ଭାବ ଓ ଲୟରେ ଭିଜିଲା ପ୍ରେକ୍ଷାଳୟ

ପ୍ରତିଯୋଗିତାରେ କଟକ ଏନ୍‌ଏସ୍‌ଏମ୍‌ ସିଟି କଲେଜର ପ୍ରତୀକ୍ଷା ପାରଦର୍ଶିତା ସ୍ୱାଇଁ ପ୍ରଥମ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପିଏନ୍‌ ପ୍ରିୟଙ୍କା ସ୍ୱାଇଁ ଦ୍ୱିତୀୟ ଓ ଫକୀର ମୋହନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଉଜ୍ଜୟନ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ।

fhhkhkhkkhkhhk

ଭୁବନେଶ୍ୱର: ଅଶୀଦଶକର ଲୋକପ୍ରିୟ ଗୀତ ‘ପାନ୍ଥଶାଳା କେବେ ପଚାରି ବୁଝେନା...’ ଗୀତରୁ ଆରମ୍ଭ ହୋଇଥିଲା ସ୍ୱର, ତାଳ ଓ ଲୟର ମହାସଂଗ୍ରାମ। ପରେ ପରେ ‘ଏ ମିଳନ କାହାଣୀ ଆମ ଜୀବନର’, ‘ଏ ଦୁନିଆ ବୁକୁରେ’,‘ବିଶ୍ୱ ଜଗନ୍ନାଥ, ବ୍ରହ୍ମ ଜଗନ୍ନାଥ’, ‘ନଯା ରାଧିକା’, ‘ଯମୁନା ଯାଅନା’ ଭଳି ଭିନ୍ନଭିନ୍ନ ଶୈଳୀର ଗୀତ ଉପସ୍ଥିତ ଦର୍ଶକଙ୍କୁ କେବଳ ବିମୋହିତ କରିନଥିଲା, ସେମାନଙ୍କୁ ଭିନ୍ନ ଏକ ସମୟକୁ ନେଇ ଯାଇଥିଲା। ସେଥିରେ ଶାସ୍ତ୍ରୀୟତାର ଯେତିକି ସ୍ପର୍ଶ ଥିଲା, ଆଧୁନିକତାର ସେତିକି ଚିହ୍ନ। ଥିଲା ଆଧ୍ୟାତ୍ମିକତା, ଥିଲା ପ୍ରେମ, ଥିଲା ବି ଅନ୍ୟ ଜୀବନାନୁଭୂତି। ସମସ୍ତେ ଗୀତ ମାଧ୍ୟମରେ ନିଜ ଭିତରର ପ୍ରତିଭା ଓ ଦକ୍ଷତାକୁ ପ୍ରଦର୍ଶନ ଓ ପ୍ରମାଣ କରିବାଲାଗି ସବୁପ୍ରକାର ଉଦ୍ୟମ କରିଥିଲେ। ଅନ୍ୟପକ୍ଷରେ ସାରା ଓଡ଼ିଶାରୁ ଆସିଥିବା ଯୁବପିଢ଼ିଙ୍କୁ ନେଇ ଏଭଳି ଏକ ସଙ୍ଗୀତ କାର୍ଯ୍ୟକ୍ରମ ଅନେକ ଦିନ ପରେ ଦେଖିବାକୁ ମିଳିଲାବୋଲି ଶ୍ରୋତାମାନେ କୁହାକୁହି ହେଉଥିଲେ। ମୋଟ୍‌ ଉପରେ ଜୟଦେବ ଭବନର ପୂର୍ଣ୍ଣ ପ୍ରେକ୍ଷାଳୟ ସଙ୍ଗୀତର ଏକ ଅପୂର୍ବ ଆସରରେ ବୁଡ଼ିଯାଇଥିଲା। ଅବସର ଥିଲା ‘ସମ୍ୱାଦ’ ଓ ‘ରେଡିଓ ଚକ୍‌ଲେଟ୍‌’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ‘ସାରେଗାମା’ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟ।

‘ସମ୍ୱାଦ’ ଓ ‘ରେଡିଓ ଚକଲେଟ’ ରାଜ୍ୟସ୍ତରୀୟ ‘ସାରେଗାମା’, ସଙ୍ଗୀତ ସମ୍ରାଟ ପ୍ରତୀକ୍ଷା, ପ୍ରିୟଙ୍କା ଓ ଉଜ୍ଜୟନ

ପ୍ରତିଯୋଗିତାରେ କଟକ ଏନ୍‌ଏସ୍‌ଏମ୍‌ ସିଟି କଲେଜର ପ୍ରତୀକ୍ଷା ପାରଦର୍ଶିତା ସ୍ୱାଇଁ ପ୍ରଥମ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପିଏନ୍‌ ପ୍ରିୟଙ୍କା ସ୍ୱାଇଁ ଦ୍ୱିତୀୟ ଓ ଫକୀର ମୋହନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଉଜ୍ଜୟନ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଗତ ସେପ୍ଟେମ୍ୱର ୨୨ରେ ରାଜ୍ୟର ୯ଟି ଜୋନ୍‌ରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ‘ସାରେଗାମାପା’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତି ଜୋନ୍‌ରୁ ୩ ଜଣ ବିଜୟୀ ଆଜି ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ବିଚାରକ ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ, କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଯୋଗଦେଇଥିଲେ। ପ୍ରତିଯୋଗୀମାନଙ୍କୁ ତବଲାରେ ଅଜୟ ଚୌଧୁରୀ, କିବୋର୍ଡରେ ଚିତ୍ତରଞ୍ଜନ ପ୍ରଧାନ, ସିନ୍ଥେସାଇଜର୍‌ରେ ରମେଶ ଚନ୍ଦ୍ର ବେହେରା ଓ ଅକ୍ଟୋପାଡ୍‌ରେ ସୁଧାଂଶୁ ଜେନା ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶରତ ନାୟକଙ୍କ କଣ୍ଠରୁ ‘ତୁମେ ଭାଗବତ ତୁମେ ନାରାୟଣ’, ଗୀତା ପଟ୍ଟନାୟକଙ୍କ କଣ୍ଠରୁ ‘ଫୁର କିନା ଉଡ଼ିଗଲା ବଣି’ ଓ ମନ୍ମଥ ମିଶ୍ରଙ୍କ କଣ୍ଠରୁ ‘ସାତ ସୁରେ ବନ୍ଧା ଏ ଜୀବନ’ ଗୀତ ପ୍ରେକ୍ଷାଳୟରେ ଉପସ୍ଥିତ ଶ୍ରୋତାଙ୍କୁ ବିମୋହିତ କରିଥିଲା। ତିନି ବିଚାରକଙ୍କ ସମେତ ‘ଆମ ଓଡ଼ିଶା’ର ସମ୍ପାଦକ ଅରବିନ୍ଦ ଦାସ ବିଜୟୀମାନଙ୍କର ନାମ ଘୋଷଣା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଆର୍‌ଜେ ଅନୀଲ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe