ରାସ୍ତାପାର୍ଶ୍ବରୁ ବେଧଡ଼କ ଗଛକଟା: ରେଳ ଷ୍ଟାଡିୟମ୍‌-ପ୍ରେସ୍‌ ଛକ ରାସ୍ତାପାର୍ଶ୍ବରୁ ଗଛ କାଟିଲେ

ସ୍ବଚ୍ଛ, ସବୁଜ ପରିବେଶର ବାର୍ତ୍ତା ଦେଇ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପ୍ରତିବର୍ଷ ସହରରେ ଗଛ ଲଗାଉଛି। ରାସ୍ତାପାର୍ଶ୍ବ ବନୀକରଣ ସାଙ୍ଗକୁ ଖୋଲା ସ୍ଥାନରେ ବୃକ୍ଷରୋପଣ ହେଉଛି।

dggddgdg

ଚନ୍ଦ୍ରଶେଖରପୁର: ସ୍ବଚ୍ଛ, ସବୁଜ ପରିବେଶର ବାର୍ତ୍ତା ଦେଇ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପ୍ରତିବର୍ଷ ସହରରେ ଗଛ ଲଗାଉଛି। ରାସ୍ତାପାର୍ଶ୍ବ ବନୀକରଣ ସାଙ୍ଗକୁ ଖୋଲା ସ୍ଥାନରେ ବୃକ୍ଷରୋପଣ ହେଉଛି। ଜନପ୍ରତିନିଧିଙ୍କଠାରୁ ଅଧିକାରୀଙ୍କ ପର୍ଯ୍ୟନ୍ତ ‘ବୃକ୍ଷ ହିଁ ଜୀବନ’ ନାରା ଦେଉଛନ୍ତି। ମାତ୍ର ଗଛ ଲଗାଯିବା ପରେ ତାହାର ଠିକ୍‌ ରକ୍ଷଣାବେକ୍ଷଣ କରାଯାଉ ନାହିଁ। ପରିଣାମ ସ୍ବରୂପ କେଉଁଠି ଦିନ ଦି’ପହରରେ ଗଛ କଟାଯାଉଛି ତ ଆଉ କେଉଁଠି ରାତିରେ ଗଛ କାଟି ଉଠାଦୋକାନୀ ଜବରଦଖଲ କରୁଛନ୍ତି। ସପ୍ତାହକ ମଧ୍ୟରେ ଚନ୍ଦ୍ରଶେଖରପୁର ଅଞ୍ଚଳ‌ର ଏଭଳି ଦୁଇଟି ଘଟଣାକୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ସହର ପାଇଁ ବୃକ୍ଷ ବହୁତ ମୂଲ୍ୟବାନ ହୋଇଥିଲେ ମଧ୍ୟ ତାହାକୁ ସୁରକ୍ଷା ଦେବାକୁ ଦାବି ଉଠିଛି।

୧୨ ନମ୍ବର ୱାର୍ଡ ଅନ୍ତର୍ଗତ ରେଳ ଷ୍ଟାଡିୟମ୍‌ ଛକରୁ ପ୍ରେସ୍‌ କଲୋନି ଛକକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବରେ ୩ଟି ବଡ଼ ବଡ଼ ଗଛ କାଟି ଦିଆଯାଇଛି। କିଏ ଓ କାହିଁକି ଗଛଗୁଡ଼ିକୁ କାଟିଛି ସେନେଇ କାହା ପାଖରେ ବି ଉତ୍ତର ନାହିଁ। ବିଏମ୍‌ଡି କିମ୍ବା ବନ ବିଭାଗ ଅଧିକାରୀମାନେ ଏସମ୍ପର୍କରେ ଜାଣି ନ ଥିବା କହିଛନ୍ତି। ନିକଟରେ ସିଟି ବସ୍‌ ଡିପୋ ରହିବା ସହ ପ୍ରବେଶ ପଥକୁ ଲାଗି ଗଛଗୁଡ଼ିକ ରହିଥିବାରୁ କାଟି ଦିଆଯାଇଥିବା ଅନୁମାନ କରାଯାଉଛି। ତେବେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ ତିନି ଦିନ ତଳେ ଗଛଗୁଡ଼ିକୁ କଟାଯାଇଛି। କଟାଯିବା ସମୟ‌ରେ କାରଣ ପଚାରିବାରୁ ସେମାନେ କହିଥିଲେ ଗଛଗୁଡ଼ିକୁ ବିଦ୍ୟୁତ୍‌ ତାରକୁ ଲାଗୁଥିବାରୁ କାଟି ଦିଆଯାଉଛି। ଯେଉଁ ଗଛ ଦିନେ ପଥଚାରୀକୁ ଛାଇ ଦେଉଥିଲା ତାହା ଏବେ ଧରାଶାୟୀ ହୋଇପଡ଼ିଛି। ଏହି ରାସ୍ତାରେ ଶତାଧିକ ବଡ଼ ବଡ଼ ଗଛ ରହିଥିବାରୁ ତାହାର ସୁରକ୍ଷା ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଅନୁରୂପ ଭାବେ ଶୈଳଶ୍ରୀବିହାର ସାଇ ମନ୍ଦିର ଛକରୁ ଇନଫୋସିଟି ଆଡ଼କୁ ଯାଇଥିବା ରାସ୍ତାର ଡାହାଣ ପାର୍ଶ୍ୱରେ ଲଗାଯାଇଥିବା ଗଛକୁ ଉଠାଦୋକାନୀମାନେ ରାତି ଅଧରେ କାଟି ଦେଇଛନ୍ତି। ରାସ୍ତାପାର୍ଶ୍ବ ସରକାରୀ ଜାଗାକୁ ଜବରଦଖଲ କରିଥିବା ବ୍ୟବସାୟୀ ନିଜ ଦୋକାନର ସମ୍ମୁଖ ଭାଗ ମୁଖ୍ୟ ରାସ୍ତାକୁ ଯେପରି ଦେଖାଯିବ ସେଥିପାଇଁ କିଛି ବର୍ଷ ତଳେ ଲଗାଯାଇଥିବା ଛୋଟ ଗଛର ଡାଳ କାଟି ପକାଇଛନ୍ତି। ଯେଉଁ ଗଛ ମାସକ ତଳେ ପଥଚାରୀଙ୍କୁ ଛାଇ ପ୍ରଦାନ କରୁଥିଲା ତାହା ଆଜି ଖୁଣ୍ଟା ହୋଇ ଛିଡ଼ା ହୋଇଛି। କେବଳ ସେତିକି ନୁହେଁ, ସରକାରୀ ଜାଗାକୁ ମାଡ଼ିବସିଥିବା ଏହି ଦୋକାନୀମାନେ ନିକଟରେ ଖାଲିଥିବା ସ୍ଥାନକୁ ମାଟି ପକାଇ ଅବରୋଧ କରୁଛନ୍ତି। ଯାହାକି ବର୍ଷା ଦିନେ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି କରିବ। ଏହି ରାସ୍ତାପାର୍ଶ୍ୱରେ ଇଲେଭେନ୍ କେଭି ତଥା ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ଲାଇନ୍ ତଳେ ଗଢ଼ି ଉଠିଥିବା ଅଧିକାଂଶ ଦୋକାନୀ ଫୁଟପାଥ୍‌ କବଜା କରିଥିବା ଦେଖିବାକୁ ମିଳୁଛି। ଚିନ୍ତାର କାରଣ ହେଉଛି ଯେ ଏଠାରେ ପାଣିର କୌଣସି ସୁବିଧା ନଥିବାରୁ ହୋଟେଲଗୁଡ଼ିକ ଅସ୍ବାସ୍ଥ୍ୟକର ପରିବେଶରେ ଟ୍ୟାଙ୍କର ପାଣିକୁ ଦୀର୍ଘ ଦିନ ଧରି ଗଚ୍ଛିତ ରଖୁଛନ୍ତି। ଖାଦ୍ୟ ପାନୀୟର କୌଣସି ଯାଞ୍ଚ ହେଉ ନାହିଁ। ବର୍ଷା ଜଳ ନିଷ୍କାସନରେ ବାଧା ସୃଷ୍ଟି କରାଉଥିବା ଦୋକାନୀକୁ ବିଏମସି ଅଧିକାରୀ କିପରି ଫୁଡ୍ ଲାଇସେନ୍ସ ଦେଉଛନ୍ତି ସେ‌ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇବା ସହ ଇନ୍‌ଫୋସିଟିକୁ ସଂଯୋଗ କରୁଥିବା ଏହି ପ୍ରମୁଖ ରାସ୍ତାପାର୍ଶ୍ବକୁ ନୋ-ଭେଣ୍ଡିଂ ଜୋନ୍ ଘୋଷଣା କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe