କର୍ପୋରେସନକୁ ପୂରିବ ବର୍ଷେ: ଯୋଜନା ସବୁ ଅଧାରେ ଅଟକିଛି

Advertisment
ଆର୍ଥିକ ବର୍ଷ ସରିବାକୁ ଆଉ ୨ଦିନ: ବାକି ପଡ଼ିଛି ୪୫ ପ୍ରତିଶତ ହୋଲ୍ଡିଂ ଟିକସ

ଭୁବନେଶ୍ବର: ଏପ୍ରିଲ୍‌ ୯, ୨୦୨୨। ଦୀର୍ଘ ତିନିବର୍ଷରୁ ଊର୍ଦ୍ଧ୍ବ କାଳ ପର୍ଯ୍ୟନ୍ତ ବିଏମ୍‌ସିରେ ଅଫିସର ରାଜ୍‌ ଚାଲିବା ପରେ ଏହି ଦିନ ପ୍ରଥମ ମହିଳା ମେୟର ଭାବରେ ଦାୟିତ୍ବ ନେଇଥିଲେ ସୁଲୋଚନା ଦାସ। ମେ ୪ ତାରିଖରେ ବସିଥିଲା ପ୍ରଥମ କର୍ପୋରେସନ ବୈଠକ। କିନ୍ତୁ ଏଥିରେ କେବଳ ବିଭିନ୍ନ ଷ୍ଟାଣ୍ଡିଂ କମିଟି ଗଠନ ହୋଇଥିଲା। ଜୁନ୍‌ ୧୦ ତାରିଖରେ ବସିଥିବା ନୂଆ ପରିଷଦର ଦ୍ବିତୀୟ ବୈଠକରେ ହିଁ ଭୁବନେଶ୍ବରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଯୋଜନା ହୋଇଥିଲା। ଷ୍ଟାଣ୍ଡିଂ କମିଟିମାନଙ୍କରୁ ଆସିଥିବା ପ୍ରସ୍ତାବକୁ ବିଚାର କରି ବିଭିନ୍ନ କ୍ଷେତ୍ରରେ ଭୁବନେଶ୍ବରକୁ କିଭଳି ୧ ନମ୍ବର କରାଯିବ ସେ ନେଇ ମାନସ ମନ୍ଥନ ହେବା ସହ ନିଷ୍ପତ୍ତି ନିଆଯାଇଥିଲା। ସେହି ନୂଆ କର୍ପୋରେସନକୁ ଆସନ୍ତା ମାସରେ ବର୍ଷେ ପୂରିବାକୁ ଯାଉଛି। ଅନେକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଏମ୍‌ସି ଉଦ୍ୟମ କରିଛି ସତ। ତଥାପି ପରିଷଦର ପ୍ରଥମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମଧ୍ୟ ଆଜି ଯାଏ ପୂରଣ ହୋଇ ପାରିନି। ବୈଠକରେ ନିଆଯାଉଥିବା ନିଷ୍ପତ୍ତି ବାସ୍ତବ କ୍ଷେତ୍ରରେ ପ୍ରତିଫଳନ ହେଉ ନାହିଁ। ଯଦିଓ ହାତରେ ୪ ବର୍ଷ ସମୟ ଅଛି, ତଥାପି ଏବେ ଠାରୁ ଯତ୍ନଶୀଳ ନ ହେଲେ ପରିଷଦର ଘୋଷଣା କେବଳ ଧୂଆଁବାଣ ହୋଇଯିବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

ୱାର୍ଡ ଅଫିସ୍‌ ହେଲାନି, ଦୁଃଖ ପାଲଟିଲା ଏମ୍‌ସିସି
ନଳା ଉପରୁ ଜବରଦଖଲ ହଟିବା ପରିବର୍ତ୍ତେ ବଢ଼ିଲା
ସହର ସୌନ୍ଦର୍ଯ୍ୟୀକରଣ ପାଇଁ ପ୍ରଶଂସା ମିଳିଲା

ପ୍ରଥମ ମହିଳା ମେୟର ଭାବରେ ଶ୍ରୀମତୀ ଦାସ ଶପଥ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ଘୋଷଣା ଥିଲା ଲୋକ ସମସ୍ୟା ଧରି ବିଏମ୍‌ସି ଅଫିସ୍‌ ଆସିବେନି ବରଂ ବିଏମ୍‌ସି ସମାଧାନ ନେଇ ଲୋକଙ୍କ ପାଖକୁ ଯିବ। ପ୍ରତି ୱାର୍ଡରେ ଅଫିସ୍‌ ଖୋଲିବ। ସେଠାରେ ହିଁ ସମସ୍ତ ସମସ୍ୟାର ସମାଧାନ ହେବ। ହେଲେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ନୂଆ ୱାର୍ଡ ଅଫିସ୍‌ ଖୋଲି ପାରିଲା ନାହିଁ। କିନ୍ତୁ ପ୍ରତି ୱାର୍ଡ ଅଫିସ୍‌ରେ ଅଭିଯୋଗ ଶୁଣାଣି ପାଇଁ କମିଟି ଗଠନ ହେବା ସହ ସେମାନଙ୍କର କାର୍ଯ୍ୟପନ୍ଥା ଧାର୍ଯ୍ୟ ହୋଇଛି। ନୂଆ ୱାର୍ଡ ଅଫିସ୍‌ ପାଇଁ ଜାଗା ଚିହ୍ନଟ ହୋଇଛି। କିନ୍ତୁ କେବେ ସବୁ ୱାର୍ଡରେ ୱାର୍ଡ ଅଫିସ ହେବ? କେବେ ସାଧାରଣ ‌ଲୋକଙ୍କର ନିଜ ୱାର୍ଡରେ ହିଁ ଅଭିଯୋଗର ସମାଧାନ ହେବ ତାହା ଉତ୍ତର କାହା ପାଖରେ ନାହିଁ।

୨୦୨୧ ମସିହାରେ ନଳାରେ ଭାସିଯାଇ ଜଣେ ଛାତ୍ରର ମୃତ୍ୟୁ ହେବା ବେଳେ କର୍ପୋରେସନ ନଥିଲା। ସେତେବେଳେ ଅଫିସର ରାଜ୍‌ ଚାଲିଥିଲା। ପରିଷଦ ଗଠନ ହେଉ ହେଉ ଏ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ବର୍ଷା ଜଳର ସୁପରିଚାଳନା ପାଇଁ ମାନସମନ୍ଥନ ହୋଇଥିଲା। ଏତିକିବେଳେ ରାଜଧାନୀର ନଳାକୁ ନେଇ ଦୀର୍ଘ ଦିନରୁ ପଡ଼ି ରହିଥିବା ଯୋଜନା ଉପରେ ସରକାର ମୋହର ମାରିଥିଲେ। ଏଣୁ ବିଏମ୍‌ସିକୁ ଆହୁରି ସହଜ ହୋଇଯାଇଥିଲା। ନଳା ଚଉଡ଼ା କରିବା ପାଇଁ କେବଳ ଜମି ଅଧିଗ୍ରହଣ କରିବା କାମକୁ ତ୍ବରାନ୍ବିତ କରିବାର ଥିଲା। ଲକ୍ଷ୍ୟ ଥିଲା ଆସନ୍ତା ବର୍ଷା ଋତୁ(୨୦୨୩)ରେ ଯେଭଳି ୨୦୨୧ ଘଟଣାର ପୁନରାବୃତ୍ତି ନ ହୁଏ। ଏଥିପାଇଁ ଜମିଅଧିଗ୍ରହଣ ଉପରେ ନୂଆ ପରିଷଦ ଗୁରୁତ୍ବାରୋପ କରିଥିଲା। ୧୦ ଏକରରୁ ଊର୍ଦ୍ଧ୍ବ ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ ବର୍ଷେ ଭିତରେ ଦେଢ଼ ଏକରରୁ କମ୍‌ ଅଧିଗ୍ରହଣ ହୋଇଛି। ୨୦୨୩ ତ’ ନୁହେଁ, ବରଂ ୨୦୨୪ ସୁଦ୍ଧା ନଳା ସଂପ୍ରସାରଣ ଯୋଜନା କାର୍ଯ୍ୟକାରୀ ହୋଇ ପାରିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ସବୁ ନଳା ଉପରୁ ଜବରଦଖଲ ହଟାଇବା ପାଇଁ ନୂଆ କର୍ପୋରେସନ ଏକ ସ୍ବତନ୍ତ୍ର ବୈଠକରେ ନିଷ୍ପତ୍ତି ନେଇଥିଲା। ଜବରଦଖଲ ହଟିବ କ’ଣ, ଓଲଟା ବଢ଼ିଚାଲିଛି।

କେବଳ ଭୁବନେଶ୍ବର ବାସିନ୍ଦାଙ୍କ ପାଇଁ ନୁହେଁ, ବରଂ ଉପକଣ୍ଠଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାର ଜୀବନ ରେଖା ହେଉଛି ୧ ନମ୍ବର ହାଟ। ପୂର୍ବରୁ ପ୍ରତିଟି କର୍ପୋରେସନ ଏହାକୁ ଗୁରୁତ୍ବ ଦେଇ ଆସିଛି। କିନ୍ତୁ ଏହା ବ୍ୟବସ୍ଥିତ ହୋଇ ରହି ନାହିଁ। ଏହାକୁ ସୁବ୍ୟବସ୍ଥିତ କରିବା ଉପରେ ନୂଆ କର୍ପୋରେସନ ଗୁରୁତ୍ବାରୋପ କରିଥିଲା। ପୂର୍ବରୁ ପ୍ରସ୍ତୁତ ହୋଇଥିବା ଯୋଜନା ଉପରେ ତର୍କବିତର୍କ କରିବା ସହ ଏହାକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଲାଗି ପଡ଼ିଥିଲା। କେତେକ ସରକାରୀ କ୍ବାର୍ଟର୍ସ ଭାଙ୍ଗି ଦେଇଥିଲା। କିନ୍ତୁ ସେଠାରେ ଥିବା ବସ୍ତିବାସିନ୍ଦାଙ୍କ ପାଇଁ କୌଣସି ଯୋଜନା କରିନପାରିବାରୁ ସେମାନେ ଏବେ ବି ଅଛନ୍ତି। ଏଣୁ ଯୋଜନା କାଗଜପତ୍ରରେ ଅଟକିଛି। ଆବର୍ଜନା ପରିଚାଳନା ପାଇଁ ସବୁ ୱାର୍ଡରେ ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) କରିବାକୁ ନୂଆ କର୍ପୋରେସନ ନିଷ୍ପତ୍ତି ନେଇଥିଲା। କିନ୍ତୁ ଗୋଟିଏ ହେଲେ ନୂଆ ଏମ୍‌ସିସି କାର୍ଯ୍ୟକ୍ଷମ କରିପାରିଲେ ନାହିଁ। ବରଂ ପୂର୍ବରୁ ଅଫିସରମାନେ କରି ଯାଇଥିବା ତ୍ରୁଟିପୂର୍ଣ୍ଣ ପରିମଳ ଟେଣ୍ଡରକୁ ମଧ୍ୟ ଏଯାଏ ବାତିଲ କରିପାରିଲେ ନାହିଁ। ହକି ପରେ ପରେ ଏହାକୁ ବାତିଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କର୍ପୋରେସନ ଏବେ ଏଥିରୁ ଓହରିଯିବାକୁ ବସିଥିବା ଚର୍ଚ୍ଚା ହେଉଛି।

ମଶା ନିୟନ୍ତ୍ରଣରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ବ୍ୟବହାର କରି ନୂଆ କର୍ପୋରେସନ ଚର୍ଚ୍ଚାକୁ ଆସିଥିଲା। ଡ୍ରୋନ୍‌ ପିଛା ମୋଟାଅଙ୍କର ଅର୍ଥ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଏହା ମଶା ନିୟନ୍ତ୍ରଣରେ କାମରେ ଲାଗି ନଥିଲା। ଫଳରେ ଏହାକୁ ଅଚାନକ ବନ୍ଦ କରି ଦିଆଯାଇଥିଲା। ଗଳି ଭିତରୁ ମୋଟର ସାଇକେଲ୍‌ରେ ଆବର୍ଜନା ବୋହିବା ମଧ୍ୟ ଫେଲ୍‌ ମାରିଥିଲା। ମୋଟା ଅଙ୍କର ଅର୍ଥ ଖର୍ଚ୍ଚରେ ଆବର୍ଜନା ସଫା କରିବା ପାଇଁ ଜଟାୟୂ ମେସିନ୍‌ ମଧ୍ୟ ପରିମଳ ବ୍ୟବସ୍ଥାରେ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିନଥିଲା। ତେବେ ସ୍ବଚ୍ଛ ସର୍ବେକ୍ଷଣରେ ଗତ ବର୍ଷ ବେଶ୍‌ ପଛରେ ଥିବା ବିଏମ୍‌ସି ଏଥର ୧୦୦ ଭିତରେ ରହିଥିଲା। ବାସୁଆଘାଈ ମଳ ପରିଚାଳନା ପ୍ରକଳ୍ପ ପୁରସ୍କୃତ ହୋଇଥିଲା। ବିଶ୍ବକପ୍‌ ହକି ସମୟରେ ଖାଲି ପଡ଼ିଥିବା ଜାଗାକୁ ସୌନ୍ଦର୍ଯ୍ୟୀକରଣ କରି ବିଏମ୍‌ସି ପ୍ରଶଂସିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe