ଖଣ୍ଡଗିରି ଗୁମ୍ଫାରୁ ଜବରଦଖଲ ଉଚ୍ଛେଦ ମାମଲା: ମେଳିହେଲେ ୫୦ ମୌଜାବାସୀ

Advertisment

ଆଜି ଖଣ୍ଡଗିରି ଆଖପାଖର ୫୦ମୌଜାର ମୁରବିଶ୍ରେଣୀୟ ବ୍ୟକ୍ତିମାନେ ଏକାଠି ହୋଇ ମା’ ବାରଭୂଜା ଓ କୁମ୍ଭମେଳା ବିରୋଧରେ ହେଉଥିବା ଷଡ୍‌ଯନ୍ତ୍ରକୁ ମୁକାବିଲା କରିବା ଲାଗି ଶପଥ ନେଇଛନ୍ତି। 

ଆଜି ଖଣ୍ଡଗିରି ଆଖପାଖର ୫୦ମୌଜାର ମୁରବିଶ୍ରେଣୀୟ ବ୍ୟକ୍ତିମାନେ ଏକାଠି ହୋଇ ମା’ ବାରଭୂଜା ଓ କୁମ୍ଭମେଳା ବିରୋଧରେ ହେଉଥିବା ଷଡ୍‌ଯନ୍ତ୍ରକୁ ମୁକାବିଲା କରିବା ଲାଗି ଶପଥ ନେଇଛନ୍ତି। 

khandagiri

ଖଣ୍ଡଗିରି: ଖଣ୍ଡଗିରି ଗୁମ୍ଫାରୁ ଜବରଦଖଲ ହଟାଇବାକୁ ହାଇକୋର୍ଟରେ ଚାଲିଥିବା ଏକ ମାମଲାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଖଣ୍ଡଗିରି ଆଖପାଖର ୫୦ମୌଜାର ମୁରବିଶ୍ରେଣୀୟ ବ୍ୟକ୍ତିମାନେ ଏକାଠି ହୋଇ ମା’ ବାରଭୂଜା ଓ କୁମ୍ଭମେଳା ବିରୋଧରେ ହେଉଥିବା ଷଡ୍‌ଯନ୍ତ୍ରକୁ ମୁକାବିଲା କରିବା ଲାଗି ଶପଥ ନେଇଛନ୍ତି। 

ଆଜି ବରମୁଣ୍ଡା, ଜାଗମରା, ଘାଟିକିଆ, ଗଣ୍ଡମୁଣ୍ଡା, ପୋଖରୀପୁଟ, ସୁନ୍ଦରପଦା, ଆଇଗିଣିଆ, ଡୁମୁଡୁମା, ଯଦୁପୁର, ସରକନ୍ତରା, ବାହାଦଲପୁର, ପାତ୍ରପଡ଼ା, ଭଗବନାପୁର, ସିଜୁଆ, ଶ୍ୟାମପୁର, ଅନ୍ଧାରୁଆ, ଚନ୍ଦକା, ମଳିପଡ଼ା, ପାଇକରାପୁର, ମଦନପୁର, ମୁଣ୍ଡମୁହାଁଣ, ଯାଁଳା, ନଁପୁଟ, ତମାଣ୍ଡୋ, ନାରଗୋଦା ଆଦି ଗାଁର ଶତାଧିକ ଲୋକ ଖଣ୍ଡଗିରି ପାହାଡ଼ ପାଦଦେଶ ପାନ୍ଥିକା ନିକଟରେ ଏକାଠି ହୋଇଥିଲେ। ସେମାନେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଦିଗମ୍ବର ଜୈନ ସିଦ୍ଧକ୍ଷେତ୍ର ପକ୍ଷରୁ ଦୁଇଟି ମାମଲା ଚାଲିଛି। ସେମାନେ ଗୁମ୍ଫା ଜବରଦଖଲ ହୋଇଥିବା ଅଭିଯୋଗ କରି ମାମଲା କରିଛନ୍ତି। ମା’ ବାରଭୂଜା ପୂଜା ପାଉଥିବା ଗୁମ୍ଫା ସମ୍ମୁଖ ମଣ୍ଡପ ଓ କୁମ୍ଭମେଳା ସମୟରେ ଆସୁଥିବା ସାଧୁସନ୍ଥଙ୍କ ରହଣି ପାଇଁ ହୋଇଥିବା କାର୍ଯ୍ୟାଳୟ, ରୋଷଘର, ଶୌଚାଳୟ ଆଦିକୁ ଜବରଦଖଲ ବୋଲି ଦର୍ଶାଇଛନ୍ତି। ଏହି ଅଭିଯୋଗକୁ ଖଣ୍ଡନ କରିବାକୁ ମା’ ବାରଭୂଜା ମନ୍ଦିର ଟ୍ରଷ୍ଟ ଓ ମହାବୀର ମନ୍ଦିର କମିଟି ପକ୍ଷରୁ ଏକ ଇଣ୍ଟରଭେନ୍‌ସନ୍ ପିଟିସନ କରାଯାଇଥିଲା। କିନ୍ତୁ ହାଇକୋର୍ଟ ଏଥିପାଇଁ ଅଲଗା ତଥା ଉପଯୁକ୍ତ ଫୋରମ୍‌ରେ ଆବେଦନ କରିବାକୁ କହି ପିଟିସନ୍‌କୁ ଖାରଜ କରିଛନ୍ତି। ତେଣୁ ସେମାନେ ଖୁବ୍ ଶୀଘ୍ର ହାଇକୋର୍ଟରେ ମାମଲା କରିବେ।

ମୁରବିମାନେ ଅଭିଯୋଗ କରିଥିଲେ ଯେ ଶହଶହ ବର୍ଷ ଧରି ଗୁମ୍ଫାରେ ମା’ ବାରଭୂଜାଙ୍କର ପୂଜା ହୋଇଆସୁଛି। ଖରା, ବର୍ଷା ସମୟରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏଠାରେ କିଛି ଅସ୍ଥାୟୀ ନିର୍ମାଣ କରାଯାଇଛି। କୌଣସି ବ୍ୟକ୍ତିଗତ ଫାଇଦା ପାଇଁ ଏହି ନିର୍ମାଣ ଉଦ୍ଦିଷ୍ଟ ନୁହେଁ। ସେହିଭଳି ପ୍ରସିଦ୍ଧ କୁ୍‌ମ୍ଭମେଳା ସମୟରେ ସାରା ଭାରତରୁ ଆସୁଥିବା ସାଧୁସନ୍ଥଙ୍କ ପାଇଁ ଏଠାରେ କାର୍ଯ୍ୟାଳୟ ସହିତ ସେମାନଙ୍କ ରହଣି ପାଇଁ ଘର ଓ ଶୌଚାଳୟ ରହିଛି। ଏସବୁ ମଧ୍ୟ କାହାର ବ୍ୟକ୍ତିଗତ କାମରେ ବ୍ୟବହାର ହେଉନାହିଁ। କିନ୍ତୁ ପରିତାପର ବିଷୟ ଏସବୁକୁ ଜବରଦଖଲ ବୋଲି ଦର୍ଶାଯାଇ ମାମଲା ରୁଜୁ ହୋଇଛି। ଏହା କେବଳ ମା’ ବାରଭୂଜାଙ୍କ ପୂଜାବିଧି ଓ ପ୍ରସିଦ୍ଧ କୁମ୍ଭମେଳାକୁ ବନ୍ଦ କରିବାକୁ ଏକ ବିରାଟ ଷଡ଼୍‌ଯନ୍ତ୍ର ବୋଲି ସେମାନେ ଅଭିଯୋଗ କରିଥିଲେ। ସେମାନେ ପୁଣି କହିଛନ୍ତି ଯେ ପାହାଡ଼ରେ ବିଭିନ୍ନ ସମୟରେ ଏଏସ୍‌ଆଇର ବିନା ଅନୁମତିରେ ବହୁ ନିର୍ମାଣ କରାଯାଇଛି। ଏସବୁର ଖୋଳତାଡ଼ ହେବା ଉଚିତ। ପାହାଡ଼ ଉପରେ ଥିବା ଅରୁଣ ସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭ କୁଆଡ଼େ ଗଲା? କାହା ଅନୁମତିରେ ସେସବୁ ଭଙ୍ଗା ଗଲା ଓ ସେଠାରେ ନୂଆ ନିର୍ମାଣ କରାଯାଇଛି? ଏସବୁର ଖୋଳତାଡ଼ କରାଯିବାକୁ ହାଇକୋର୍ଟରେ ଆବେଦନ କରାଯିବ। ଏହି ବୈଠକରେ ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି, ଦିଲୀପ ମହାନ୍ତି, ଦୀନବନ୍ଧୁ ଜେନା, ଚିତ୍ରସେନ ପ୍ରଧାନ, ରାମଚନ୍ଦ୍ର ଖୁଣ୍ଟିଆ, ହିଂମାଶୁ ଶେଖର ଛୋଟରାୟ, ପ୍ରଫୁଲ ପଲେଇ, ନୃସିଂହ ସୁନ୍ଦରାୟ, ପୂର୍ବତନ କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟ, ପୂର୍ବତନ କର୍ପୋରେଟର, ଅଶ୍ୱିନୀ ସୁନ୍ଦରାୟ, ରବୀନ୍ଦ୍ର ବାରିକ, ସୁବାସ ଚନ୍ଦ୍ର ସାହୁ, ପ୍ରତାପ ପଣ୍ଡା, ଦେବବ୍ରତ ଶର୍ମା, ନବକିଶୋର ଦାସ, କିତା ପଟ୍ଟନାୟକ, ଶୋଭନ ଜେନା, ପ୍ରଭାତ ପାଲଟସିଂହ, ହେମନ୍ତ ମହାନ୍ତି, ଆଦିତ୍ୟ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe