ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼, ପ୍ରେମ-ପ୍ରତାରଣା ଅସଲ କାରଣ ନୁହେଁ!

Advertisment

ପୂର୍ବରୁ ବି ୨ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ସବନମ୍

ପୂର୍ବରୁ ବି ୨ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ସବନମ୍

ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼, ପ୍ରେମ-ପ୍ରତାରଣା ଅସଲ କାରଣ ନୁହେଁ!

ଭୁବନେଶ୍ବର: ବାଲିଅନ୍ତା ରଙ୍ଗବଜାରସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଇଂରାଜୀ ଶିକ୍ଷୟିତ୍ରୀ ଥିବା ସବନମ୍ ବର୍ମାଙ୍କ ଆତ୍ମହତ୍ୟା ଘଟଣା ନୂଆ ମୋଡ଼ ନେଇଛି। ପୁରୁଷ ବନ୍ଧୁ ବିବାହ ପାଇଁ ମନା କରିବାରୁ ସବନମ୍ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରଥମେ କୁହାଯାଉଥିଲେ ହେଁ ଏହା ତାଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ନୁହେଁ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେଣୁ ଆତ୍ମହତ୍ୟାର ପ୍ରକୃତ କାରଣ ଖୋଜିବା ଆରମ୍ଭ କରିଛି ପୁଲିସ। ଅପରପକ୍ଷରେ ସବନମ୍‌ଙ୍କ ଭାଇ ଆଜି କୋଲକାତାରୁ ଏଠାରେ ପହଞ୍ଚି ଭଉଣୀର ଶବକୁ ହସ୍ପିଟାଲ୍‌ରୁ ନେଇଥିବା ବେଳେ ତାଙ୍କ ଭଉଣୀର ମୃତ୍ୟୁକୁ ନେଇ କୌଣସି ଅଭିଯୋଗ କରି ନଥିବା ପୁଲିସ କହିଛି।

ରବିବାର ସବ୍‌ନମ୍ ତାଙ୍କ ଘରେ ରଶି ଲଗାଇ ଆତ୍ମହତ୍ୟା କରିବା ପରେ ତ‌ାଙ୍କ ପ୍ରେମିକ ରୋହନ ଓରାମ୍‌କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ମାତ୍ର ସେମାନଙ୍କ ପ୍ରେମ ସଂପର୍କ ନେଇ ସେମିତି କିଛି ଠୋସ୍ ତଥ୍ୟ ମିଳିନଥିଲା। ବରଂ ରୋହନ ସବନମଙ୍କ ପ୍ରେମଠାରୁ ନିଜକୁ ଦୂରେଇ ରଖିଥିବା କହିଥିଲା।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପୂର୍ବରୁ ମଧ୍ୟ ସବନମ୍‌ଙ୍କ ପାରିବାରିକ ସମସ୍ୟା ଯୋଗୁଁ ସେ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ରୋହନ୍ ତାଙ୍କ ପାଖରେ ପହଞ୍ଚି ସମସ୍ୟା ସମାଧାନ କରିବା ସହ ତାଙ୍କୁ ଆତ୍ମହତ୍ୟା ନ କରିବାକୁ ପ୍ରବର୍ତ୍ତାଇଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରୋହନ ଯେତେବେଳେ ୭ ବର୍ଷ ପୂର୍ବେ କୋରାପୁଟ ସୁନାବେଡ଼ାସ୍ଥିତ ଭିଏସ୍‌ ବିଦ୍ୟାଳୟରେ ପଢ଼ୁଥିଲେ ସେବେଠାରୁ ସବନମ୍‌ ତାଙ୍କୁ ପ୍ରେମ ନିବେଦନ କରି ଆସୁଥିଲେ। ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହିତ ଏହା ଛାତ୍ର-ଶିକ୍ଷକ ମଧ୍ୟରେ ଏଭଳି ସମ୍ପର୍କ ଠିକ୍ ନୁହେଁ ବୋଲି କହିଥିଲେ। ଏହା ସହିତ ସମାଜ ଓ ତାଙ୍କ ପରିବାର ଲୋକେ ମଧ୍ୟ ଏଭଳି ସମ୍ପର୍କକୁ ଗ୍ରହଣ କରିବେ ନାହିଁ ତାଙ୍କୁ ବୁଝାଇଥିଲେ। ହେଲେ ସବନମ୍ ନ ବୁଝି ବାରମ୍ବାର ତାଙ୍କୁ ପ୍ରେମ ନିବେଦନ କରି ଆସୁଥିଲେ। କିନ୍ତୁ କେବେହେଲେ ପ୍ରେମକୁ ନେଇ ସେ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ନେଇ ନଥିବେ ବୋଲି ରୋହନ ପୁଲିସକୁ କହିଛନ୍ତି। ଅପରପକ୍ଷରେ ଗତକାଲିର ଘଟଣାରେ ତାଙ୍କୁ ଅଚାନକ ଏଭଳି ବିବାହ ପାଇଁ ଜିଦ ଧରିବା ଏବଂ ପରେ ଆତ୍ମହତ୍ୟାର ଧମକ ଦେବା ପଛର ରହସ୍ୟ ମଧ୍ୟ କଣ କିଛି ବୁଝାପଡ଼ୁନଥିବା ରୋହନ କହିଛନ୍ତି।

ହେଲେ ରୋହନ୍ ପୁଲିସ୍ ପାଖରୁ ବର୍ତ୍ତିବା ପାଇଁ ଏଭଳି ମନଗଢ଼ା କାହାଣୀ କହୁଥିବା ସନ୍ଦେହକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। କାରଣ ରୋହନ ଏକଥା ସ୍ବୀକାର କରିଛନ୍ତି ଯେ ସବନମ୍ ତାଙ୍କୁ ବାରମ୍ବାର ପ୍ରେମ ନିବେଦନ କରୁଥିଲେ ଏବଂ ଆତ୍ମହତ୍ୟା କରିବା ପୂର୍ବରୁ ଉଭୟଙ୍କର ଝଗଡ଼ା ହୋଇଥିଲା। ଏହା ସହିତ ଆତ୍ମହତ୍ୟା ପୂର୍ବରୁ ସେ ରୋହନଙ୍କୁ ଫୋନ୍ କରି ବିବାହ କରିବାକୁ ମଧ୍ୟ କହିଥିଲେ।

ଏଣେ ଆଜି ରୋହନଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟିଂରୁ ଜଣାପଡ଼ିଛି ଯେ ତାଙ୍କର ସବନମ୍‌ଙ୍କ ସହ ଦୀର୍ଘ ଦିନର ସଂପର୍କ ଥିଲା। ରୋହନଙ୍କ ସମେତ ତାଙ୍କର ବନ୍ଧୁମାନେ ସବନମ୍‌ଙ୍କ ସହ ପୂର୍ବରୁ ଡିନର୍ କରିଥିବା ଫଟୋ ମଧ୍ୟ ପୋଷ୍ଟ ହୋଇଛି। ତେବେ ରୋହନଙ୍କ ପ୍ରେମ ପ୍ରତ୍ୟାଖ୍ୟାନ ଯଦି ଆତ୍ମହତ୍ୟାର କାରଣ ନୁହେଁ, ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ସବନମ୍ ଆତ୍ମହତ୍ୟା କରିଛନ୍ତି ତା’ର କାରଣ ଖୋଜିବା ଏବେ ପୁଲିସ୍ ପାଇଁ ଆହ୍ବାନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe