୋଇ ବସ୍ତି ଛାଡ଼ି କନ୍ଧମାଳ ଚାଲିଯାଇଥିଲେ। କିନ୍ତୁ ବାପାମା’ଙ୍କଠାରୁ ଜୋର୍‌ ଜବରଦସ୍ତ ଟଙ୍କା ଆଣି ଜର୍ଜ ବସ୍ତିରେ ଆଡ଼ା ଜମାଇଥିଲା। ଗରିବ ଘରର ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇବା ସହ ବିବାହ କରିବାର ପ୍ରତିଶ୍ରୁତି ଦେଇ ପରେ ପ୍ରତାରଣା ଦେଉଥିଲା।

ଏବେ ବି ସେମିତି ଜଣେ ପ୍ରତାରିତା ଉକ୍ତ ବସ୍ତିରେ ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଉକ୍ତ ଗରିବ ଯୁବତୀଙ୍କୁ ଜର୍ଜ ବିବାହ କରିବ ବୋଲି କହି କନ୍ଧମାଳରୁ ଭୁବନେଶ୍ବର ଆଣିଥିଲା। ମାତ୍ର ବାହା ନହୋଇ ସେମିତି ଘରେ ରଖିଲା ଓ ଯୁବତୀଙ୍କ ବିବାହ ଜିଦ୍‌କୁ ବିଭିନ୍ନ ବାହାନାରେ ଏଡ଼ାଇ ଚାଲିଲା। ଶେଷରେ ସେ ଯୁବତୀଙ୍କୁ ମାଡ଼ ମାରି ଘରୁ ତଡ଼ିଦେଲା। ଶଠ ଜର୍ଜ କଥାରେ ଫସିଯାଇଥିବା ଯୁବତୀ ବାପାମା’ଙ୍କ କଥାକୁ ଏଡ଼ାଇ ଯାଇଥିବାରୁ ନା ଆଉ ଘରକୁ ଫେରିପାରିଲେ, ନା ଜର୍ଜ ତାଙ୍କୁ ଘରେ ପୂରାଇଲା। ସେହିଭଳି ପଟିଆ ଅଞ୍ଚଳର ଏକ ବସ୍ତିରୁ ମଧ୍ୟ ଜଣେ ଗରିବ ଯୁବତୀଙ୍କୁ ଅନୁରୂପ ଭାବେ ଜର୍ଜ ପ୍ରତାରଣା ଦେଇଛି ବୋଲି ଚର୍ଚ୍ଚା ହେଉଛି। ତେଣୁ ଜର୍ଜକୁ କଠୋର ଶାସ୍ତି ଦେବା ସହ ତା’ର ବସ୍ତି ଘରକୁ ଉଚ୍ଛେଦ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe