ବ୍ଲାଙ୍କ୍‌ ଫାୟାରିଂ କରି ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ମାମଲା: ସର୍ଦାର ସଂଜୟ ଗ୍ୟାଙ୍ଗ୍‌ର ୫ ଗିରଫ

Advertisment

ହୋଟେଲ୍‌ରୁ ବନ୍ଧୁକ ଓ ଗହଣା ଜବତ ବଣିଆ ପାଖରେ ଅଧ କେଜି ଅଳଙ୍କାର

ହୋଟେଲ୍‌ରୁ ବନ୍ଧୁକ ଓ ଗହଣା ଜବତ ବଣିଆ ପାଖରେ ଅଧ କେଜି ଅଳଙ୍କାର

ବ୍ଲାଙ୍କ୍‌ ଫାୟାରିଂ କରି ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ମାମଲା: ସର୍ଦାର ସଂଜୟ ଗ୍ୟାଙ୍ଗ୍‌ର ୫ ଗିରଫ

ଭୁବନେଶ୍ବର: ୮ ତାରିଖ ରାତିରେ କଟକ ଜଗତପୁର ଥାନା ଅଧୀନ ପାଗାରୁ ଗହଣା ବ୍ୟବସାୟୀ ୨ ଭାଇଙ୍କୁ ବନ୍ଧୁକ ମୁନରେ ଲୁଟ୍‌ କରିଥିବା ଡକାୟତ ଦଳ ଧରାପଡ଼ିଛି। ସର୍ଦାର ସଂଜୟ ସମେତ ଗ୍ୟାଙ୍ଗ୍‌ର ୫ ଡକାୟତଙ୍କୁ ଭୁବନେଶ୍ବରସ୍ଥିତ ଏକ ହୋଟେଲ୍‌ରୁ ଗିରଫ କରାଯାଇଛି। ଜଗତପୁର ଥାନା ପୁଲିସ ଓ ସ୍ପେସାଲ୍‌ ସ୍କ୍ବାଡ୍‌ ମିଳିତଭାବେ ହୋଟେଲ୍‌ରେ ଚଢ଼ଉ କରି ଏହି ଗ୍ୟାଙ୍ଗ୍‌କୁ ଧରିଛି। ସର୍ଦାର ସଂଜୟଠାରୁ ଏକ ପିସ୍ତଲ ଜବତ କରାଯାଇଛି ଏବଂ ଲୁଟ୍‌ ହୋଇଥିବା ୬୫୦ ଗ୍ରାମ୍‌ ଓଜନର ଗହଣାରୁ ମାତ୍ର ୧୨୨ ଗ୍ରାମ୍‌ ମିଳିଛି। ବାକି ଅଧ କେଜି ଗହଣାକୁ ସେମାାନେ ମାହାଙ୍ଗା ଅଞ୍ଚଳର ଜଣେ ବଣିଆ ନିକଟରେ ରଖିଥିବା ସ୍ବୀକାର କରିଛନ୍ତି। ବଣିଆଠାରୁ ଅଳଙ୍କାର ଜବତ କରିବାକୁ ଚଢ଼ଉ ଚାଲିଛି ଏବଂ ଫେରାର୍ ଅନ୍ୟ ଜଣେ ଡକାୟତକୁ ଠାବ କରିବାକୁ ପୁଲିସ ଚେଷ୍ଟା ଚଳାଇଛି। ଆସନ୍ତାକାଲି ସେମାନଙ୍କୁ ଜଗତପୁର ଥାନା ପୁଲିସ କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି।

ଅଗଷ୍ଟ ୮ ତାରିଖ ରାତି ପ୍ରାୟ ୧୦ଟା ବେଳେ ପାଗା ବଜାରରେ ଗହଣା ଦୋକାନ କରିଥିବା ଦୁଇ ଭାଇ ସ୍କୁଟିରେ ଘରକୁ ଫେରୁଥିଲେ। ସବୁଦିନ ଭଳି ସେମାନେ ଗହଣାତକ ଘରକୁ ନେଇଯାଆନ୍ତି। ପୂର୍ବରୁ ଡକାୟତି କରିବାକୁ ଛକି ରହିଥିବା ସଂଜୟ ଗ୍ୟାଙ୍ଗ୍‌ର ୬ ଜଣ ୩ ବାଇକ୍‌ରେ ପିଛା କରିଥିଲେ। ରାସ୍ତାରେ ଏକ ନିଛାଟିଆ ସ୍ଥାନ ଦେଖି ସେମାନେ ୨ ଭାଇଙ୍କ ସ୍କୁଟିକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଡକାୟତମାନଙ୍କୁ ଦେଖି ୨ ଭାଇ ସ୍କୁଟିର ବେଗ ବଢ଼ାଇ ପଳାଇବାକୁ ଚେଷ୍ଟା କରିଥିଲେ। ସେମାନେ ନ ଅଟକିବା ଦେଖି ଜଣେ ଦୁର୍ବୃତ୍ତ ସ୍କୁଟି ପଛରେ ବସିଥିବା ବଡ଼ଭାଇଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା। ଖଣ୍ଡା ଚୋଟ ପିଠିରେ ବାଜିବା ପରେ ବି ଦୁଇ ଭାଇ ଅଟକି ନଥିଲେ। ତେଣୁ ସଂଜୟ ବ୍ଲାଙ୍କ୍‌ ଫାୟାରିଂ କରିଥିଲା। ଗହଣାତକ ଯାଉ ପଛେ ଜୀବନ ରହୁ ବୋଲି ଭୟରେ ୨ ଭାଇ ଅଟକିଯାଇଥିଲେ। ଡକାୟତମାନେ ତାଙ୍କଠାରୁ ସ୍କୁଟି ନେଇ ମାହାଙ୍ଗା ଦିଗରେ ଦ୍ରୁତବେଗରେ ପଳାଇଥିଲେ। କିଛି ଦୂର ଯିବା ପରେ ସେମାନେ ବାଟରେ ସ୍କୁଟିରୁ ଗହଣା ବ୍ୟାଗ୍‌ ବାହାର କରି ନେଇଥିଲେ ଏବଂ ସ୍କୁଟିକୁ ଛାଡ଼ି ପଳାଇଥିଲେ। ଏଣେ ଦୁଇ ଭାଇ ଜଗତପୁର ଥାନାକୁ ଜଣାଇବା ପରେ ପୁଲିସ ସାଲେପୁର-ମାହାଙ୍ଗା ରାସ୍ତାରେ କିଛି ଦୂର ଯାଇ ସ୍କୁଟି ପାଇଥିଲା। କିନ୍ତୁ ଡକାୟତମାନଙ୍କ ଟେର୍‌ ମିଳି ନଥିଲା।

ଡକାୟତ ଦଳକୁ ଠାବ କରିବାକୁ ପୁଲିସ କମିସନରଙ୍କ ନିର୍ଦ୍ଦେଶକ୍ରମେ ସ୍ପେସାଲ୍‌ ସ୍କାଡ୍‌ ଲାଗିପଡ଼ିଥିଲା। ସେଦିନ ମାହାଙ୍ଗା ରାସ୍ତାରୁ ମିଳିଥିବା ସୂଚନା ଆଧାରରେ ଏହା ସର୍ଦାର ସଂଜୟ ଗ୍ୟାଙ୍ଗ୍‌ର କାଣ୍ଡ ବୋଲି ପୁଲିସ ନିଶ୍ଚିତ ହୋଇଯାଇଥିଲା। ସେହି ଅନୁସାରେ ପୁଲିସ ପିଛା କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଡକାୟତ ଦଳ ମାହାଙ୍ଗାରୁ ଗଞ୍ଜାମ ଯିବା ପରେ ଖୋର୍ଦ୍ଧା ଫେରିଆସିଥିଲେ। ଏହାପରେ ସାଲିଆସାହିରେ ଗୋଟିଏ ରାତି ବିତାଇଥିଲେ। ୧୧ ତାରିଖ ରାତିରୁ ସେମାନେ ଏକ ହୋଟେଲ୍‌କୁ ଚାଲିଯାଇଥିଲେ। ମାହାଙ୍ଗାରେ ଜଣେ ବଣିଆକୁ ଦେଇଥିବା ଗହଣା ବାବଦ ଟଙ୍କା ପାଇବା ପରେ ସେମାନେ ରାଜ୍ୟ ବାହାରକୁ ଚାଲିଯିବା ଯୋଜନା କରିଥିଲେ। ଅନ୍ୟାନ୍ୟ ଖର୍ଚ୍ଚ ଚଳାଇବା ପାଇଁ ସେମାନେ ପାଖରେ ୧୨୨ ଗ୍ରାମ୍‌ର ଗହଣା ରଖିଥିଲେ। କିନ୍ତୁ ଗଞ୍ଜାମରୁ ଖୋର୍ଦ୍ଧା ଓ ଭୁବନେଶ୍ବରକୁ ଫେରିବା ପରେ ବି ସେମାନେ ବିକିବାକୁ ସୁବିଧା ପାଇନଥିଲେ। ବନ୍ଧୁକଧାରୀ ଡକାୟତ ଦଳକୁ ହୋଟେଲ୍‌ରୁ ଗିରଫ କରିବାକୁ ପୁଲିସ ଟିମ୍‌ ଭୋର୍‌ ସମୟରେ ଚଢ଼ଉ କରିଥିଲା। କିଛି ପୁଲିସ ଅଧିକାରୀ ସୁଇପର ବେଶରେ ହୋଟେଲକୁ ପଶି ସେମାନଙ୍କ ରୁମ୍‌କୁ ଘେରିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe