ଜଙ୍ଗଲରୁ ଠାବ ହେଲା ୮୦୦ ବର୍ଷର କୂଅ

Advertisment
ଜଙ୍ଗଲରୁ ଠାବ ହେଲା ୮୦୦ ବର୍ଷର କୂଅ

ଭୁବନେଶ୍ୱର: କଟକ ଜିଲ୍ଲା ଆମ୍ବିଳିଝରି ଗ୍ରାମ ନିକଟସ୍ଥ ଡାଳିଯୋଡ଼ା ଜଙ୍ଗଲ ମଧ୍ୟ‌ରେ ଏକ ପ୍ରାଚୀନ କୂଅର ସନ୍ଧାନ ମିଳିଛି। ଏହି କୂଅଟି ଦ୍ବାଦଶ/ତ୍ରୟୋଦଶ ଶତାବ୍ଦୀ‌ରେ ନିର୍ମିତ ହୋଇଥିବା ନେଇ ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚରାଲ୍ ହେରିଟେଜ୍ (ଇନ୍‌ଟାକ୍‌) ପକ୍ଷରୁ ଅନୁମାନ କରାଯାଇଛି। ଏହି ପ୍ରାଚୀନ କୂଅଟିର ସନ୍ଧାନ ପ୍ରଥମେ ଡାଳିଯୋଡ଼ା ପ୍ରାସାଦରେ ରହୁଥିବା ପଞ୍ଚାକୋଟ ରାଜପରିବାରର ବର୍ତ୍ତମାନର ରାଜା ଦେବଜିତ୍ ସିଂହଦେଓ ପାଇଥିଲେ। ପରେ ସେ ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ସେହି ସ୍ଥାନକୁ ସଫା କରି ଇନ୍‌ଟାକ୍‌କୁ ସୂଚନା ଦେଇଥିଲେ। ଇନ୍‌ଟାକ୍‌ର ମୁଖ୍ୟ ପ୍ରକଳ୍ପ ଅଧିକାରୀ ଅନିଲ୍ ଧୀର୍, ପ୍ରକଳ୍ପ ସହାୟତା ଅଧିକାରୀ ଦୀପକ୍ କୁମାର ନାୟକ ଓ ଫଟୋଗ୍ରାଫର୍ ସୁମନ୍ ପ୍ରକାଶ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଏହାର ପ୍ରାଥମିକ ସର୍ଭେ କରିଥିଲେ।

ଶ୍ରୀ ଧୀର୍ କହିଛନ୍ତି ଯେ ଡାଳିଯୋଡ଼ା ଜଙ୍ଗଲ‌ରେ ଠାବ ହୋଇଥିବା ଏହି ପ୍ରାଚୀନ କୂଅର ନିର୍ମାଣଶୈଳୀ କଳିଙ୍ଗ ଅଞ୍ଚଳରେ ମିଳୁଥିବା ପ୍ରାଚୀନ ମନ୍ଦିରମାନଙ୍କ ନିର୍ମାଣଶୈଳୀ ଭଳି ଅନନ୍ୟ। ସମ୍ଭବତଃ ଏହା କଳିଙ୍ଗ ଅଞ୍ଚଳରେ କଳା ଓ ସ୍ଥାପତ୍ୟ ବିକାଶ ସମୟରେ ନିର୍ମିତ। ରାଜ୍ୟରେ ମିଳୁଥିବା ଅନ୍ୟ ପ୍ରାଚୀନ କୂଅମାନଙ୍କଠାରୁ ଏହା ଭିନ୍ନ। ଏହି ସ୍ଥାନରୁ ମିଳିଥିବା ଏକ ପୁରାତନ ପଥର ଖଣ୍ଡ ଓ ଖୋଦିତ ମାଟିପାତ୍ରରୁ ଅନୁମାନ କରାଯାଉଛି ଯେ ଏଠାରେ କୌଣସି ଏକ ପୁରାତନ ଧର୍ମବିଶ୍ବାସୀ ଜନବସତି ଗଢ଼ି ଉଠିଥିଲା। ଶ୍ରୀ ଧୀର୍ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରାଚୀନ କୂଅକୁ ଇନ୍‌ଟାକ୍‌ ପକ୍ଷରୁ ମହାନଦୀ ଭ୍ୟାଲି ହେରିଟେଜ୍ ସାଇଟ୍ ଡକୁମେଣ୍ଟେସନ୍‌ର ଏକ ଐତିହ୍ୟ ସ୍ମାରକୀ ରୂପେ ତାଲିକାଭୁକ୍ତ କରାଯିବ।
ପ୍ରକଳ୍ପ ସହାୟତା ଅଧିକାରୀ ଦୀପକ କୁମାର ନାୟକ କହିଛନ୍ତି ଯେ ଡାଳିଯୋଡ଼ା କୂଅଟି ବର୍ଗକ୍ଷେତ୍ର ଆକାରରେ ନିର୍ମିତ। କିନ୍ତୁ ଏହାର ଚାରିପାଖ ସହ ପାହାଚଗୁଡ଼ିକର ଆୟତ‌ କ୍ଷେତ୍ର ଭଳି। ଏହା ଏକ ଉତ୍ତମ ଜଳଭଣ୍ଡାର ସଦୃଶ। ଏହି କୂଅର ନିମ୍ନ ଅଂଶ ବାଲି ପଥରରେ ନିର୍ମିତ ହୋଇଥିବା ବେଳେ ଏହାର ଉପରିଭାଗ ଲାଟେରାଇଟ୍ ପଥରରେ ନିର୍ମିତ। ଆମ୍ବିଳିଝରି ଗ୍ରାମର ଜନସାଧାରଣ ଏହାକୁ ଭାଇବୋହୂ-ଦେଢ଼ଶୂର କୂଅ ବୋଲି ସମ୍ବୋଧନ କରୁଛନ୍ତି। ଏହାସହ ଏହି କୂଅର ଜଳକୁ ପହିଲି ଜରରୁ ମକ୍ତି ପାଇଁ ପାଦୁକା ଭଳି ବ୍ୟବହାର କରିଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe