ସାହିତ୍ୟର ଉନ୍ନତି ପାଇଁ ସଙ୍ଗଠିତ ଉଦ୍ୟମ ଏକାନ୍ତ ଆବଶ୍ୟକ

ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନର ଆଲୋଚନାଚକ୍ର

ସାହିତ୍ୟର ଉନ୍ନତି ପାଇଁ ସଙ୍ଗଠିତ ଉଦ୍ୟମ ଏକାନ୍ତ ଆବଶ୍ୟକ

ଭୁବନେଶ୍ୱର: ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନର ମିଳିତ ଆନୁକୂଲ୍ୟରେ ୧୯୧ତମ ମାସିକ ଆଲୋଚନାଚକ୍ର ‘ସାହିତ୍ୟ ପାଇଁ ସାହିତ୍ୟିକ ସଂଗଠନର ଆବଶ୍ୟକତା’ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍‍ସର ପ୍ରାକ୍ତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ସଙ୍ଗଠନ କେବଳ ସାହିତ୍ୟ କ୍ଷେତ୍ର ନୁହେଁ ବିଭିନ୍ନ କ୍ଷେତ୍ରରେ ନିହାତି ଆବଶ୍ୟକ ବୋଲି କହିଥିଲେ। ମୁକ୍ତ ଚିନ୍ତନ ମଞ୍ଚର ସଭାପତି ସାତକଡ଼ି ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ଓଡ଼ିଆ ସାହିତ୍ୟର ଉନ୍ନତି ଓ ପ୍ରଗତି ପାଇଁ ସାହିତ୍ୟିକ ସଂଗଠନମାନଙ୍କର ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ। ସଙ୍ଗଠନମାନଙ୍କର ନିଷ୍ଠା ହିଁ ସାହିତ୍ୟିକ ବାତାବରଣରେ ବିଶେଷ ସହାୟକ ହୋଇ ସାହିତ୍ୟିକକୁ ପ୍ରେରଣା ଯୋଗାଇବାର ସକ୍ଷମ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ।

ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ବିଗତ ଶହେ ବର୍ଷ ଧରି ଉତ୍କଳ ସାହିତ୍ୟ ସମାଜର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଆ ଲେଖିକା ସଂସଦର ସମ୍ପାଦିକା ଶକୁନ୍ତଳା ବଳିଆରସିଂହ ଉପସ୍ଥିତ ଥିଲେ। ‘ମୁକ୍ତ ଚିନ୍ତନ ମଞ୍ଚର’ର ସମ୍ପାଦକ ପୀତବାସ ରାଉତରାୟ ସଭା ପରିଚାଳନା କରିଥିଲେ ଓ ଧନ୍ୟବାଦ ଦେଇଥିଲେ ଆବାହକ ରମାକାନ୍ତ ମିଶ୍ର। ପ୍ରାରମ୍ଭରେ ଅମିତାପ୍ରଭା ସ୍ୱାଇଁ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe