Image Courtesy of Times Now
ଭୁବନେଶ୍ୱର: ଆଜି ଏୟାର୍ଫିଲ୍ଡ ଥାନା ଛାତ ଉପରେ ହୋଇଥିବା ଏକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ପାଇଁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ବିସ୍ଫୋରଣ ପରେ ସିଲିଣ୍ଡରର ଟୁକୁଡ଼ା ଅଂଶ ଥାନା ସଂଲଗ୍ନ ହାଟରେ ପଡ଼ିବାରୁ ଜଣେ ପରିବା ବେପାରୀ ଆହତ ହେଲେ। ସୌଭାଗ୍ୟକୁ କୌଣସି ବଡ଼ଧରଣର କ୍ଷତି ହୋଇନାହିଁ। କିନ୍ତୁ ପୁଲିସ କର୍ମଚାରୀ ହୋଇ ମଧ୍ୟ ସିଲିଣ୍ଡର ନିଆଁକୁ ଆୟତ୍ତ କରିବା କୌଶଳ ଜାଣି ନଥିବା କଥାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଆଜି ଥାନା ଭିତରେ କିଛି କର୍ମଚାରୀ ୫ ଲିଟର ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡର ଯୁକ୍ତ ଚୁଲାରେ ରୋଷେଇ କରୁଥିଲେ। ହଠାତ୍ ଗ୍ୟାସ୍ ଲିକ୍ ହେବାରୁ ନିଆଁ ଜୋର୍ରେ ଜଳିଥିଲା। ରୋଷେଇ କରୁଥିବା କର୍ମଚାରୀ ରେଗୁଲେଟର୍ ମୋଡ଼ି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ରେଗୁଲେଟର୍ କାମ କରି ନଥିଲା। ନିଆଁ ବେଶି ଜୋର୍ରେ ଜଳିବା ଦେଖି କର୍ମଚାରୀଜଣକ ତାକୁ ଟେକି ନେଇ ଛାତ ଉପରେ ରଖିଦେଲେ ଏବଂ ଦୂରରୁ ପାଣି ପକାଇ ଲିଭାଇକୁ ଚେଷ୍ଟା କଲେ। ମାତ୍ର ନିଆଁ ଲିଭିବା ବଦଳରେ ଅଧିକ ଜୋର୍ରେ ଜଳିଲା। ଏହା ଦେଖି କର୍ମଚାରୀ ଜଣକ ଭୟରେ ଭିତରକୁ ପଳାଇଲେ। କିଛି ସମୟ ପରେ ହଠାତ୍ ଭୟଙ୍କର ଶବ୍ଦ କରି ସିଲିଣ୍ଡର ବିସ୍ଫୋରଣ ହେଲା। ସିଲିଣ୍ଡରର ଟୁକୁଡ଼ା ଅଂଶ ସବୁ ବିଛାଡ଼ି ହୋଇଗଲା। ନିକଟସ୍ଥ ପରିବା ହାଟରେ କିଛି ଟୁକୁଡ଼ା ପଡ଼ିଲା। ଫଳରେ ସୁନ୍ଦରପଦାର ପରିବା ବେପାରୀ ରଞ୍ଜନ ସାହୁଙ୍କ ହାତ କ୍ଷତିଗ୍ରସ୍ତ ହୋଇଥିଲା। ତୁରନ୍ତ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ବେପାରୀମାନଙ୍କ କହିବା କଥା ସିଲିଣ୍ଡରର ବେସ୍ ପ୍ଲେଟ୍ ରଞ୍ଜନଙ୍କ ହାତରେ ବାଜିବାରୁ ସେ ବଞ୍ଚିଗଲେ। ଯଦି ତାହା ମୁଣ୍ଡରେ ବାଜିଥାଆନ୍ତା, ବଡ଼ଧରଣର ଅଘଟଣ ଘଟିବା ନିଶ୍ଚିତ ଥିଲା।
Follow Us